Site icon Odisha.com

ଜୁଆରରେ ଭାସି ହଜାର ହଜାର କଇଁଛ ଅଣ୍ଡା ନଷ୍ଟ

ବ୍ରହ୍ମପୁର/କେନ୍ଦ୍ରାପଡା, ଏପ୍ରିଲ ୨୩ (ଓଡ଼ିଶା ଡ଼ଟ୍ କମ୍) ପୁର୍ଣିମା ଓ ଅମାବାସ୍ୟାରେ ସମୁଦ୍ରରେ ଆସିଥିବା ଜୁଆରରେ କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାର ବେଳାଭୂମିରେ କଇଁଛ ଦେଇଥିବା ହଜାର ହଜାର ଅଣ୍ଡା ଭାସି ନଷ୍ଟ ହୋଇଯାଇଥିବା ବନ୍ୟଜନ୍ତୁ ବିଭାଗର ଅଧିକାରୀ ମାନେ ଗୁରୁବାର କହିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ଋଷିକୂଲ୍ୟା ଓ କେନ୍ଦ୍ରାପଡା ଜିଲ୍ଲାରେ ଗହୀରମଥା ଉପକୂଳରେ ବିରଳ ଅଲିଭ ରିଡ଼ଲେ କଇଁଛ ମାନେ ବ୍ୟାପକ ସଂଖ୍ୟାରେ ଅଣ୍ଡାଦାନ କରିଥିଲେ। ଗହୀରମଥାର ନାସୀ ଏକ ଓ ନାସୀ ଦୁଇ ଦ୍ଵୀପରେ ବ୍ୟାପକ ଅଣ୍ଡା ସମୁଦ୍ର ପାଣିରେ ନଷ୍ଟ ହୋଇଥିବା ବନ୍ୟଜନ୍ତୁ ବିଭାଗର ଅଧିକାରୀ ସୁବ୍ରତ ପାତ୍ର କହିଛନ୍ତି। କୁକୁର ଓ ଅନ୍ୟ ବନ୍ୟଜନ୍ତୁଙ୍କ କବଳରୁ ପ୍ରଭାବିତ ହୋଇନଥିବା ଅଣ୍ଡାଗୁଡିକୁ ରକ୍ଷା ନିମନ୍ତେ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

ଅଲିଭ ରିଡ଼ଲେ କଇଁଛ ଗହୀରମଥାରେ ମାର୍ଚ୍ଚର ଦ୍ଵିତୀୟ ସପ୍ତାହସୁଦ୍ଧା ପ୍ରାୟ ୩ ଲକ୍ଷ ଅଣ୍ଡା ଦେଇଥିବା ବେଳେ ଋଷିକୁଲ୍ୟା ବେଳାଭୂମୀରେ ୩.୯ଲକ୍ଷ ଅଣ୍ଡା ଦେଇଛନ୍ତି। ୪୦ରୁ ୫୦ ଦିନ ଭିତରେ ସେଥିରୁ ଫୁଟି ଛୁଆ ବାହାରିଥାନ୍ତେ । ଗହୀରମଥା ବିଶ୍ୱରେ ଅଲିଭ ରିଡ଼ଲେ କଇଁଛଙ୍କ ବୃହତ ଅଣ୍ଡାଦାନସ୍ଥଳୀ ଭାବେ ପରିଗଣିତ ।

ପ୍ରତି ବର୍ଷ ରାଜ୍ୟର ବିଭନ୍ନ ସ୍ଥାନରେ ଜୁଆର କୁଳ ଲଂଘିବା ଯୋଗୁ ବହୁ ସଂଖ୍ୟକ କଇଁଛ ଅଣ୍ଡା ନଷ୍ଟ ହେଉଛି। ଏବର୍ଷ ଗଞ୍ଜାମ ଜିଲ୍ଲାର ଗୋଖରକୁଦ ଠାରେ ପ୍ରାୟ ୧୦ପ୍ରତିଶତ ଅଣ୍ଡା ନଷ୍ଟ ହୋଇଥିବା ଆକଳନ କରଯାଇଥିବା ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version