Site icon Odisha.com

ଓଡିଆ ନିଉଜ ଚ୍ୟାନେଲର ବୁମ ଟାଇମ

କେଦାର ମିଶ୍ର

ଏପ୍ରିଲ୍‍ ଖରାର ତାତି ଯେତିକି ବଢ଼ୁଛି ରାଜଧାନୀ ଭୁବନେଶ୍ୱରରେ ମିଡିଆ ବଜାର ସେତିକି ସର୍‍ଗରମ୍‍ ହୋଇ ଉଠୁଛି । ଏଇ ଅଳ୍ପ କେଇମାସ ଭିତରେ ଇଲେକ୍‍ଟ୍ରୋନିକ୍ସ ମିଡିଆରେ ଏତେ ଅଧିକ ହଲ୍‍ଚଲ୍‍ ଦେଖା ଦେଇଛି ଯେ ତାକୁ ନେଇ ଗୋଟେ ବହି ଲେଖା ଯାଇପାରିବ ।

୯୦ ଦଶକ ପର୍ଯ୍ୟନ୍ତ ଓଡିଆ ଦୂରଦର୍ଶନ ଓ ଆକାଶବାଣୀର ସମ୍ବାଦକୁ ଆମେ ଦୈବବାଣୀ ବୋଲି ଭାବୁଥିଲୁ । ଯତୀନ୍‍ ଦାସ୍‍ କିମ୍ବା ଉପେନ୍ଦ୍ର କୁମାର ପାହାଡାସିଂଙ୍କ ଗୁରୁଗମ୍ଭୀର ସ୍ୱରରେ ଯେଉଁ ଖବର ରେଡିଓରୁ ଭାସି ଆସୁଥିଲା ତାହା ଥିଲା ଆମ ପାଇଁ ତ୍ୱରିତ ଖବର ପାଇବାର ଏକମାତ୍ର ମାଧ୍ୟମ । ତେବେ ସେ ଶୂନ୍ୟବାଣୀର ପରମ୍ପରା ୯୦ ଦଶକ ବେଳକୁ ନବକଳେବର ଗ୍ରହଣ କଲା ।

ପ୍ରଥମେ ରାମୋଜୀ ରାଓ ଘରୋଇ ଟିଭି ଚ୍ୟାନେଲ ଓଡିଆ ସମ୍ବାଦ ପ୍ରସାରଣ ଜଗତକୁ ପ୍ରବେଶ କଲେ । ୯୦ ଦଶକରେ ‘ଇ’ ଟିଭି ବ୍ୟାବସାୟିକ ଖବର ପ୍ରସାରଣର ଏକ ନୂଆ ଧାରା ଓ ଶୈଳୀ ତିଆରି କଲା । ଦୂର୍ଭାଗ୍ୟ କ୍ରମେ ‘ଇ’ ଟିଭିର ସେଇ ଧାରା ଓ ଶୈଳୀ ଆଜି ପର୍ଯ୍ୟନ୍ତ ଇଲେକ୍‍ଟ୍ରୋନିକ୍ସ ଗଣମାଧ୍ୟମର ମାର୍ଗ ଦର୍ଶକ ହୋଇ ରହିଛି । ଇତିମଧ୍ୟରେ ଓଡିଆ ଟିଭି ଚ୍ୟାନେଲ୍‍ର ସଂଖ୍ୟା ବଢ଼ିଛି ହେଲେ ଖବର ପ୍ରସାରଣ ଓ ବିଶ୍ଲେଷଣର ଶୈଳୀ ଯେମିତିକି ସେମିତି ରହିଛି ।

ଗତ କିଛି ବର୍ଷ ଭିତରେ ରାଜ୍ୟରେ ଅନେକ ଟିଭି ଚ୍ୟାନେଲ ଆତ୍ମପ୍ରକାଶ କରିଛି । ବଡ ବଡ ବ୍ୟବସାୟୀକ ସଂସ୍ଥା ମେଡିଆର ଏହି ଗ୍ଲେମର ଦୁନିଆଁରେ ପାଦଥାପିଛନ୍ତି ଅଥବା ପାଦ ଥାପିବାକୁ ଯାଉଛନ୍ତି ।ପୂର୍ବରୁ ଶିକ୍ଷା ବ୍ୟବସାୟରେ ଜଡିତ କୌସ୍ତୁଭ ଗ୍ରୁପ୍‍ର ମାଲିକ ନକ୍ଷତ୍ର ଟିଭି ପ୍ରତିଷ୍ଠା କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନର ମନୋଜ ନାୟକ ନିକଟରେ ନିଉଜ୍‍ ୭ ଆରମ୍ଭ କରିଛନ୍ତି ।

