ତୃତୀୟ ନୟନ

(ତୃତୀୟ ନୟନ: ପ୍ରଶାନ୍ତ ପଟ୍ଟନାୟକ) ପ୍ରଗତି, ସନ୍ତୁଷ୍ଟି ଓ ଭିକ୍ଷା ବୃତ୍ତି

ତୃତୀୟ ନୟନ

ପ୍ରଶାନ୍ତ ପଟ୍ଟନାୟକ

ନବୀନ ସରକାର ଶାସନ କ୍ଷମତାକୁ ଆସିବା ପରଠାରୁ ବିଗତ ୧୪ ବର୍ଷ ମଧ୍ୟରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ସରକାର ଏବଂ ଶାସକ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଗଣମାଧ୍ୟମରେ ବ୍ୟୟବହୁଳ ପ୍ରଚାର ଜାରି ରହିଛି ।

Prasanta-Closeupରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ତାଙ୍କ ସରକାରଙ୍କ ଦ୍ୱାରା ଗୃହୀତ ବିଭିନ୍ନ ପଦକ୍ଷେପ ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ରାଜ୍ୟର ସର୍ବାଧିକ ଲୋକଙ୍କୁ ପ୍ରଭାବିତ କରିଛି ବୋଲି ଦାବି କରାଯିବା ସହ କିଲୋପ୍ରତି ଏକ ଟଙ୍କା ମୂଲ୍ୟରେ ଚାଉଳ ଯୋଗାଇ ସରକାର ଜନସାଧାରଣଙ୍କୁ ବିଶେଷ ଭାବରେ ଉପକୃତ କରିଥିବା ଦାବି କରାଯାଉଛି ।

ସରକାରୀ କଳ ଓ ସରକାରୀ ଦଳ ତରଫରୁ କୁହାଯାଉଛି ଯେ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ଫଳରେ ରାଜ୍ୟରେ ୩୭ ଲକ୍ଷ ବିପିଏଲ୍‍ ପରିବାର, ୧୨ ଲକ୍ଷ ୫୩ ହଜାର ଅନ୍ତ୍ୟୋଦୟ ଅନ୍ନ ଯୋଜନା ହିତାଧିକାରୀ ହୋଇଥିବା ବେଳେ ୮ଟି କେବିକେ ଜିଲ୍ଲାର ୫ ଲକ୍ଷ ୩୨ ହଜାର ଏପିଏଲ୍‍ ପରିବାର୧ ଫେବୃୟାରୀ ୨୦୧୩ ଠାରୁ କିଲୋପ୍ରତି ୧ ଟଙ୍କା ହିସାବରେ ମାସକୁ ୨୫ କେଜି ପର୍ଯ୍ୟନ୍ତ ଚାଉଳ ପାଇବା ଯୋଗୁଁ ଏହି ପରିବାରଗୁଡିକର ଖାଦ୍ୟ ନିରାପତ୍ତା ନିଶ୍ଚିତ ହୋଇଛି।

ଏହି ଯୋଜନାର ଲାଭ ପାଉଥିବା ଅନ୍ୟମାନେ ହେଲେ ଆଦିବାସୀ ଛାତ୍ରାବସାରେ ରହି ପାଠ ପଢ଼ୁଥିବା ୪ ଲକ୍ଷ ୧୫ ହଜାର ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀ, ୭୭ ହଜାର ଭିନ୍ନକ୍ଷମ, କନ୍ଧମାଳ ଦଙ୍ଗାଗ୍ରସ୍ତ ୨୪ ହଜାର ଏପିଏଲ୍‍ ପରିବାର ଏବଂ ଅଲିଭ୍‍ ରିଡ୍‍ଲେ ସଂରକ୍ଷଣ ଦ୍ୱାରା କ୍ଷତିଗ୍ରସ୍ତ ୧୦ ହଜାର ୧୩୩ ପରିବାର ।

କେବଳ ଏତିକି ନୁହେଁ ରାଜ୍ୟର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଉପକୃତ ବା ସନ୍ତୁଷ୍ଟିକରଣ କରିବା ନିମନ୍ତେ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ସେଗୁଡିକ ମଧ୍ୟରେ ଛତା, କମ୍ବଳ, ଚପଲ ବଣ୍ଟନଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ସାଇକେଲ୍‍ ଓ ଲ୍ୟାପ୍‍ଟପ୍‍ ବଣ୍ଟନ ପ୍ରଭୃତି ପଦକ୍ଷେପ ଅର୍ନ୍ତଭୂକ୍ତ ।

