Site icon Odisha.com

ଧନ୍ଦାମୂଳକ ଶିକ୍ଷାର ଫି ବୃଦ୍ଧିକୁ ଛାତ୍ର ସଂଗଠନର ବିରୋଧ

ଭୁବନେଶ୍ଵର ଏପ୍ରିଲ ୩୦(ଓଡିଶା ଡଟ କମ) ଯୁକ୍ତ ଦୁଇ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ନାମଲେଖା, ପରୀକ୍ଷା ଓ ଅନ୍ୟାନ ଫି ବୃଦ୍ଧିକୁ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ (ଅଲ୍ ଇଣ୍ଡିଆ ଡ଼ି.ଏସ.ଓ) ପକ୍ଷରୁ ଗୁରୁବାର ତୀବ୍ର ବିରୋଧ କରାଯାଇଛି।

ମିଳିଥିବା ତଥ୍ୟ ଅନୁସାରେ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନେ ମାସକୁ ୫୨୮ ଟଙ୍କା ଦେଉଥିବା ବେଳେ ଆଗାମୀ ଶିକ୍ଷା ବର୍ଷରୁ ସେମାନଙ୍କୁ ୮୬୦ ଟଙ୍କା ଦେବାକୁ ପଡିବ । ସେହିପରି ଦ୍ଵିତୀୟ ବାର୍ଷିକ ଛାତ୍ରଛାତ୍ରୀଙ୍କୁ କଲେଜ ଫି ବାବଦ କୁ ୧୬୮ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ସେମାଙ୍କୁ ୪୫୦ ଟଙ୍କା ଲେଖାଏଁ ଦେବାକୁ ହେବ ।

ଏହି ବର୍ଦ୍ଧିତ ଫି କୁ ପ୍ରତ୍ୟାହାର କରିବାପାଇଁ ଏକ ପ୍ରେସ ବିବୃତ୍ତିରେ ଅଲ୍ ଇଣ୍ଡିଆ ଡ଼ି.ଏସ.ଓ ର ରାଜ୍ୟ ସଭାପତି ଅକ୍ଷୟ ଦାସ ଓ ସମ୍ପାଦକ ଶିବାଶିଷ ପ୍ରହରାଜ ଦାବି କରିଛନ୍ତି ।

ସେମାନେ କହିଛନ୍ତି ଯେ ଏହି ଫି ବୃଦ୍ଧି ଦ୍ଵାରା ସାଧାରଣ ଘରର ଛାତ୍ରଛାତ୍ରୀମାନେ ପାଠ ପଢିବାର ସୁଯୋଗରୁ ବଞ୍ଚିତ ହେବେ। ଗୋଟିଏ ଦିଗରେ ଦୁର୍ନୀତିର ଚେର ଲମ୍ବି ଚାଲିଥିବାବେଳେ ଅନ୍ୟ ଦିଗରେ ବିଭିନ୍ନ ଯୋଜନା ଆଳରେ ବ୍ୟାପକ ଅର୍ଥ ଅପବ୍ୟୟ କରାଯାଉଛି ।

ଇ-ମୂଲ୍ୟାୟନ ବାହାନାରେ ଯୁକ୍ତ ଦୁଇ ବିଜ୍ଞାନ ଖାତାର ସ୍କାନିଙ୍ଗ ଓ ଅପଲୋଡିଙ୍ଗ ପାଇଁ ଏକ ଘରୋଇ କମ୍ପାନୀକୁ ଗୋଟିଏ ଖାତା ପିଛା ପ୍ରାୟ ୩୦୦ ଟଙ୍କା ଦିଆଯାଇଥିବା ସେମାନେ ଅଭିଯୋଗ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଦାୟିତ୍ଵକୁ ସରକାର ନେବା ପାଇଁ କାହିଁକି ଅମଙ୍ଗ ହେଉଛନ୍ତି ବୋଲି ସେମାନେ କହିଛନ୍ତି ।

ଓଡିଶା ଡଟ କମ

Exit mobile version