କିଟ୍‍ ଓ କିସ ର ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କଳିଙ୍ଗ ଟିଭି ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାସରୁ ଏହାର ସ୍ଵାଭାବିକ ପ୍ରସାରଣ ଆରମ୍ଭ ହେବ । ସେହିପରି ଖଣି ବ୍ୟବସାୟିକ ସଂସ୍ଥା ସିରାଜ୍‍ଉଦ୍ଧିନ୍‍ ଏଣ୍ଡକୋ ପ୍ରଥମେ ଖବରକାଗଜ ଓ ପରବର୍ତ୍ତୀ ସମୟରେ ଟିଭି ଚ୍ୟାନେଲ୍‍ ବ୍ୟବସାୟରେ ପ୍ରବେଶ କରିବେ ବୋଲି ଶୁଣାଯାଉଛି ।

ଦୁଇଟି ବ୍ୟବସାୟିକ ସଂସ୍ଥା ଇତିମଧ୍ୟରେ ଚଳ ଚଞ୍ଚଳ ହୋଇ ସାରିଛନ୍ତି । ଜିନ୍ଦଲ ଗ୍ରୁପ୍‍ର ଫୋକସ୍‍ ଟିଭି ଓ ଜୀ ଗ୍ରୁପ୍‍ର ଜୀ କଳିଙ୍ଗ ଏବେ ପ୍ରସାରିତ ହେଉଛି ।

ଏହା ପୂର୍ବରୁ ଚିଟ ଫଣ୍ଡ ଦୁର୍ନୀତିରେ ଫସିଥିବା ସି ସୋର ଗ୍ରୁପ ଦ୍ୱାରା ଆରମ୍ଭ ହୋଇଥିବା ଏସ୍‍ ଟିଭି ବନ୍ଦ ହୋଇଯାଇଥିବା ବେଳେ କାମୟାବ୍‍ ଟିଭି ଦରମଲା ଅବସ୍ଥାରେ ବଞ୍ଚିରହିଛି । ଏମ୍‍ବିସି ଟିଭି ଚିଟ୍‍ଫଣ୍ଡର କାଳିମା ସତ୍ତ୍ୱେ ନିଜର ସ୍ଥିତି ବଜାୟ ରଖିଛି ।

କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ କରି ଟେଲିଭିଜନ୍‍ ଚ୍ୟାନେଲ୍‍ ବସାଇବାର ସ୍ୱପ୍ନ ପଛରେ ବ୍ୟାବସାୟିକ ଲାଭର ସମ୍ଭାବନା ରହିଛି କି ? ଏ ପ୍ରଶ୍ନ ଅବାନ୍ତର । ଓଡିଆରେ ଚାଲୁଥିବା କେବଳ ‘ଓ’ ଟିଭିକୁ ବାଦ୍‍ ଦେଲେ ଆଉ କୌଣସି ଚ୍ୟାନେଲ୍‍ ଲାଭ କରୁଥିବାର ରେକର୍ଡ ନାହିଁ ।

ଆପାତତଃ ଟିଭି ଚ୍ୟାନେଲ୍‍ ହେଉଛି ପ୍ରାରମ୍ଭିକ ଭାବରେ ନିଶ୍ଚିତ କ୍ଷତି ସହିବାର ଏକ ମାଧ୍ୟମ । କ୍ଷତିରେ ଚାଲୁଥିବା ସତ୍ତ୍ୱେ ଟିଭି ଚ୍ୟାନେଲ୍‍ ବସାଇବାକୁ ଏପ୍ରକାର ଅହେତୁକ ଆଗ୍ରହର କାରଣ କଣ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଛି ।

