Site icon Odisha.com

ସଚିବାଳୟରେ ଡାମଣା ସାପ ଅଣ୍ଡାକୁ ନେଇ ଭୟ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩ (ଓଡିଶା ଡଟ କମ) ଭୁବନେଶ୍ଵରସ୍ଥିତ ରାଜ୍ୟ ସଚିବାଳୟର ଏକ ଜନଗହଳିପୁର୍ଣ ସ୍ଥାନରେ ଶନିବାର ଡାମଣା ସାପ ଦେଇଥିବା କେତେକ ଅଣ୍ଡା ମିଳିବାରୁ ଏହାକୁ ନେଇ କର୍ମଚାରୀଙ୍କ ମହଲରେ ଭୟର ମାହୋଲ ସ୍ତୃଷ୍ଟି ହୋଇଛି ।

ଅର୍ଥ ବିଭାଗ ପଛରେ ଡ୍ରାଇଭର ମାନଙ୍କ ବିଶ୍ରାମ ସ୍ଥାନ ନିକଟରେ ସଫା ସୁତୁରା କାର୍ଯ୍ୟ ଚାଲିଥିବା ବେଳେ ଏହି ଅଣ୍ଡାଗୁଡିକୁ ଦେଖିବାକୁ ମିଳିଥିଲା । ଏହାପରେ କର୍ମଚାରୀମାନେ ସ୍ନେକ ହେଲପଲାଇନର ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନରେ ଯୋଗାଯୋଗ କରି ଡକାଇଥିଲେ । ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡା ଗୁଡିକ ଉଦ୍ଧାର କରିଥିଲେ ।

ସେଠାରେ ଦଶଟି ଅଣ୍ଡା ଥିଲା ଓ ତାହା ଡାମଣା ସାପ ଦେଇଥିବା ଅଣ୍ଡା, ମଲ୍ଲିକ ଓଡିଶା ଡଟ କମ କୁ କହିଛନ୍ତି । ସଚିବାଲୟରୁ ଗତ ଦଶ ବର୍ଷ ଭିତରେ ପ୍ରାୟ ଷାଠିଏ ଟି ସାପ ଉଦ୍ଧାର କରାଯାଇଛି ଓ ସେମଧ୍ୟରୁ ଅଧିକାଂଶ ନାଗ ସାପ ।

ସଚିବାଳୟ ପରିସରରେ ସାପଙ୍କ ବାସସ୍ଥଳୀ ଥିବା ଆମେ ପୂର୍ବରୁ ସନ୍ଦେହ କରିଥିଲୁ ତେବେ ଏହା ପ୍ରମାଣିତ ହୋଇ ନ ଥିଲା । ଶନିବାର ପ୍ରଥମ ଥର ପାଇଁ ସାପ ଅଣ୍ଡା ମିଳିବାରୁ ଏହା ପ୍ରମାଣିତ ହୋଇଛି, ସେ କହିଛନ୍ତି । ବାହାରେ ସବୁବେଳେ ଗାଡି ମଟର ଚଳାଚଳ କରୁଥିବା ଓ ଲୋକଙ୍କ ଯିବା ଆସିବା ଲାଗି ରହିଥିବାରୁ ବାହାରୁ ସଚିବାଳୟ ପରିସରକୁ ସାପ ପ୍ରବେଶ କରିବାର ଖୁବ ସମ୍ଭାବନା ରହିଛି ।

ଠିକ ସେହିପରି ସଚିବାଳୟ ଭିତରେ କୁକୁର କିମ୍ବା ଅନ୍ୟକୌଣସି ପ୍ରାକୃତିକ ଶତ୍ରୁ ନ ଥିବାରୁ ଏହା ସାପଙ୍କ ପାଇଁ ସୁରକ୍ଷିତ ଚଳ ପ୍ରଚଳର ସ୍ଥାନ ପାଲଟିଛି । ଫଳରେ ସାପ ବ୍ୟତୀତ ସଚିବାଲୟ ମଧ୍ୟରେ ବେଙ୍ଗ ଓ ବିଭିନ୍ନ ଜାତୀୟ ମୂଷା ମଧ୍ୟ ନିଜର ଆସ୍ଥାନ ଜମାଇଛନ୍ତି, ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version