ସରକାରଙ୍କ ଏହି ଯୋଜନାରେ ଉପକୃତ ହେଉଥିବା ଲୋକମାନେ ନବୀନଙ୍କ ପ୍ରତି ଅକୁଣ୍ଠ କୃତଜ୍ଞତା ଜଣାଇବା ପାଇଁ ଗତ ସାଧାରଣ ନିର୍ବାଚନରେ ସରକାରୀ ଦଳର ରେକର୍ଡ ସଂଖ୍ୟକ ୧୧୭ ଜଣ ବିଧାୟକ ଏବଂ ୨୦ ଜଣ ଲୋକସଭା ସଦସ୍ୟଙ୍କୁ ନିର୍ବାଚିତ କରିଛନ୍ତି ।

ନବୀନଙ୍କର ଏହି ସନ୍ତୁଷ୍ଟିକରଣ ରାଜନୀତି ରାଜ୍ୟ ବା ଜନସାଧାରଣଙ୍କର ବାସ୍ତବ ଉନ୍ନତି କରିବା ପରିବର୍ତ୍ତେ ସେମାନଙ୍କ ମନରୁ ‘ଆତ୍ମ ନିର୍ଭରଶୀଳତା’କୁ ନିର୍ବାସିତ କରି ସେମାନଙ୍କୁ ଏକପ୍ରକାର ‘ଭିକାରୀ’ରେ ପରିଣତ କରିବା ସହ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାରେ ଲାଗି ପଡିଛି ।

ସରକାରଙ୍କ ଏଭଳି ନୀତି ସମ୍ପର୍କରେ ସରକାରୀ ଦଳ ଓ ସରକାରୀ କଳରୁ ଫାଇଦା ଉଠାଉଥିବା ରାଜନୈତିକ ବ୍ୟକ୍ତି, ଅମଲାତନ୍ତ୍ରୀ, ଗଣମାଧ୍ୟମ ଓ ତଥାକଥିତ ବୁଦ୍ଧିଜୀବୀମାନେ ପ୍ରଶଂସାରେ ଶତମୁଖ ହୋଇଉଠୁଥିବା ସ୍ଥଳେ ଏଭଳି ସନ୍ତୁଷ୍ଟିକରଣ ନୀତି ଓଡିଶାକୁ କେତେଦୂର ପ୍ରଗତି ପଥରେ ଆଗେଇ ନେବ ଏବଂ ଓଡିଆ ଜାତିର ସ୍ୱାଭିମାନକୁ କେତେଦୂର ସମୃଦ୍ଧ କରିବ ସେ ସମ୍ପର୍କରେ ଉଚିତ୍‍ ମୂଲ୍ୟାୟନ କରିବା ଦିଗରେ କୌଣସି ରାଜନୈତିଜ୍ଞ, ଅର୍ଥନୈତିଜ୍ଞ, ସମାଜନୀତିଜ୍ଞ ଚିନ୍ତା କରୁଥିବା ଭଳି ମନେ ହେଉନାହିଁ ।

ବିରୋଧୀ ରାଜନୈତିକ ଦଳମାନେ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ପଦକ୍ଷେପକୁ ‘ମୃଦୁ ବିରୋଧ’ କରୁଥିଲେ ମଧ୍ୟ ଏ ସମ୍ପର୍କରେ ଯେଭଳି ଭାବରେ ଜନସେଚତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯିବା କଥା ତାହା କରୁନାହାନ୍ତି ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଚିତ ରାଜ୍ୟ ଏବଂ ଜାତୀୟସ୍ତରର ଗଣମାଧ୍ୟମଗୁଡିକ ନବୀନ ସରକାରଙ୍କ ପଦକ୍ଷେପର ଉଚିତ୍‍ ମୂଲ୍ୟାୟନ କରିବା ଦିଗରେ ପଦକ୍ଷେପ ନେବା ସହ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ସେମାନେ ମଧ୍ୟ ‘ବିଜ୍ଞାପନ’ ଓ ଅନ୍ୟାନ୍ୟ ଅନୁକମ୍ପା ବଳରେ ସନ୍ତୁଷ୍ଟ ହୋଇ କେବଳ ନିରବ ରହୁନାହାନ୍ତି ନବୀନଙ୍କ ପଦକ୍ଷେପର ଭୂୟସୀ ପ୍ରଶଂସା କରି ତାଙ୍କୁ ଉତ୍ସାହିତ କରି ଚାଲିଛନ୍ତି ।

