‘ଆଦିମ ବିଚାର’ର ବିଚାର

କେଦାର ମିଶ୍ର

ମୌଳିକ ସିନେମାର ଅଭାବୀ ସମୟରେ ସବ୍ୟସାଚୀ ମହାପାତ୍ରଙ୍କ ବହୁଚର୍ଚ୍ଚିତ ଓ ପୁରସ୍କୃତ ସିନେମା ‘ଆଦିମ ବିଚାର’ ଓଡିଶାର ସିନେମା
କ୍ଷେତ୍ରରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି । ଗତ  କିଛି ବର୍ଷ ଧରି ଓଡିଆ ସିନେମା ନାଁରେ ଆମେ ତେଲୁଗୁ କିମ୍ବା ତାମିଲ୍‍ ସିନେମାର ଅବିକଳ କପିକୁ
ଦେଖି ଚାଲିଛୁ ।

Director Sabyasachi Mohapatra 3 ଓଡିଆ କାହାଣୀ, ଚରିତ୍ର, ଓଡିଆ ଜନଜୀବନର ସଂଘର୍ଷ ଓ ଘଟଣାକୁ ନେଇ ସିନେମା କରିବା ଉତ୍ସାହ ବା ସାହସ ସତେ ଯେମିତି ଆମର ମରିଯାଇଛି । କା’, ମାଟିର ମଣିଷ କିମ୍ବା ସ୍କୁଲ୍‍ ମାଷ୍ଟର ଭଳି ସିନେମା କରିବା ପାଇଁ ଆଜି ଆମ ପାଖରେ ଆଗ୍ରହ ନାହିଁ ।

ସେହି ପୃଷ୍ଠଭୂମିରେ ସବ୍ୟସାଚୀମହାପାତ୍ର ଗୋଟିଏ ପରେ ଗୋଟିଏ ମୌଳିକ ଚଳଚ୍ଚିତ୍ର ନିର୍ମାଣ କରି ସିନେମାରେ ଆମ ସାଂସ୍କୃତିକ ଜୀବନକୁ ବଞ୍ଚାଇ ରଖିଛନ୍ତି ।
ତିନୋଟି ଦୃଷ୍ଟିରୁ ସବ୍ୟସାଚୀ ମହାପାତ୍ରଙ୍କ ଅବଦାନ ଓଡିଶାର ସିନେମାଜଗତ ପାଇଁ ଅତୁଳନୀୟ ।

ପ୍ରଥମତଃ ସେ ଓଡିଆ ଭାଷା ଅପେକ୍ଷା ପଶ୍ଚିମାଞ୍ଚଳର କୋଶଳୀ ଲଗାତାର ସିନେମା କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଭୁଖା,
ଶଲାବୁଢ଼ା ଓ ଆଦିମ ବିଚାର ଏହି କ୍ରମରେ ତିନୋଟି ମାଇଲ୍‍ଖୁଣ୍ଟ । ଦ୍ୱିତୀୟ କଥା ହେଉଛି ସିନେମାର ଦେଶୀ ସାଂସ୍କୃତିକ ପୃଷ୍ଠଭୂମି ।

ତାଙ୍କର ପ୍ରତ୍ୟେକ ସିନେମାରେ ଓଡିଶାର ଜନଜୀବନ ଓ ଅନାଲୋଚିତ ସାଂସ୍କୃତିକ ଦିଗଗୁଡିକ ନୂଆ ରୂପ ପାଇଥାନ୍ତି ।
ତୃତୀୟ କଥା ହେଉଛି ସିନେମାରେ ଓଡିଶାର ଲୋକକଳା ଓ ସଙ୍ଗୀତକୁ ନୂଆ କରି ଆବିଷ୍କାର କରିବାର ନିଶା ।

