Site icon Odisha.com

ବୁର୍ଲା ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮ (ଓଡିଶା ଡଟ କମ) ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସପିଟାଲରେ ଗତମାସରେ ତିନି ଜଣ ପ୍ରସୂତିଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆରସି) ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମାସ ୧୦ ତାରିଖରେ ତିନି ଜଣ ପ୍ରସୂତିଙ୍କ ସିଜରିଆନ୍ ପରେ ମୃତ୍ୟୁ ଘଟିଥିଲା । ସେମାନେ ହେଲେ ଝାରସୁଗୁଡା ଜିଲ୍ଲାର ସୁଲୋଚନା ପ୍ରଧାନ (୨୮), ବରଗଡ ଜିଲ୍ଲାର କଳ୍ପନା ମହାକୁଡ(୨୭) ଓ କସ୍ତୁରୀ ସେଠ୍ (୨୫) । ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅବହେଳାରୁ ଏମିତି ହେଲା ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ଦାୟର କରିଥିଲେ । ବୁର୍ଲା ହସ୍ପିଟାଲକୁ ବଦଳି ହୋଇଥିବା ଡାକ୍ତରମାନେ ପ୍ରାୟତଃ ଡାକ୍ତରଖାନାକୁ ଆସୁନଥିବା ସେ ଅଭିଯୋଗ କରିଥିଲେ ।

ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀମାନେ ଠିକ୍ ଚିକିତ୍ସା ସେବା ପାଇ ପାରୁନାହାନ୍ତି । ଡାକ୍ତରଖାନାକୁ ଯୋଗାଣ ହେଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ୱୀକାର କରିଥିବାରୁ ଏହା ପଛରେ ଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ ।

କମିଶନ ଏହାକୁ ଅତି ଗୁରୁତର ସହ ବିଚାର କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଥିବା ଅଖଣ୍ଡ କହିଛନ୍ତି ।

ଓଡିଶା ଡଟ କମ

Exit mobile version