ସବୁ ବର୍ଗର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବୀନ ସରକାର ଯେଉଁ ଭଳି ପଦକ୍ଷେପ ନେଉଛନ୍ତି ତାହା ଫଳରେ ଓଡିଶାର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିବା ସହ ଓଡିଶାର ଜନସାଧାରଣଙ୍କର ଆର୍ଥିକ ଓ ନୈତିକ ମେରୁଦଣ୍ଡ ମଧ୍ୟ ଦୁର୍ବଳ ହେବାରେ ଲାଗିଛି ଏଥିରେ ସଂଦେହ ନାହିଁ ।

କାରଣ କେବଳ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ଚାଉଳକୁ ବାଦ୍‍ ଦେଲେ ଅନ୍ୟାନ୍ୟ ସମସ୍ତ ସନ୍ତୁଷ୍ଟିକରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ବୟସ୍କ ଏବଂ ଅସହାୟ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ହଜାର ହଜାର କୋଟି ଟଙ୍କା ମୂଲ୍ୟର ପଦାର୍ଥଗୁଡିକ ମଧ୍ୟରୁ ଗୋଟିଏ ହେଲେ ପଦାର୍ଥ ଓଡିଶାରେ ଉତ୍ପାଦିତ ହେଉନାହିଁ ।

ଅଧିକାଂଶ ପଦାର୍ଥ ଅନ୍ୟାନ୍ୟ ପ୍ରଦେଶରୁ ଆମଦାନୀ କରାଯାଉଥିବାହେତୁ ଏ ସବୁର ଦାୟିତ୍ୱରେ ଥିବା ଅମଲାତନ୍ତ୍ରୀ ଓ ରାଜନେତାମାନେ ଏଥିରୁ ପ୍ରଭୃତ ଆର୍ଥିକ ଫାଇଦା ଉଠାଇବା ଅଭିଯୋଗ ହେଉଛି । ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଇ ଦିଆଯାଉଥିବା ନିମ୍ନମାନର ଡାଲି କାରବାରରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ବିଷୟ ପଦାରେ ପଡିବା ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ମଧ୍ୟ ଏହି ଦୁର୍ନୀତିରେ କୌଣସି ଅମଲାତନ୍ତ୍ରୀ ଏବଂ ଅସାଧୁ ବ୍ୟବସାୟୀ ଅଦ୍ୟାବଧି ଦଣ୍ଡିତ ହୋଇଥିବା ବିଷୟ କାହାରିକୁ ଜଣାନାହିଁ ।

ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକଗୁଡିକ ନିମନ୍ତେ ବ୍ୟବହୃତ କନା ଓଡିଶାରେ ଉତ୍ପାଦିତ ନହୋଇ ବାହାରୁ ଆମଦାନୀ ହେଉଥିବା ବିଷୟ କାହାରିକୁ ଅଜଣା ନାହିଁ ।

ଶ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଏସିଆର ଅନ୍ୟତମ ସୁନାମଧନ୍ୟ ଲୁଗା କାରଖାନା ବନ୍ଦ ହୋଇପଡିଥିବା ଏବଂ ରାଜ୍ୟରେ ଆଉ କୌଣସି ଲୁଗା କାରଖାନା ନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ଶହ ଶହ କୋଟି ଟଙ୍କା ମୂଲ୍ୟର ପୋଷାକ କିଣାରୁ ଅଣଓଡିଆ ଶିଳ୍ପପତି ଓ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି କେବଳ ।

