Site icon Odisha.com

ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କ ଇସ୍ରୋ ପରିଦର୍ଶନ ଯାତ୍ରା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮(ଓଡିଶା ଡଟ କମ) ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ’ (ୟାଟସ୍) ୨୦୧୪-୧୫ ବର୍ଷର ଶ୍ରେଷ୍ଠ ୨୦ ଜଣ ଯୁବ ବିଜେତାଙ୍କ ୭ ଦିନିଆ ଅହମଦାବାଦ୍ ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥାନ (ଏସ୍ଏସି) ପରିଦର୍ଶନ ଯାତ୍ରାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଭୁବନେଶ୍ୱରଠାରେ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି ।

ରାଜ୍ୟ ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପତି ଯୁବ ଛାତ୍ରଛାତ୍ରୀଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଗସ୍ତ ସମୟରେ ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଛନ୍ତି ।

ଅନ୍ତରୀକ୍ଷ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନର କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ଓ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ତଥା ସେମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ୨୦୦୭ ମସିହାରୁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରିଆସୁଛି ।

ଓଡ଼ିଶାର ଯୁବ ବୈଜ୍ଞାନିକ ପ୍ରତିଭାଙ୍କୁ ଆନ୍ତର୍ଜାତୀୟ ସ୍ତରର ମଂଚ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଅଷ୍ଟମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବହୁସ୍ତରୀୟ ପ୍ରତିଯୋଗତା ପରେ ପ୍ରତ୍ୟେକ ବର୍ଷ ୨୦ ଜଣ ବିଜେତାଙ୍କୁ ଚୟନ କରାଯାଇ ଇସ୍ରୋର ବିଭିନ୍ନ କେନ୍ଦ୍ରକୁ ପରିଦର୍ଶନ ଯାତ୍ରା ନିମନ୍ତେ ପ୍ରେରଣ କରାଯାଉଛି ।

ଏହି ଯୁବ ଛାତ୍ରଛାତ୍ରୀମାନଙ୍କୁ ଏଥର ଅହମଦାବାଦ୍ ଗସ୍ତରେ ପ୍ରସିଦ୍ଧ ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥା (ଏସ୍ଏସି) ବ୍ୟତୀତ ସାଇନ୍ସ ସିଟି ପରିଦର୍ଶନ କରିବା ସହିତ ଉଭୟ ସ୍ଥାନରେ ବରିଷ୍ଠ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ ।

ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ସି.ଜେ ବେଣୁଗୋପାଳ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଶ୍ରୀ ୱିଲିୟମ୍ ବିଲୁଙ୍ଗ୍, ଉପ-ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଂଟ ଶ୍ରୀ ଅରୁଣ ମିଶ୍ର ଓ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଛାତ୍ରଛାତ୍ରୀଙ୍କୁ ତାଙ୍କୁ ଗସ୍ତ ପାଇଁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ମିଶ୍ର ତାଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ନିଜ ଓ ଦେଶର ସମ୍ମାନ ବଢାଇବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନ ଯଥା କନ୍ଧମାଳ, ଜୟପୁର, କେନ୍ଦୁଝର ଓ ଝାରସୁଗୁଡ଼ାରୁ ଚୟନ ହୋଇଥିବା ୧୫ ଜଣ ବାଳକ ଓ ୫ଜଣ ବାଳିକାଙ୍କ ସମେତ ତାଙ୍କ ଗାଇଡ୍ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଟାଟା ଷ୍ଟିଲର ଜଣେ ଅଧିକାରୀ ପଠାଣି ସାମନ୍ତ ପ୍ଲାନେଟାୟିମ୍ ଉପ ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ନେତୃତ୍ୱରେ ୯ରୁ ୧୫ ମଇ ମଧ୍ୟରେ ଅହମଦାବାଦ୍ କୁ ସପ୍ତାହେ ପାଇଁ ପରିଦର୍ଶନ ଯାତ୍ରା ନିମନ୍ତେ ଯାଉଛନ୍ତି ।

ଓଡ଼ିଶାର ୮ଟି ଜୋନ୍ ଯଥା ବେଲପାହାଡ, କେନ୍ଦୁଝର, ବାଲେଶ୍ୱର, ଯୋଡ଼ା, ଯାଜପୁର, ଭୁବନେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରାୟ ୮୦୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ଜଣଙ୍କୁ ଚୟନ କରାଯାଇଥିଲା ।

ଦୀର୍ଘ ୬ ମାସ ଧରି ଚାଲୁଥିବା ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ଡିସେମ୍ବର ୧୩ ତାରିଖରେ ପଠାଣି ସାମନ୍ତଙ୍କ ଜନ୍ମଦିନ ଅବସରରେ ସମ୍ମାନିତ କରାଯାଇଥାଏ । ଏ ବର୍ଷ ୨୦ଜଣଙ୍କୁ ‘ମୋ ଦୃଷ୍ଟିରେ ମହାକାଶକୁ ମାନବର ଅଭିଯାନ’ ଉପରେ ତାଙ୍କ ମଡେଲ ପ୍ରଦର୍ଶନ ଅଧାରରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇଥିଲା ।

ଓଡିଶା ଡଟ କମ

Exit mobile version