Site icon Odisha.com

ଅସ୍ତ୍ରୋପ୍ରଚାରର ଛଅ ମାସ ପରେ ମହିଳାଙ୍କ ପେଟରୁ କଇଁଚି ଉଦ୍ଧାର

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୪ (ଓଡିଶା ଡ଼ଟ୍ କମ୍), ଅସ୍ତ୍ରୋପଚାରର ଛଅ ମାସ ପରେ ଯନ୍ତ୍ରଣା ହେବାରୁ ଜଗତସିଂହପୁର ଜିଲ୍ଲାର ଏକ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତିହୋଇଥିବା ଜଣେ ମହିଳାଙ୍କ ପେଟରୁ ଗୋଟିଏ କଇଁଚି ବାହାରିଥିବା, ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ ଗୁରୁବାର କହିଛନ୍ତି ।

ଅସ୍ତ୍ରୋପଚାର ପରେ ସ୍ଵାମୀଙ୍କ ସହ ମିନର୍ଭା

ତିର୍ତ୍ତୋଲ ପୋଲିସ ଷ୍ଟେସନ ଅନ୍ତର୍ଗତ ବିନୋଲ ଗ୍ରାମର ୪୫ ବର୍ଷୀୟା ମିନର୍ଭା ମହାନ୍ତିଙ୍କ ଟ୍ୟୁମର ଓ ଆପ୍ପେଣ୍ଡିସାଇଟସ୍ ଅସ୍ତ୍ରୋପ୍ରଚାର ଗତ ବର୍ଷ ନଭେମ୍ବର ସାତ ତାରିଖରେ ଜଗତସିଂହପୁର ସହରର ଏକ ଘରୋଇ ଡ଼ାକ୍ତରଖାନାରେ ହୋଇଥିଲା ।

ମିନର୍ଭାଙ୍କ ସ୍ଵାମୀ ନିରଞ୍ଜନ ମହାନ୍ତିଙ୍କ କହିବ ଅନୁଯାୟୀ ଅସ୍ତ୍ରୋପ୍ରଚାରର କିଛି ଦିନ ପରେ ତାଙ୍କ ସ୍ତ୍ରୀ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ଡାକ୍ଟରଙ୍କ ପରାମର୍ଶ ଲୋଡିଥିଲେ । ଏହାକୁ ଏକ ଛୋଟମୋଟ ପେଟ ରୋଗ କହି ଡାକ୍ଟର ତାଙ୍କୁ ଔଷଧ ଦେଇଥିଲେ ।

ତେବେ ଯନ୍ତ୍ରଣା ନ କମିବାରୁ ଅସ୍ତ୍ରୋପଚାର କରିଥିବା ଡାକ୍ଟରଙ୍କ ସୁପାରିସ କ୍ରମେ ସେ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ସୋମବାର ଦିନ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏକସରେ ସମୟରେ ତାଙ୍କ ପେଟରେ ଏକ ଛୋଟ କଇଁଚି ରହିଥିବା ଜଣା ପଡିଥିଲା । ଏକ ଘଣ୍ଟାର ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ୬ -୭ ଇଞ୍ଚର ଏହି କଇଁଚି ବାହାର କରାଯାଇଥିଲା ।

ଅସ୍ତ୍ରୋପଚାର ପରେ ମିନର୍ଭା ସୁସ୍ଥ ରହିଛନ୍ତି । ଛଅ ମାସତଳେ ଅସ୍ତ୍ରୋପଚାର ସମୟରେ ଡାକ୍ଟରମାନେ ସାବଧାନତା ଅବଲମ୍ବନ କରିଥିଲେ ତାଙ୍କ ପତ୍ନୀଙ୍କୁ ଏତେ କଷ୍ଟ ସହିବାକୁ ପଡି ନ ଥାନ୍ତା ବୋଲି ମହାନ୍ତି ଓଡିଶା ଡଟ କମ କୁ କହିଛନ୍ତି । ସେ ସମ୍ପୃକ୍ତ ଡାକ୍ଟରଙ୍କ ଠାରୁ ଦୁଇଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିନୋଦ ବିହାରୀ ମହାନ୍ତି ଛଅ ମାସ ତଳେ ଅସ୍ତ୍ରୋପ୍ରଚାର କରିଥିବା ସମ୍ପୃକ୍ତ ଦୁଇ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଚିକିତ୍ସାଧିକାରୀ ହୋଇଥିବା ବେଳେ, ଅନ୍ୟ ଜଣେ ଜଣେ ବାହାରର ବୋଲି କହିଛନ୍ତି। ପୀଡିତା ଲିଖିତ ଅଭିଯୋଗ କଲେ ଆମେ ତାର ତଦନ୍ତ କରିବୁ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version