Site icon Odisha.com

ଆନ୍ଦୋଳନ ପ୍ରତ୍ୟାହାର ପରେ ତାଳଚେର ଖଣି କାର୍ଯ୍ୟ ସ୍ଵାଭାବିକ

ଓଡିଶା ଡଟ କମ ସଂବାଦ ଦାତା

ଅନୁଗୁଳ, ମଇ ୭ (ଓଡିଶା ଡଟ କମ) ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥାନୀୟ ଲୋକ ଆନ୍ଦୋଳନ ପ୍ରତ୍ୟାହାର କରିବାରୁ ମହାନଦୀ କୋଲ ଫିଲଡସ ଲିମିଟେଡ (ଏମସିଏଲ )ର ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ବୁଧବାର ଠାରୁ ବନ୍ଦ ଥିବା ସବୁ କୋଇଲା ଖଣିରେ ଗୁରୁବାର ଅପରାହ୍ନରୁ କାର୍ଯ୍ୟ ସ୍ଵାଭାବିକ ହୋଇଛି ।

କମ୍ପାନୀରେ ଚାକିରି ଦାବିକରି ଭାଲୁଗାଡିଆ ଗାଁର ବାସିନ୍ଦା ତିନି ସପ୍ତାହରୁ ଉର୍ଦ୍ଧ୍ଵ ଧରି କରିଥିବା ରାସ୍ତା ଅବରୋଧକୁ ସମର୍ଥନ କରି ସ୍ଥାନୀୟ ଲୋକେ କୋଇଲା ଖଣି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡକରା ଦେଇଥିଲେ ।

କମ୍ପାନୀ କତ୍ତୃପକ୍ଷ, ଆନ୍ଦୋଳନ କଋ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ମଧ୍ୟରେ ଘଣ୍ଟା ବ୍ୟାପୀ ଆଲୋଚନା ପରେ ସମାଧାନର ରାସ୍ତା ବାହାରିଥିଲା । କମ୍ପାନୀ ଆସନ୍ତା ଏକ ମାସ ମଧ୍ୟରେ ଭାଲୁଗାଡିଆ ଗାଁର ୬୨ ପରିବାରର ଜଣକୁ ଲେଖା ଚାକିରି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲେ ।

ପ୍ରାପ୍ତ ସୂଚନା ଅନୁସାରେ ହିଙ୍ଗୁଳା ଅଞ୍ଚଳରେ ଥିବା ଭାଲୁଗାଡିଆ ଗାଁର ୧୨୮ ହେକ୍ଟର ଜମି ଏମସିଏଲ ପୂର୍ବରୁ ଅଧିଗ୍ରହଣ କରିଥିଲା । ତେବେ ୨୦୦୫ରେ ଏହି ଜମିକୁ ସରକାର ଉତ୍କଳ କୋଲ ବ୍ଲକ ଅଧିନକୁ ନେଇଆସି ବିଭିନ୍ନ କମ୍ପାନୀ ମାନଙ୍କୁ ନେଇ ଗଠିତ ଏକ ଯୌଥ ଉଦ୍ୟୋଗକୁ ଆବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆବଣ୍ଟନକୁ ରଦ୍ଦ କରିଦିଆ ଯାଇଥିଲା ।

ଏମସିଏଲ ତାଙ୍କ ଜମି ଅଧିଗ୍ରହଣ କରିଥିବାରୁ ତାଙ୍କୁ ଚାକିରି ଦେଉ ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ, ଜମି ଆଇନତଃ ଏମସିଏଲ ହାତରେ ନ ଥିବାରୁ ଚାକିରି ଦେଇହେବ ନାହିଁ ବୋଲି ଏମସିଏଲ କତ୍ତୃପକ୍ଷ ଯୁକ୍ତି ବାଢି ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକାରଣ ମାଗିଥିଲେ ।

ଓଡିଶା ଡଟ କମ

Exit mobile version