Site icon Odisha.com

ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ପ୍ରଦାନ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଏପ୍ରିଲ ୨୭ (ଓଡିଶା ଡଟ କମ) କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟେକ ୫ ଟଙ୍କା ମୂଲ୍ୟ ବିଶିଷ୍ଟ ଶେୟାର୍‍ ପ୍ରତି ୧.୨୫ ଟଙ୍କା ହାରରେ ୩୨୨.୧୬ କୋଟି ଟଙ୍କା ଡିଭିଡେଣ୍ଡ ପ୍ରଦାନ କରାଯିବା ବିଷୟ ଷୋଷଣା କରାଯାଇଛି ।

ଏହା କମ୍ପାନୀର ୧୨୮୮.୬୨ କୋଟି ଟଙ୍କା ମୂଲ୍ୟର ପେଡ୍‍-ଅପ୍‍ ଇକ୍ୱିଟୀ କ୍ୟାପିଟାଲ୍‍ର ୨୫ ପ୍ରତିଶତ ଅଟେ । ସୋମବାର ନୂଆଦିଲ୍ଲୀଠାରେ ୨୬୦.୭୨ କୋଟି ଟଙ୍କା (ଡିଭିଡେଣ୍ଡର ୮୦.୯୩ ପ୍ରତିଶତ ଭାଗ) ମୂଲ୍ୟର ଏହି ଡିଭିଡେଣ୍ଡ୍‍, ଚେକ୍‍ ମାଧ୍ୟମରେ କେନ୍ଦ୍ର ଇସ୍ପାତ ଓ ଖଣି ରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ପ୍ରଦାନ କରିଥିଲେ ।

୨୦୧୪-୧୫ ମସିହାରେ ପ୍ରଦାନ କରାଯାଉଥିବା ୩୨୨.୧୫ କୋଟି ଟଙ୍କାର ଡିଭିଡେଣ୍ଡ୍‍, ୨୦୦୬-୦୭ ମସିହାରେ ପ୍ରଦତ୍ତ ସର୍ବାଧିକ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ଅଟେ । ଏହି ଅବସରରେ, ଖଣି ମନ୍ତ୍ରଣାଳୟର ସଚିବ, ଡକ୍ଟର୍‍ ଅନୁପ କେ. ପୁଜାରୀ, ଅତିରିକ୍ତ ସଚିବ ଶ୍ରୀ ଆର୍‍. ଶ୍ରୀଧରନ, ଯୁଗ୍ମ ସଚିବ ଶ୍ରୀ ଅରୁଣ କୁମାର ଓ ଡକ୍ଟର୍‍ ନିରଞ୍ଜନ କୁମାର ସିଂ ଏବଂ ନାଲ୍‍କୋର ସମସ୍ତ ନିର୍ଦ୍ଦେଶକ ବୃନ୍ଦ ଉପସ୍ଥିତ ଥିଲେ ।

୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲକୋ, ୧୯୯୨ ମସିହା ପର ଠାରୁ ପ୍ରତି ଆର୍ଥିକ ବର୍ଷରେ ଡିଭିଡେଣ୍ଡ୍ ପ୍ରଦାନ କରିଆସୁଛି । ୨୦୧୩-୧୪ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୩୮୬.୫୯ କୋଟି ଟଙ୍କାର ଡ଼ିଭିଡ଼େଣ୍ଡ ଘୋଷଣା କରିଥିଲା ।

ନାଲକୋ ଏ ଯାବତ୍ ସମୁଦାୟ ୫୨୨୮ କୋଟି ଟଙ୍କା ଡ଼ିଭିଡ଼େଣ୍ଡ ଆକାରରେ ପ୍ରଦାନ କରିଛି, ସେଥି ମଧ୍ୟରୁ ୪୯୯୫ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।

ଓଡିଶା ଡଟ କମ

Exit mobile version