ଅପରପକ୍ଷରେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ହସ୍ତତନ୍ତ ବୁଣାକାର କଞ୍ଚାମାଲ, ଭିତ୍ତିଭୂମି ଏବଂ ବିକ୍ରି କରିବା ନିମନ୍ତେ ଆବଶ୍ୟକୀୟ ସୁଯୋଗରୁ ବଞ୍ଚିତ ହୋଇ ଅନାହାର ଓ ଅର୍ଦ୍ଧାହାରରେ କାଳାତିପାତ କରୁଥିବା ସମ୍ପର୍କରେ ସରକାର ଅବଗତ ଥିଲେ ମଧ୍ୟ ଏହି ପରିସ୍ଥିତିକୁ ସୁଧାରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।

ଯଦି ସରକାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ହସ୍ତତନ୍ତ ପ୍ରସ୍ତୁତ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଥାନ୍ତେ ତେବେ ରାଜ୍ୟର ହସ୍ତତନ୍ତ ଶିଳ୍ପ ସମୃଦ୍ଧ ହେବା ସହ ନିଜ ରାଜ୍ୟ ତିଆରି କନାରେ ପୋଷାକ ପିନ୍ଧୁଥିବାରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାଭିମାନ ବୃଦ୍ଧି ପାଇଥାନ୍ତା ।

ଠିକ୍‍ ସେହିଭଳି ଅଙ୍ଗନବାଡି ଠାରୁ ଆରମ୍ଭ କରି ଶିକ୍ଷାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଶିକ୍ଷୟତ୍ରୀମାନଙ୍କ ପାଇଁ ଓଡିଶା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ି ପିନ୍ଧିବା ଯଦି ବାଧ୍ୟତାମୂଳକ କରାଯାଇଥାନ୍ତା ତେବେ ଓଡିଶାରେ ବୟନଶିଳ୍ପ ସମୃଦ୍ଧ ହେବା ସହ ଲକ୍ଷ ଲକ୍ଷ ବୁଣାକାର ଆତ୍ମନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଥାନ୍ତା ଯାହାକି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ରାଜ୍ୟର ଅର୍ଥନୀତିକୁ କେତେକାଂଶରେ ସମୃଦ୍ଧ କରିପାରିଥାନ୍ତା ।

ସେଇଭଳି ଛାତ୍ରଛାତୀମାନଙ୍କୁ ଯୋଗାଇ ଦେଉଥିବା ସାଇକେଲ୍‍ ଠାରୁ ଆରମ୍ଭ କରି ଲ୍ୟାପ୍‍ଟପ୍‍ ପର୍ଯ୍ୟନ୍ତ ସାମଗ୍ରୀଗୁଡିକ ମଧ୍ୟରୁ ଗୋଟିଏ ହେଲେ ଓଡିଶାରେ ଉତ୍ପାଦିତ ହେଉନାହିଁ ଏବଂ ପ୍ରତିଟି ସାମଗ୍ରୀ ଅନ୍ୟାନ୍ୟ ପ୍ରଦେଶରୁ ଆମଦାନୀ କରାଯାଇ ବାହାରର ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ପୃଷ୍ଠପୋଷକତା କରାଯାଉଛି ।

ତାହା କରାନଯାଇ ଯଦି କେବଳ ଓଡିଶାରେ ଉତ୍ପାଦିତ ସାମଗ୍ରୀମାନ ସରକାରଙ୍କ ଦ୍ୱାରା ଉପକୃତ ହେଉଥିବା ବ୍ୟକ୍ତିମାନଙ୍କୁ ବଣ୍ଟନ କରାଯିବା ଲାଗି ମୁଖ୍ୟମନ୍ତ୍ରୀ ନୀତିଗତ ଭାବରେ ନିଷ୍ପତ୍ତି ନେଇଥାନ୍ତେ ତେବେ ବିଗତ ୧୪ ବର୍ଷ ମଧ୍ୟରେ ଓଡିଶାରେ ଏକାଧିକ ସାଇକେଲ୍‍ କାରଖାନା, ପୋଷାକ କାରଖାନା, ଛତା, ଯୋତା ଓ ଅନ୍ୟାନ୍ୟ କାରଖାନା ପ୍ରତିଷ୍ଠିତ ହୋଇ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଥାନ୍ତା ।