ସବ୍ୟସାଚୀ ମହାପାତ୍ର ପଶ୍ଚିମ ଓଡିଶାର ସାଂସ୍କୃତିକ ଜୀବନବୋଧକୁ ନେଇ ଏକପ୍ରକାର ନିଶାଗ୍ରସ୍ତ । ସେହି ନିଶାରୁ ତାଙ୍କର ସିନେମା ସୃଷ୍ଟି ହୁଏ ।
ସେଥିପାଇଁ ପ୍ରତ୍ୟେକ ସିନେମାରେ ଏକ ନିଶାଗ୍ରସ୍ତ ମଣିଷର ଭାବପ୍ରବଣ ସମ୍ପୃକ୍ତି ବାରି ହୋଇପଡିବ ।

ଆଦିମ ବିଚାର ଗତ ସପ୍ତାହରେ ଶ୍ରେଷ୍ଠ ଓଡିଆ ସିନେମା ଭାବରେ ରାଷ୍ଟ୍ରପତିଙ୍କ ‘ରଜତ କମଳ’ ପୁରସ୍କାର ପାଇଛି । ପ୍ରାୟ ୯ ବର୍ଷ ପରେ ଓଡିଆ
ସିନେମା ଜାତୀୟ ସ୍ତରFIlm Still ADIM VICHAR 1ରେ ପୁରସ୍କୃତ ହୋଇଛି । ହୁଏତ ଏହାକୁ ସିନେମାର ଏକ ସଫଳତା ବୋଲି ଆମେ କହିପାରିବା ।

ତେବେ ପୁରସ୍କାରଠୁ ବଡ ସଫଳତା ହେଉଛି ଆଦିମ ବିଚାରକୁ ନେଇ ଦର୍ଶକ ତଥା ଆଲୋଚକ ମହଲରେ ଉତ୍ସାହ ।
କାହାଣୀ ଦୃଷ୍ଟିରୁ ଦେଖିଲେ‘ଆଦିମ ବିଚାର’ ଏକ ସହଜ ଓ ସରଳ କାହାଣୀ ଦେଇ ଗତି କରୁଛି ।

ପୁରାତନ ଗାଁର ଜଣେ ପୁରୁଖା କନ୍ଧ ବୁଢ଼ା ।ଲୋକବିଦ୍ୟାରେ ଧୁରନ୍ଧର କନ୍ଧ ବୁଢ଼ା ତା ଜୀବନରେ ସତ୍ୟ, ନ୍ୟାୟ ଓ ସାମାଜିକ ମୂଲ୍ୟବୋଧ ପାଇଁ ନିଜସ୍ୱ ମୌଳିକ ବିଚାର ରଖିଛି ।

ଯୌଥ ପରିବାରର ହସଖୁସିକୁ ନେଇ କାହାଣୀ । ସେଠି ଗୀତ ଅଛି, ନାଚ ଅଛି, ହାସ୍ୟ ଓ ବ୍ୟଙ୍ଗ ଅଛି, ଘର ଭାଙ୍ଗିବାର ଯନ୍ତ୍ରଣା ଅଛିତା ସାଙ୍ଗକୁ ରହିଛି ଏସବୁକୁ ସାମ୍ନା କରିବାର ଏକ ପାହାଡି ସାହସ ।

ଓଡିଆରେ ନିର୍ମାଣ ହେଇଥିବା ତିନୋଟି ମହାନ ଚଳଚ୍ଚିତ୍ର, ଯାହାକି ଓଡିଶାର ଯୌଥ ପରିବାରକୁ ନେଇ ନିର୍ମିତ – ମୃଣାଳ ସେନ୍‍ଙ୍କ ‘ମାଟିର ମଣିଷ’,
ନିରଦ ମହାପାତ୍ରଙ୍କ ‘ମାୟାମିରିଗ’ ସହ ଆଦିମ ବିଚାରକୁ ତୁଳନା କରି ଦେଖା ଯାଇପାରେ ।

