Site icon Odisha.com

ଦାଦନ ଶ୍ରମିକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

ଭୁବନେଶ୍ଵର, ଏପ୍ରିଲ ୨୫ (ଓଡିଶା ଡଟ କମ) କନ୍ଧମାଳରୁ କେରଳକୁ କାମ କରିବାକୁ ଯାଇଥିବା ଜଣେ ଯୁବକର ସନ୍ଦେହଜନକ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିଶନ କେରଳ ପୁଲିସ୍ ଡିଜି ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ଚାରି ସପ୍ତାହ ମଧ୍ୟରେ ଘଟଣା ସମ୍ପର୍କରେ ଜବାବ ଦେବା ଲାଗି କମିଶନ ଏହି ଦୁଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାଦନ ଖଟିବାକୁ ଯାଇଥିବା ରାଇକିଆ ଥାନା ଅନ୍ତର୍ଗତ ଟିଆଙ୍ଗିଆ ଗାଁର ଟାଇଟସ୍ ଦିଗାଲ (୧୭)ଙ୍କ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ କେରଳରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା ।

କିନ୍ତୁ ସେଠାକାର ପୁଲିସ୍ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଦର୍ଶାଇ କୌଣସି ତଦନ୍ତ କରିନଥିଲା । ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଟାଇଟସ୍ ଏରନାକୁଲମ୍ ଜିଲ୍ଲାର ପଲ୍ଲିପାଡି ଠାରେ ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରୁଥିଲେ । ତାଙ୍କ ବାପା ଉଚ୍ଛବ ଦିଗାଲ ତାଙ୍କ ପୁଅଙ୍କ ମୃତ୍ୟୁ ବେଳର ଫଟୋ ଓ ତାକୁ ସେଠାକୁ ନେଇଥିବା ତାଙ୍କ ଅଂଚଳର କିଛି ଦଲାଲ୍ ଙ୍କ ହାବଭାବ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ।

ଏହି ଦଲାଲ ମାନେ ତାଙ୍କ ପୁଅକୁ ମାରିଥାଇ ପାରନ୍ତି ବୋଲି ସନ୍ଦେହ କରି ସେ ରାଇକିଆ ଥାନାରେ ଏତଲା ଦେଇଥିଲେ ଓ କନ୍ଧମାଳ ଏସ୍.ପି.ଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଏହି ଘଟଣାରେ କୌଣସି କାର୍ଯାନୁଷ୍ଠାନ ହୋଇନଥିଲା ।

ଏବେ ଜାତୀୟ ମାନବାଧିକାର କମିଶନ କନ୍ଧମାଳ ଜିଲ୍ଲାପାଳ ଓ କେରଳ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିବା ପରେ ଘଟଣାର ଠିକ୍ ଭାବେ ତଦନ୍ତ ହେବ ବୋଲି ଆବେଦନକାରୀ ଶ୍ରୀ ଅଖଣ୍ଡ ଆଶାବ୍ୟକ୍ତ କରିଛନ୍ତି । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ସେ କମିଶନଙ୍କ ନିକଟରେ ନିବେଦନ କରିଛନ୍ତି ।

ଓଡିଶା ଡଟ କମ

Exit mobile version