Site icon Odisha.com

ଶ୍ରୀ ଜଗନ୍ନାଥଙ୍କ ଦାରୁବୃକ୍ଷରୁ ତିନି ପେଚା ଉଦ୍ଧାର

ଜଗତସିଂହପୁର: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୦ (ଓଡିଶା ଡଟ କମ) ଶନିବାର ଜଙ୍ଗଲ ଓ ପଶୁ ସମ୍ପଦ ବିଭାଗ କର୍ମଚାରୀମାନେ ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଭୂପତିତ ହେବାପରେ ବୃକ୍ଷରେ ରହିଥିବା ତିନୋଟି ଧଳା ପେଚାଙ୍କୁ ଉଦ୍ଧାର କରି ତାକୁ ନେଇ ଉଠିଥିବା ବିବାଦର ପରିସମାପ୍ତି କରିଛନ୍ତି ।

କଟକ ଡିଭିଜନାଲ ଫରେଷ୍ଟ ଅଫିସର ସୁଦର୍ଶନ ବେହେରାଙ୍କ ନେତୃତ୍ଵରେ ଷାଠିଏ ଜଣ ବନ ଓ ପଶୁସମ୍ପଦ ବିଭାଗ କର୍ମଚାରୀମାନେ ବୃକ୍ଷର ଡାଳପତ୍ର ଭିତରୁ ଦୁଇଟି ଶାବକ ସମେତ ତିନୋଟି ପେଚାଙ୍କୁ ଉଦ୍ଧାର କରି ଭୁବନେଶ୍ଵରରେ ଥିବା ନନ୍ଦନକାନନକୁ ପଠାଇଛନ୍ତି ।

ଓଡିଶା ବନ୍ୟଜନ୍ତୁ ସମାଜର ସମ୍ପାଦକ ବିଶ୍ଵଜିତ ମହାନ୍ତି ମଇ ଚାରି ତାରିଖ ଦିନ ସରକାରଙ୍କୁ ବୃକ୍ଷ ଛେଦନ ପୂର୍ବରୁ ଏହି ପେଚା ପରିବାରକୁ ଉଦ୍ଧାର କରିବା ପାଇଁ ଏକ ଚିଠି ଲେଖିବା ପରେ ରାଜ୍ୟ ବନ୍ୟ ପ୍ରାଣୀ ବିଭାଗ ଜଗତସିଂହପୁର ଜିଲ୍ଲାପାଳଙ୍କୁ ତାଙ୍କର ଉଦ୍ଧାର ପାଇଁ ଦିନ ଓ ସମୟ ନିର୍ଘଣ୍ଟ କରିବାପାଇଁ ଲେଖିଥିଲେ ।

ବୃକ୍ଷକୁ ନ ଚଢି ପେଚା ମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଥିବାରୁ ବନ୍ୟ ପ୍ରାଣୀ ବିଭାଗର ଏକ ଚାରି ଜଣିଆ ପ୍ରତିନିଧି ଦଳ ଯାନ୍ତ୍ରିକ ସିଡି, ପେଚାଙ୍କୁ ରଖିବା ପାଇଁ ଏକ ଯନ୍ତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଧରି ଦାରୁ ବୃକ୍ଷ ଥିବା ଅଞ୍ଚଳରେ ପହଞ୍ଚି ଥିଲେ ।

ତେବେ ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଥିଲା ଓ ଏହି ଅଭିଯାନ ବନ୍ଦ ରହିଥିଲା ।

ଶନିବାର ଛେଦନ ପରେ ଦାରୁ ବୃକ୍ଷ ଭୂପତିତ ହୋଇଥିଲା ଓ ଏହାପରେ ଜଙ୍ଗଲ ଓ ପଶୁ ସମ୍ପଦ ବିଭାଗ କର୍ମଚାରୀମାନେ ଏହି ପେଚା ମାନଙ୍କୁ ଦାରୁ ବୃକ୍ଷରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପେଚା ମାନଙ୍କୁ ଏକ ପଞ୍ଜୁରି ଭିତରେ ରଖି ଭୁବନେଶ୍ଵରରେ ଥିବା ନନ୍ଦନକାନନ ବନ୍ୟପ୍ରାଣୀ ଉଦ୍ୟାନ କୁ ପଠାଇ ଦିଆଯାଇଥିବା ଜଣେ ବରିଷ୍ଠ ବନ ବିଭାଗ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି।

ଓଡିଶା ଡଟ କମ

Exit mobile version