ଏ ବାବଦରେ ବାହାରକୁ ଯାଉଥିବା ହଜାର ହଜାର କୋଟି ଟଙ୍କା ରାଜ୍ୟରେ ବିନିଯୋଗ ହୋଇ ଜନସାଧାରଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହୋଇଥାନ୍ତା ନିଶ୍ଚୟ । ଏ ପ୍ରସଙ୍ଗରେ ଗୋଟିଏ ଉଦାହରଣ ଦେବା ଆଦୌ ଅପ୍ରସିଙ୍ଗକ ହେବନାହିଁ ।

ତାମିଲ୍‍ନାଡୁର ମୁଖ୍ୟମନ୍ତ୍ରୀ ସୁଶ୍ରୀ ଜୟଲଳିତା ତାଙ୍କ ରାଜ୍ୟର ଭୋଟ୍‍ଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ ବହୁ ପ୍ରକାର ସନ୍ତୁଷ୍ଟିକରଣ ପଦକ୍ଷେପ ନେଉଥିବା କାହାରିକୁ ଅଛପା ନାହିଁ । ମହିଳାମାନଙ୍କ ପାଇଁ ମିକ୍ସର୍‍ ଗ୍ରାଇଣ୍ଡର୍‍ ଠାରୁ ଆରମ୍ଭ କରି ଅବିବାହିତାମାନଙ୍କୁ ବିବାହ ସମୟରେ ‘ମଙ୍ଗଳସୂତ୍ର’ ଦେବା ଲାଗି ତାଙ୍କ ସରକାର ପଦକ୍ଷେପ ନେଉଛି ।

ମାତ୍ର ସୁଶ୍ରୀ ଜୟଲଳିତା କଠୋର ଭାବରେ ନିୟମ କରିଛନ୍ତି ଯେ କେବଳ ରାଜ୍ୟରେ ଉତ୍ପାଦିତ ମିକ୍ସର ଗ୍ରାଇଣ୍ଡର୍‍ ଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରପାତି ହିଁ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯିବ । ଫଳରେ ତାମିଲ୍‍ନାଡୁରେ ହିଁ ଅନେକଗୁଡିଏ ଶିଳ୍ପାନୁଷ୍ଠାନ ସେହି ସବୁ ଯନ୍ତ୍ରପାତି ଉତ୍ପାଦନ କରି ବହୁ ସଂଖ୍ୟକ ବେକାରଙ୍କୁ ନିଯୁକ୍ତି ଦେବାର ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ।

ଦୁଃଖର କଥା ଯେ ରାଜ୍ୟରେ ସର୍ବାଧିକ ବିଦେଶୀ ପୁଞ୍ଜି ବିନିଯୋଗ କରି ଜଗତ୍‍ସିଂହପୁର ଜିଲ୍ଲାର ଢ଼ିଙ୍କିଆ ଠାରେ ଦକ୍ଷିଣ କୋରିଆର ‘ପସ୍କୋ’ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ହଜାର ହଜାର ଏକର ଚାଷ ଜମି, ଜନବସତି, ଜଙ୍ଗଲ ଜମି ଅଧିଗ୍ରହଣ ଲାଗି ଦୀର୍ଘ ୧୦ ବର୍ଷ ଧରି ଉଦ୍ୟମ କରି ସଫଳ ହୋଇପାରିନଥିବା ସ୍ଥଳେ ଏ ବାବଦରେ ସରକାରଙ୍କର ଯେତିକି ଅର୍ଥ, ସମୟ ଓ ଜନବଳର ଅପଚୟ ଘଟିଛି ତା’ଠାରୁ ଯଥେଷ୍ଟକମ୍‍ ସମୟ ମଧ୍ୟରେ ରାଜ୍ୟରେ ଅଧିକ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଥାନ୍ତା ଏବଂ ରାଜ୍ୟ ତଥା ଦେଶର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ ପୂର୍ବଭଳି ଅକ୍ଷତ ଅବସ୍ଥାରେ ରହିପାରିଥାନ୍ତା ।

