Site icon Odisha.com

ଉଦ୍ୟାନ ମିଶନରେ ଛଅ ଜିଲ୍ଲାକୁ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଓଡିଶା ଡଟ କମ ସଂବାଦ ଦାତା

ନୂଆ ଦିଲ୍ଲୀ, ମଇ ୧୨ (ଓଡିଶା ଡ଼ଟ୍ କମ୍), ବଞ୍ଚିତ ହୋଇଥିବା ରାଜ୍ୟର ଛଅଟି ଜିଲ୍ଲାକୁ ଜାତୀୟ କୃଷି ଉଦ୍ୟାନ ମିଶନ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସୋମବାର କେନ୍ଦ୍ର କୃଷିମନ୍ତ୍ରୀ ରାଧା ମୋହନ ସିଂହଙ୍କୁ ନୂଆଦିଲ୍ଲୀ ରେ ସାକ୍ଷାତ କରି ଦାବି କରିଛନ୍ତି ।

ଏହି ଜିଲ୍ଲା ଗୁଡିକ ହେଲା ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବୌଦ୍ଧ, ଓ ଝାରସୁଗୁଡା । ଅଫ ସିଜନରେ ଆଳୁ ଓ ଅନ୍ୟ ପରିପରିବା ସଂରକ୍ଷିତ କରି ରଖିବା ଉଦ୍ଦେଶ୍ୟରେ ଗୋଦାମ ଘର ତିଆରି କରିବା ପାଇଁ କେନ୍ଦ୍ରସରକାର ରାଜ୍ୟକୁ ଦେଉଥିବା ଅନୁଦାନର ପରିମାଣ ରାଶି ମଧ୍ୟ ବଢାଇବାପାଇଁ ସେ ଅନୁରୋଧ କରିଛନ୍ତି ।

କେନ୍ଦ୍ର ସରକାର କୃଷି କ୍ଷେତ୍ରର ଉନ୍ନତି ପାଇଁ ଦେଉଥିବା ଅନୁଦାନର ପରିମାଣ କମାଇଦେଇଥିବାରୁ ଏହା ଉପରେ ନିର୍ଭର କରି ଚଲୁଥିବା ରାଜ୍ୟର ସତୁରୀ ପ୍ରତିଶତ ଲୋକ ପ୍ରଭାବିତ ହେବେ ବୋଲି ଦର୍ଶାଇ ପୂର୍ବରୁ ପ୍ରଚଳିତ ଅନୁଦାନ ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ ସେ ଗୁରୁତ୍ଵ ଆରୋପ କରିଥିଲେ ।

ଜାତୀୟ ସ୍ତରରେ ହେକ୍ଟର ପିଛା ୧୨୭ କେଜି ସାର ବ୍ୟବହାର ହେଉଥିବା ବେଳେ କମ ସାର ଦିଆଯାଉଥିବାରୁ ରାଜ୍ୟରେ ମାତ୍ର ୫୭ କେଜି ସାର ହେକ୍ଟର ପିଛା ବ୍ୟବହାର ହେଉଛି । ଯାହା ଦ୍ଵାରା ଫସଲର ଉତ୍ପାଦନ ରେ ହ୍ରାସ ଘଟୁଛି । ତେଣୁ ରାଜ୍ୟକୁ ଅଧିକ ସାର ଯୋଗାଇବାସହ ଆଗାମୀ ଖରିଫ ଋତୁ ପାଇଁ ୧୦.୭୫ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇବା ପାଇଁ ସେ ଅନୁରୋଧ କରିଛନ୍ତି ।

ଓଡିଶା ଡଟ କମ

Exit mobile version