‘ମାଟିର ମଣିଷ’ର ଏକ ଆଦିବାସୀ ରୂପକଳ୍ପ ‘ଆଦିମ ବିଚାର’ରେ ରହିଛି । ତେବେ ମୃଣାଳ ସେନ୍‍ ଗାଁରୁ ସହରକୁ ଯାଉଥିବା ବରଜୁ
ଭିତରେ ଭାଙ୍ଗି ଯାଉଥିବା ଗ୍ରାମ୍ୟଜୀବନର କଥା କହିଥିବା ବେଳେ ସବ୍ୟସାଚୀ ମହାପାତ୍ର ସହର ଆଗରେ କନ୍ଧ ବୁଢ଼ାର ଦୃଢ଼ ଓ ଅବିଚଳ ବିଚାରକୁ ବିଜୟୀ
କରି ଛିଡା କରାଇଛନ୍ତି ।

ସିନେମାର ଆଲୋଚନା କଲାବେଳେ ତିନୋଟି ଦିଗକୁ ଅଧିକ ତାରିଫ କରିବାକୁ ପଡିବ । ‘ଆଦିମ ବିଚାର’ର ସଙ୍ଗୀତ ମୌଳିକ, ଅତ୍ୟନ୍ତ ପ୍ରଭାବଶାଳୀ
ଓ ଏକ ଚିରସ୍ଥାୟୀ ପରମ୍ପରାର ମୂର୍ଚ୍ଛନାକୁ ନୂଆ ରୂପ ଦେବାରେ ସଫଳ । ଘାସିରାମ ମିଶ୍ର ଓ ପଙ୍କଜ ଜାଲ୍‍ଙ୍କ ସଙ୍ଗୀତରେ ରହିଛି ଅପୂର୍ବ ଯାଦୁକରୀ ।

ଉଭୟ ପ୍ରଚ୍ଛଦ ସଙ୍ଗୀତ ଓ ପୃଷ୍ଠଭୂମି ସଙ୍ଗୀତରେ ଏହା ନିଜସ୍ୱ ସଫଳତା ଅଙ୍କନ କରିଛି । ଦ୍ୱିତୀୟରେ ଆଦିମ ବିଚାରର ଗଢ଼ଣ, ପୃଷ୍ଠଭୂମି, ଲ୍ୟାଣ୍ଡସ୍କେପ୍‍ ଓ
ଚିତ୍ରତ୍ତୋଳନରେ ଅପୂର୍ବ କାରିଗରୀର ସଙ୍କେତ ରହିଛି । ତୃତୀୟ ଏବଂ ସବୁଠୁ ବଡ ଅନୁଭବ ହେଉଛି, ବଳିଷ୍ଠ ଅଭିନୟ ।

ବର୍ଷୀଆନ୍‍ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ କାନ୍ଧରେ ଭାରା ଦେଇ ସିନେମାଟି ଠିଆ ହୋଇଛି । ଅଶୀ ବର୍ଷ ପରେ ମଧ୍ୟ
ଅଟଳ ବିହାରୀ ପଣ୍ଡାଙ୍କ ଅଭିନୟରେ ରହିଛି ନବଯୁବକର ଉତ୍ସାହ । ଅଭିନୟରେ ସ୍ୱାଭାବିକ ଓ ସହଜ ଅଭିବ୍ୟକ୍ତି ତାଙ୍କୁ ଜଣେ ନିଆରା
ଅଭିନେତାର ମର୍ଯ୍ୟାଦା ଆଣି ଦେଇଛି ।

କନ୍ଧବୁଢ଼ାର ଜୀବନ ଓ ସଂସ୍କୃତି ଅଟଳ ବାବୁଙ୍କ ଅଙ୍ଗଭଙ୍ଗୀରେ ଏତେ ସହଜରେ ଫୁଟି ଉଠିଛି ଯେ ସେଠି ଅଭିନୟ ବୋଲି କିଛି ନାହିଁ ।

