Site icon Odisha.com

ନବକଳେବର ଊପରେ ପ୍ରାମାଣିକ ଚିତ୍ର ‘ଦେବତା ହୋଇଲେ ମରଇ’ (ଭିଡିଓ )

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୯ (ଓଡିଶା ଡଟ କମ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଊପରେ ଆଧାରିତ ପ୍ରାମାଣିକ ଚଳଚିତ୍ର “ଦେବତା ହୋଇଲେ ମରଇ”ର ନିକଟରେ ଲୋକାର୍ପଣ ହୋଇଯାଇଛି । ନବକଳେବର ସହ ଜଡିତ ବଭିନ୍ନ ତଥ୍ୟ ତଥା ଗବେଷଣାକୁ ପାଥେୟ କରି ପ୍ରସ୍ତୁତ ଏହି ଚଳଚିତ୍ର ଜଗନ୍ନାଥଙ୍କ ଜନ୍ମମୃତ୍ୟୁର ଭାବପ୍ରବଣ ଯାତ୍ରାକୁ ସରଳ, ସାବଲୀଳ ଢଙ୍ଗରେ ଉପସ୍ଥାପନା କରିବାକୁ ପ୍ରୟାସ କରିଛି ।

ସମୟର କରାଳ କାଳିମାରେ ଶରୀର କ୍ଷଣସ୍ଥାୟୀ, ମରଣଶୀଳ ପାର୍ଥିବ ଶରୀର ପାଇଁ ମୃତ୍ୟୁ ହିଁ ଏକ ମାତ୍ର ସତ୍ୟ । ଅପୁର୍ବ ଏହି ଚିରନ୍ତନ ସତ୍ୟକୁ ମାନବ ସମାଜରେ ପ୍ରତିପାଦିତ କରିବା ପାଇଁ ଲୀଳାମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଜରାକାଳୀନ ପୁନର୍ଜନ୍ମର ଲୀଳା “ନବକଳେବର” ।

ନୂତନ ପୀଢ଼ିକୁ “ନବକଳେବର” କ’ଣ ପ୍ରଶ୍ନର ଉତ୍ତର ଦେବାପାଇଁ ଚେଷ୍ଟା କରିଛି ଏହି ଆଧ୍ୟାତ୍ମିକ ସୃଜନଶୀଳତା ସହ ପ୍ରସ୍ତୁତ ପ୍ରମାଣିକ ଚିତ୍ର । ଏହାର ଉପସ୍ଥାପନା ଶୈଳୀ ବିଶ୍ଲେଷଣାତ୍ମକ, ଗବେଷଣାମୂଳକ, ସୃଜନ ଓ ସମ୍ବେଦନଶୀଳ ଉଭୟ ସାଧାରଣ ଦର୍ଶକ ଓ ବୁଦ୍ଧିଜୀବିମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ଲାଇଟ ହାଉସ୍ ଆଶା କରିଛି ।

ସୁପରିଚିତ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିବୁଧରଞ୍ଜନଙ୍କ ଦ୍ୱାରା ଲିଖିତ ଏହି ଚଳଚିତ୍ର ସୁନ୍ଦର ସଂପାଦନା ଓ ଉନ୍ନତମାନର ଆନିମେସନ କାର୍ଯ୍ୟ ସହ ଏକ ଜାତୀୟ ସ୍ତରର ପ୍ରୟାସ । ସଂଜୟ କାନୁନଗୋ ଓ ଗୁରୁଜୀ ଶ୍ୱେତଚନ୍ଦନଙ୍କ ନିର୍ଦ୍ଦେଶନାରେ ଏହି ଚଳଚିତ୍ର ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ଭାଗରେ ନିର୍ମାଣ କରାଯାଇଛି ।

ଇଂରାଜୀ ଭାଷାର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଇଂରାଜୀ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ସହାୟତାରେ ପ୍ରସ୍ତୁତ ଏହି ଚଳଚିତ୍ରର ଦ୍ୱିତୀୟ ଭାଗଟି ଜୁଲାଇ ମାସରେ ରଥଯାତ୍ରା ଦିନ ଲୋକାର୍ପଣ ହେବାର ଯୋଜନା ରହିଛି ।

ଓଡିଶା ଡଟ କମ

Exit mobile version