ଗଣମାଧ୍ୟମରେ ପ୍ରତିଯୋଗିତା ଏକ ଶୁଭ ସୂଚନା । ପ୍ରତିଯୋଗିତା ମାଧ୍ୟମରେ ହିଁ ଖବରର ମାନ, ନିରପେକ୍ଷତା ଓ ପ୍ରଭାବ ବଢ଼ିଥାଏ । ନୂଆ ଶୈଳୀ ତଥା ବିଚାରଧାରା ଆସିଥାଏ । ତେବେ ଗତ କେତେ ବର୍ଷର ଟେଲିଭିଜନ୍‍ ଅନୁଭୂତିରୁ କହି ହେବ ଯେ ଖବର ପ୍ରସାରଣର ଶୈଳୀ ଓଡିଆ ଦର୍ଶକଙ୍କ ବ୍ୟାପକ ଆଦୃତି ଲାଭ କରି ନାହିଁ । ସୁତରାଂ ଟିଆର୍‍ପି ଯୁଦ୍ଧରେ ବ୍ୟବସାୟୀକ ପୁଞ୍ଜିନିବେଶ ସତ୍ତ୍ୱେ ଫୋକସ୍‍ ଓ ଜୀ କଳିଙ୍ଗ ଢ଼େର୍‍ ପଛରେ ରହିଛନ୍ତି ।

ଗତ ତିନି ସପ୍ତାହର ଟିଆର୍‍ପି ଅନୁଧ୍ୟାନ କଲେ ଆମେ ଦେଖିବା ଯେ ‘ଓ’ ଟିଭି ୧୪୧-୧୪୫-୧୦୯ ପଏଣ୍ଟ ପାଇ ଆଗରେ ରହିଛି । ଏମ୍‍ବିସି ଟିଭି ୧୦୩-୧୧୭-୧୨୧ ପାଇ ତା ପଛକୁ ରହିଛି ।

ଫୋକସ୍‍ ଟିଭି ୨୮-୩୧-୨୬ ପାଇ ବହୁ ପଛରେ ରହିଛନ୍ତି । ଜୀ କଳିଙ୍ଗ ବହୁ ରାଜନୈତିକ ତୁମ୍ବିତୋଫାନ ସତ୍ତ୍ୱେ ୨୧-୨୩-୨୦ରେ ସୀମିତ ରହିଛି । ନୂଆ ଆସିଥିବା ନିଉଜ୍‍ ୭ ଟିଆର୍‍ପି ଦୌଡରେ ଢ଼େର୍‍ ପଛୁଆ ରହିଛି । ଏହାର ରେଟିଂ ହେଉଛି ୧୧-୧୧-୧୪ । ଏହି ସବୁ ପ୍ରତିଯୋଗିତାରେ ସୌମ୍ୟରଞ୍ଜନ ପଟନାୟକଙ୍କ କନକ ଟିଭିର ନିଜସ୍ୱ ଗଣମାଧ୍ୟମ ଅଭିଜ୍ଞତା ରହିଛି ।

ରାଜ୍ୟର ସବୁଠୁ ଅଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ ପାଖରେ ଏହାର ମାଲିକାନା ରହିଥିଲେ ମଧ୍ୟ ଏହାର ବିଶେଷ ଉନ୍ନତି ପରିଲକ୍ଷିତ ହୋଇନାହିଁ । ଟିଆର୍‍ପି ରେଟିଂରେ ଗତ ୩ ସପ୍ତାହରେ ଏହାର ସ୍ଥିତି ହେଉଛି ୧୮-୧୮-୧୬ ।

ବ୍ୟବସାୟୀ ଓ କର୍ପୋରେଟ୍‍ଙ୍କ ଏହି ଅସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଛି ଓଡିଆ ସାମ୍ବାଦିକଙ୍କର ବୃତ୍ତିଗତ ସୁରକ୍ଷା ତଥା ସାମାଜିକ ମର୍ଯ୍ୟାଦା । ଯାତ୍ରାପାର୍ଟିରେ ଅଭିନେତା ବଦଳିଲା ଭଳି ପ୍ରତିମାସ ଟେଲିଭିଜନରେ ମୁହଁ ବଦଳୁଛି ।

ଅନେକ ସମୟରେ ବରିଷ୍ଠ ସାମ୍ବାଦିକମାନଙ୍କୁ ଅତ୍ୟନ୍ତ ଅପମାନଜନକ ସ୍ଥିତିରେ ଚ୍ୟାନେଲ୍‍ରୁ ବିଦା କରି ଦିଆଯାଉଛି । କିନ୍ତୁ ପାୱାର କରିଡରର ନିକଟତର ଥିବା କେତେକ ସାମ୍ବାଦିକଙ୍କର ହିଁ କଚେପୁଅ ବାର ହୋଇଛି ।

ଫୋନ୍‍ : ୯୪୩୭୧୫୪୪୪୫

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Exit mobile version