ଓଡିଶା ନ୍ୟୁଜ/ Odisha News
ଧର୍ମ

ସେ କେଉଁ ବିଶ୍ଵବିଦ୍ୟାଳୟର ଛାତ୍ର ?

ବିଷ୍ଣୁପଦ ସେଠୀ

ବିଶ୍ଵ ସାହିତ୍ୟ, ସଂସ୍କୃତି ଏବଂ ଧର୍ମ ଦରବାରକୁ ଓଡିଶାର ମହନୀୟ ଅବଦାନ ହେଉଛି ପ୍ରବୃଦ୍ଧ ଗୁରୁ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରଚାରିତ ମହିମା ଧର୍ମ । ଏହି ଧର୍ମକୁ ସାର୍ବଜନୀନ କରିବାରେ ତାଙ୍କର ପଟ୍ଟଶିଷ୍ୟ ସନ୍ଥ କବି ଭୀମଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ଦ୍ଵାରା ରଚିତ ‘ସ୍ତୁତି ଚିନ୍ତାମଣି’ ମହିମା ଧ୍ରମର ମୁଖ୍ୟ ଧର୍ମଗ୍ରନ୍ଥ । ଅସଂଖ୍ୟ ଭଜନ ରଚନା କରି ସେ ମହିମା ଧର୍ମକୁ ପୁରପଲ୍ଲୀରେ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟ କରିପାରିଥିଲେ।

ବହୁସଂଖ୍ୟକ ଧର୍ମଗ୍ରନ୍ଥ ଯଥା ଆଦିଅନ୍ତ ଗୀତା, ଶ୍ରୁତି ନିଷେଧ ଗୀତା ଇତ୍ୟାଦି ମହିମା ପନ୍ଥୀଙ୍କ ଦ୍ଵାରା ଆଦୃତ ହୋଇଛି।ଗୀତା, ମହାଭାରତ, ରାମାୟଣ, ଉପନିଷଦ, ପୁରାଣ ମାନଙ୍କର ଗୂଢ ଏବଂ ଜଟିଳ ତତ୍ତ୍ୱକୁ ସରଳ ଏବଂ ସାବଲୀଳ ଭାଷାରେ ସେ ବାଖ୍ୟା କରିଛନ୍ତି। ଯୁଗଯୁଗ ଯାଏ ସ୍ତୁତି ଚିନ୍ତାମଣି, ଯାହାକୁ ଭୀମଭୋଇଙ୍କ ସର୍ବଶ୍ରେଷ୍ଠ କୃତ୍ତି ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ ।

ଯାହା ଉଲ୍ଲେଖ ଅଛି, ସୋନପୁର ଜିଲ୍ଲାସ୍ଥିତ ଖଲିଆପାଲି ଆଶ୍ରମରେ ସେ ଏକ ସାଙ୍ଗେ ଚାରି ଗୋଟି ଭଜନ ଶ୍ରୁତଲିଖନ ଆକାରରେ ରଚନା କରୁଥିଲେ, ଚାରି ଜଣ ଶିଷ୍ୟଙ୍କ ମାଧ୍ୟମରେ । କିଏ କୁହେ ସେ ଜନ୍ମରୁ ଅନ୍ଧ ଥିଲେ।

bishnupada_sethiଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମ ଗ୍ରହଣ କରି, ବାଲ୍ୟ କାଳରୁ ଅନାଥ ଭାବେ ବହୁ କଷ୍ଟରେ ମୂଲ ଲାଗି ଗାଈ ଚରାଇ ପେଟ ପୋଷୁଥିଲେ। ଜୀବନ ଯନ୍ତ୍ରଣାରେ ଜର୍ଜରିତ ଭୀମଭୋଇ ତାଙ୍କର ଦୁଃଖ ବର୍ଣ୍ଣନା କରିଛନ୍ତି ତାଙ୍କର ଲେଖା ମାଧ୍ୟମରେ ।

ଏହା ସମସ୍ତଙ୍କୁ ବିସ୍ମିତ କରେ ଯେ ଏତେ ପାଣ୍ଡିତ୍ୟ ସେ କେଉଁଠୁ ପାଇଲେ। ସେ କେଉଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ? ତାଙ୍କ ରଚନା ସବୁରେ ଯେଉଁ ଗୁଢତତ୍ତ୍ଵ ଏବଂ ବିରଳ ଶିକ୍ଷା ଲିପିବଦ୍ଧ ହୋଇଛି ସେ ସବୁ ବିନା ଅଧ୍ୟୟନରେ ବୁଝିବା ସମ୍ଭବ ନୁହେଁ।

ବିନା ପାଠପଢାରେ ସେ ଯେଉଁ ଜ୍ଞାନାଲୋକରେ ଉଦ୍ଦଭାସିତ ହେଉଥିଲେ, ତାର ସତ୍ତା ଜାଣିବାକୁ ହେଲେ ତାଙ୍କର କୃତିରାଜିକୁ ଅଧ୍ୟୟନ କରିବା ଜରୁରି। ଏହାଛଡା ଅନ୍ୟ କୌଣସି ସୂତ୍ର ନାହିଁ। ସେ ‘ସ୍ତୁତି ଚିନ୍ତାମଣି’ ରେ ଲେଖିଛନ୍ତି-