ଏଥିପାଇଁ କୌଣସି ହିଂସାକାଣ୍ଡ ବା ପ୍ରାଣପାତର ଅବକାଶ ଆଦୌ ନଥାନ୍ତା । ରାଜ୍ୟରେ ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟ ବା ଅପବ୍ୟୟ କରି ନବୀନ ସରକାର ବହୁ ପଦକ୍ଷେପ ନେବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ସମସ୍ତଙ୍କ ପାଇଁ ବାସଗୃହ ଯୋଗାଇ ଦେବା ଦିଗରେ ଅଦ୍ୟାବଧି ସଫଳ ପଦକ୍ଷେପ ନେଇପାରିନାହାନ୍ତି ।

ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ସରକାରୀ ଡାକ୍ତରଖାନାମାନଙ୍କରେ ଶହ ଶହ ଡାକ୍ତର ଓ ସ୍ୱାସ୍ଥ୍ୟସେବାକର୍ମୀଙ୍କ ସ୍ଥାନ ବର୍ଷ ବର୍ଷ ଧରି ଖାଲି ପଡିଛି । ଦୂର୍ଗମ ଆଦିବାସୀ ଅଞ୍ଚଳର ଅବସ୍ଥା ଅଧିକ ଶୋଚନୀୟ ।

ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ହଜାର ହଜାର ସଂଖ୍ୟକ ସରକାରୀ ପଦବୀ ଖାଲି ପଡିଥିଲେ ମଧ୍ୟ ସରକାର ଠିକାରେ ନିଯୁକ୍ତି ଦେବା ସହ ସମାନ କାମ ପାଇଁ ସମାନ ପାରିଶ୍ରମିକର ବ୍ୟବସ୍ଥା ନକରି ବ୍ୟାପକ ପାତରଅନ୍ତର ନୀତି ଅବଲମ୍ବନ କରୁଥିବାରୁ କର୍ମଚାରୀ ତଥା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି ।

ସବୁଠାରୁ ଦୁଃଖର କଥା ଯେ ସରକାରୀ ଦଳ ଓ ସରକାରୀ କଳରୁ ପ୍ରଭୃତ ଫାଇଦା ଉଠାଇଥିବା ବ୍ୟକ୍ତିମାନେ ରାଜ୍ୟବାସୀଙ୍କ ସୁଖ ସୁବିଧା ଓ ଉନ୍ନତି ଲାଗି ଚିନ୍ତିତ ବା ଚେଷ୍ଟିତ ହେବା ପରିବର୍ତ୍ତେ ବ୍ୟକ୍ତିଗତ ଅଥବା ଗୋଷ୍ଠୀଗତ ସୁବିଧା ଲାଗି ଅଧିକ ତତ୍ପରତା ପ୍ରକାଶ କରୁଥିବାରୁ ସମସ୍ତ ସମ୍ପଦ ସତ୍ତ୍ୱେ ମଧ୍ୟ ଓଡିଶା ଏକ ପଛୁଆ ରାଜ୍ୟ ହୋଇପଡିରହିଛି ।

ରାଜ୍ୟବାସୀ ଭିକ୍ଷୁକ ମନବୃତ୍ତି ନେଇ ସରକାରଙ୍କ ପାଖରେ ଅନୁଦାନ ପାଇଁ ହାତପାତି ରହିଛନ୍ତି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ସମ୍ମାନ ସହ ବଞ୍ଚିବାର ଅଧିକାର ଦେବା ପରିବର୍ତ୍ତେ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ମୃତ୍ୟୁ ପରେ ଶବ ସଂସ୍କାର ପର୍ଯ୍ୟନ୍ତ ସବୁସ୍ତରରେ ବିଭିନ୍ନ ପ୍ରକାର ଅନୁଦାନ ଯୋଗାଇ ଦେବାର ବ୍ୟବସ୍ଥା କରିଥିବାରୁ ନବୀନ ସରକାର ଗର୍ବର ସହ ତାହା ପ୍ରଚାର କରି ଚାଲିଛନ୍ତି ଏବଂ ଓଡିଆ ଜାତି ଭିକ୍ଷା ଥାଳି ଧରି ଗର୍ବ ଅନୁଭବ କରୁଛନ୍ତି ।

ପ୍ରଶାନ୍ତ ପଟ୍ଟନାୟକ
ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧୮

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Leave a Reply

This site uses Akismet to reduce spam. Learn how your comment data is processed.