ଓଡିଶା ଡଟ୍ କମ୍ ସଂବାଦ ଦାତା
ଭୂବନେଶ୍ଵର, ମଇ ୧୩ (ଓଡିଶା ଡଟ କମ) ମତ୍ସ୍ୟ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡିଶା ମତ୍ସ୍ୟ ଚାଷ ଉନ୍ନୟନ ନିଗମ ଏକ ମର୍ଯ୍ୟାଦା ଜନକ ଅନ୍ତର୍ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ।
ମତ୍ସ୍ୟ ଚାଷର ବିକାଶ କ୍ଷେତ୍ରରେ ଦକ୍ଷ ନେତୃତ୍ଵ , ଉତ୍ତମ ଉତ୍ପାଦ ଓ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ନିଗମକୁ ଇନଟରନେସନଲ ଷ୍ଟାର ଆୱାର୍ଡ ଫର ଲିଡରସିପ ଇନ କ୍ଵାଲିଟି (ସ୍ଵର୍ଣ ପଦକ) ପାଇଁ ଚୟନ କରାଯାଇ ଥିବା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।
ଏହି ପୁରସ୍କାର ଫ୍ରାନସର ରାଜଧାନୀ ପ୍ୟାରିସରେ ଆଗାମୀ ଜୁନ ୨୭ ଓ ୨୮ରେ ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ । ପ୍ରତିବର୍ଷ ପୃଥିବୀର ବିଭିନ୍ନ ଘରୋଇ ଓ ସରକାରୀ ବ୍ୟବସାୟିକ ସଂସ୍ଥା ମାନଙ୍କ ମଧ୍ୟରୁ ଚୟନ କରାଯାଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଂସ୍ଥାକୁ ପୁରସ୍କୃତ କରା ଯାଇଥାଏ ।
ବିଶ୍ଵ ସ୍ତରୀୟ ଏକ କମିଟି କମ୍ପାନୀ ମାନଙ୍କର ସଫଳତା , ସେବା ଓ ନେତୃତ୍ଵ ଆଧାରରେ ଏହି ଚୟନ କରିଥାଏ । ଏହି ପୁରସ୍କାରର ପ୍ରାୟୋଜକ ହେଉଛନ୍ତି ସ୍ପେନରେ ଥିବା ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ଇମାର ପ୍ରେସ ।
୧୯୯୮ ମସିହାରେ ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ମତ୍ସ୍ୟ ଚାଷ ଉନ୍ନୟନ ନିଗମ ମତ୍ସ୍ୟ ଚାଷର ବିକାଶ, ଉତ୍ପାଦନ ଓ ମତ୍ସ୍ୟ ଚାଷୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇ ଆସୁଛି । ପୂର୍ବରୁ ଏହାର ଆୟର ପରିମାଣ ସୀମିତ ଥିବା ବେଳେ, ୨୦୧୪-୧୫ ଆର୍ଥିକ ବର୍ଷରେ ଏହି ସଂସ୍ଥା ଏକ ସଫଳ ବ୍ୟସାୟିକ ସଂସ୍ଥା ଭାବେ ନିଜକୁ ଛିଡା କରାଇପାରିଛି ।
ଓଡିଶା ଡଟ କମ
Leave a Reply