“ପିତାମାତା ଦୁଇ ଯୁଗଳରେ
ଯାଇ ଅବନୀରେ କଲେ ଜାତ
ପୂର୍ବକାଳ ଘୋର ତପସ୍ୟା ପୂର୍ଣ୍ଣରୁ
ହୋଇଲି କବି ପଣ୍ଡିତ।
ଜନନୀ ଉଦର ଗୋପ ମଧୁପୁର
ପାଶୋର ନ ଯାଏ ଚିତ୍ତୁ
ମାତୃ ଗର୍ଭଗତେ ପାଠ ପଢିଥିଲି
ଟିକେ ଟିକେ ଅଛି ହେତୁ।”
(ଦ୍ଵାବିଂଶ ବୋଲି -ପଦ ୧୮-
୧୯) ପୁନଶ୍ଚ-
ପିତା ଅଟନ୍ତି ମୋ ଅନାଦି ଠାକୁର,
ମାତା ଆଦି ଶକ୍ତି ନାରୀ।
ଦୂତୀ ଯୁଗଳରୁ ଜନମ ଲଭିଛି ,
କବିକୃତ କଳା ଧରି।”
(ତ୍ରିଂଶବୋଲି -ପ୍ରଥମ ପଦ)

ଭୀମଭୋଇ ଥିଲେ ଗୋଟାପଣେ ସତ୍ୟସନ୍ଧ। ସେ ବାରମ୍ବାର ଘୋଷଣା କରିଛନ୍ତି ଯେ ଯେଉଁଠି ସତ୍ୟ ନାହିଁ ସେହିଠାରେ ପ୍ରଭୁ ମଧ୍ୟ ନାହାନ୍ତି । ତାଙ୍କ ଅଧ୍ୟୟନ ଏବଂ ପ୍ରତିଭାର ସ୍ରୋତ ସମ୍ବନ୍ଧରେ ସେ ତିନୋଟି ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଥମରେ ସେ କହିଛନ୍ତି ଯେ ସେ ମାତୃଗର୍ଭରେ ଥିଲା ସମୟରେ କିଛି କିଛି ପାଠ ପଢିଛନ୍ତି। ଏହି ଦିବ୍ୟାତ୍ମାଙ୍କ ଏତାଦୃଶ ଉକ୍ତିରେ ବିସ୍ମିତ ହେବାର ନହିଁ। ମହାଭାରତରେ ମଧ୍ୟ ବର୍ଣ୍ଣନା ଅଛି ଯେ ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ଚକ୍ରବ୍ୟୂହର ଭେଦ ଜାଣିଥିଲେ।

ଦ୍ଵିତୀୟ କଥା ହେଲା, ପୂର୍ବ ଜନ୍ମର ତପସ୍ୟା ଫଳରେ ତାଙ୍କୁ କବିତ୍ଵପ୍ରାପ୍ତ ହୋଇଛି ଏବଂ ସେ ମାତୃଗର୍ଭରୁ କବିତ୍ଵ କଳା ଗ୍ରହଣ କରି ଜନ୍ମଲାଭ କରିଛନ୍ତି। ତୃତୀଯରେ ଭୀମଭୋଇ ଆଉ ଏକ ମାଧ୍ୟମରୁ ଶିକ୍ଷା ଲାଭ କରିଥିବାର ପ୍ରକାଶ କରିଛନ୍ତି, ଯାହା ହେଉଛି ‘ଅନୁଭବ’। ସ୍ଵୀୟ ରଚନାରେ ସେ ଲେଖିଛନ୍ତି- “ଅନୁଭବରେ ଜ୍ଞାନ ଭେଦ, ସଋ ନୁହଇ ଚାରିବେଦ”। (ନିର୍ବେଦ ସାଧନା)

ଜ୍ଞାନ ନୁହେଁ, ବୁଦ୍ଧି ନୁହେଁ, କଲ୍ପନା ନୁହେଁ, ଅନଭବ ହିଁ ଧର୍ମ ଜ୍ଞାନର ଏକ ମାତ୍ର କଷଟି। ଧର୍ମ ଏବଂ ଦର୍ଶନ କ୍ଷେତ୍ରରେ ଏହା ସମସ୍ତ ଦିଗରୁ ସ୍ଵୀକୃତ। ଏହି ତତ୍ତ୍ଵକୁ ଭୀମଭୋଇ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରି ଈଶ୍ଵରୀୟ ସିଦ୍ଧିପ୍ରାପ୍ତ ହୋଇଥିଲେ, ଯାହାକି କେବଳ ତାଙ୍କ ସଦୃଶ ଯୁଗପୁରୁଷଙ୍କ ଠାରେ ସମ୍ଭବ।

କମିଶନର ତଥା ଶାସନ ସଚିବ,
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ,
ଓଡିଶା ସରକାର

1 Comment

  • ଲେଖାଟି ହ୍ରୁଦୟସ୍ପର୍ଶୀ ହୋଇଛି | ମହିମା ଧର୍ମ ଓଡିଶା କାହିଁକି ସାରା ବିଶ୍ବ କୁ ଯେଉଁ ବାର୍ତା ଦେଇଛି ତାହାର ପ୍ରଚାରପ୍ରସାର ବହୁତ ଅବଶ୍ୟକ | ସନ୍ଥ ଭୀମଭୋଇ ଙ୍କ ପରି ଜଣେ ମହାନ କବି କୌଣସି ବିଶ୍ୱବିଦ୍ୟାଳୟ ରୁ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ତାଙ୍କ ରଚିତ ଗୀତ କବିତା ବିଶ୍ଵ ବିଦିତ ହୋଇପାରିଛି କାରଣ ସେ ସବୁବେଳେ ନିଜ ଜୀବନର ଅନୁଭବକୁ ଏକ ବଳିଷ୍ଟ ଜ୍ଞାନର ଆଖ୍ୟା ଦେଉଥିଲେ | ତେଣୁତ ସେ ଓଡିଶାର ଜଗନ୍ନାଥ ସଂସ୍କୃତିକୁ ଆଙ୍ଗୁଳି ନିର୍ଦେଶ କରିପାରିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.