ଅଶୀ ବର୍ଷ ବୟସର ଏହି ନିଷ୍ଠାପର ବ୍ରାହ୍ମଣଜଣଙ୍କ ଅତି ସ୍ୱାଭାବିକ ଓ ସହଜ ରୀତିରେ ଆଦିବାସୀ ଚରିତ୍ର ପାଲଟି ଯାଇଛନ୍ତି । ତାଙ୍କ ସହ ତାଳ ଦେଇ
ତପସ୍ୱିନୀ ଗୁରୁ, ଜଗଦାନନ୍ଦ ଛୁରିଆ, ଘାସିରାମ ମିଶ୍ର, ଗଦାଧର ବାରିକ, ପୁରୁଷୋତ୍ତମ, ପ୍ରଦ୍ୟୁମ୍ନ, ଲୋଚନୀ, ସସ୍ମିତା ପ୍ରମୁଖ ନିଜର ଅଭିନୟ
ପରାକାଷ୍ଠା ଦେଖାଇଛନ୍ତି ।

ଏସବୁର ବାହାରେ ଆଉ ଏକ ଦିଗ ଯାହାକି ସିନେମାଟିକୁ ଅଧିକ ପ୍ରଭାବଶାଳୀ କରିଛି, ତାହା ହେଉଛି ସିନେମାର ସଂଳାପ । ନିଚ୍ଛକ, ପ୍ରାଣସ୍ପର୍ଶୀ
ଓ ଭାଷାର ଲାଳିତ୍ୟକୁ ବ୍ୟକ୍ତ କରୁଥିବା ଏହି ସବୁ ସଂଳାପର ଲେଖକ ଭାବରେ ଅଟଳ ବିହାରୀ ପଣ୍ଡାଙ୍କୁ ଯେତେ ପ୍ରଶଂସା କଲେ ବି କମ୍‍ ହେବ ।

ଓଡିଆ ସିନେମାର ଧାରାରେ ସବ୍ୟସାଚୀ ମହାପାତ୍ର ଅନେକ କିଛି ନୂଆ କରିଛନ୍ତି । ସିନେମା ତିଆରି କଲା ବେଳେ ଗୋଷ୍ଠୀ ଜୀବନର ଅନୁଭବକୁ
ସେ କାମରେ ଲଗାଇଛନ୍ତି । ତାଙ୍କ ସିନେମା ବ୍ୟାବସାୟିକ ପ୍ରଯୋଜନା ନୁହେଁ, ତାହା ଗୋଷ୍ଠୀର ଗଣତନ୍ତ୍ର ଦ୍ୱାରା ପରିଚାଳିତ ଏକ କଳାତ୍ମକ ପ୍ରକ୍ରିୟା ।

ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ, ଟେକନିସିଆନ୍‍, ଅଭିନେତା ଅଭିନେତ୍ରୀ, ସେଟ୍‍ ଡିଜାଇନ୍‍ର, ସ୍ପଟ୍‍ ବୟ, ଲାଇଟ୍‍ ବୟ, କ୍ୟାମେରାମ୍ୟାନ୍‍ ଓ ପୋଷ୍ଟ ପ୍ରଡକ୍‍ସନ୍‍
ଟେକ୍ନିସିଆନ୍‍- ସମସ୍ତେ ଗୋଟିଏ ପରିବାରର ଅଂଶବିଶେଷ । ସିନେମା ପାଇଁ ସବ୍ୟସାଚୀ ମହାପାତ୍ରଙ୍କର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟଶୈଳୀ ରହିଛି ।

ତେବେ ସିନେମା ନିର୍ମାଣରେ ଗୋଷ୍ଠୀର ଗଣତନ୍ତ୍ର ବା କମୁ୍ୟନିଟି ଡେମୋକ୍ରାସି ଆଣିବାରେ ତାଙ୍କର ଭୂମିକା ତାଙ୍କ ନିଜ ସିନେମାର କନ୍ଧ ବୁଢ଼ା ପରି ।
ସେ ନିର୍ଦ୍ଦେଶକ ଅପେକ୍ଷା ମୁରବୀ ବେଶି । ଏହା ହିଁ ‘ଆଦିମ ବିଚାର’ର ବୌଦ୍ଧିକ ଓ ବୈଚାରିକ ସଫଳତା ।

ଫୋନ୍‍ : ୯୪୩୭୧୫୪୪୪୫