Site icon Odisha.com

ସାମ୍ବାଦିକ ଅରୁଣ କୁମାର ପଣ୍ଡା ପାଇବେ ନାରଦ ସମ୍ମାନ

ଭୁବନେଶ୍ୱର, ଏପ୍ରିଲ ୪ (ଓଡିଶା ଡଟ କମ) ଯାବତୀୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଭାରତୀୟ ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ଅବିଚଳିତ ନିଷ୍ଠାର ଏକ ଯଶସ୍ୱୀ ପ୍ରତିଭାର ପରିଚିତ ପ୍ରଦାନ କରିଥିବାରୁ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭଲେଖକ ଶ୍ରୀ ଅରୁଣ କୁମାର ପଣ୍ଡାଙ୍କୁ ବିଶ୍ଵ ସଂବାଦ କେନ୍ଦ୍ର ‘ନାରଦ ସମ୍ମାନ-୨୦୧୫’ ପାଇଁ ମନୋନୀତ କରିଛି ।

ତାଙ୍କୁ ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ମଇ ଛଅ ବୁଧବାର ଦିନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ସଂଧ୍ୟା ୬.୩୦ ମିନିଟ୍ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ‘ତ୍ରୟୋଦଶ ନାରଦ ସମ୍ମାନ’ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ନିରଞ୍ଜନ ନାୟକ ପ୍ରକାଶ କରିଛନ୍ତି । ପଣ୍ଡା ବହୁ ବର୍ଷ ଧରି ରାଜ୍ୟର ପ୍ରମୁଖ ଓଡିଆ ସଂବାଦପତ୍ର ସମାଜର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି ।

ଏହି ଉତ୍ସବରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ,ଓଡିଶାର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ଓ ଗବେଷକ ଶ୍ରୀ ହର ପ୍ରସାଦ ଦାସ ମୁଖ୍ୟ ଅତିଥି ଏବଂ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର ମୁଖ୍ୟବକ୍ତାରୂପେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ,ଭଗବାନ ନାୟକବର୍ମା,ରାଜାରାମ ଶତପଥି,ଗୋପାଳକୃଷ୍ଣ ମହାପାତ୍ର,ସ୍ୱର୍ଗତ ଗୋପାଳ ମିଶ୍ର,ସୁଧିର କୁମାର ଦାଶ,ବରେନ୍ଦ୍ରକୃଷ୍ଣ ଧଳ,ଭାଗିରଥି ମହାସୁଆର,ଭାସ୍କର ପରିଚ୍ଛା ,ପ୍ରଭୂ କଲ୍ୟାଣ ମହାପାତ୍ର , ପ୍ରତାପ ମହାନ୍ତି ଓ ଜଗବନ୍ଧୁ ମିଶ୍ର ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

ଓଡିଶା ଡଟ କମ

Exit mobile version