Site icon Odisha.com

ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନକୁ ନେଇ କଟକଣା ହାଇକୋର୍ଟରେ ରଦ୍ଦ

ଓଡିଶା ଡଟ କମ ସଂବାଦ ଦାତା

କଟକ,ମଇ ୧୫ (ଓଡିଶା ଡଟ କମ), ଗତ ମାସ ସମ୍ବଲପୁର ସହରରେ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ଧାର୍ମିକ କାର୍ଯ୍ୟକ୍ରମରେ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନକୁ ନେଇ କଟକଣା ହାଇକୋର୍ଟ ରଦ୍ଦ କରିଛନ୍ତି ।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କଟକଣା ଜାରି କରିଥିଲା ।

ତେବେ ଏହି କଟକଣାକୁ ଉଲ୍ଲଂଘନ କରି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଏପ୍ରିଲ ୧୪ରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ପରେ ଗିରଫ ହୋଇଥିଲେ ।

ହନୁମାନ ଜୟନ୍ତୀରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହିନ୍ଦୁ ଧର୍ମର ଏକ ପରମ୍ପରା ଓ ତାକୁ କେହି ବାରଣ କରିପାରିବେ ନାହିଁ ବୋଲି ସେ ଦର୍ଶାଇଥିଲେ।

ପ୍ରଶାସନର କଟକଣା ବିରୁଦ୍ଧରେ ହନୁମାନ ଜୟନ୍ତୀ ସମନ୍ଵୟ କମିଟି ସଭାପତି କର୍ନେଲ ପି କେ ପଣ୍ଡା ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଗୁରୁବାର ଏହି ମାମଲାର ଶୁଣାଣି କରି ବିଚାରପତି ଶତ୍ରୁଘନ ପୂଜାହାରୀ ପ୍ରଶାସନ ଦ୍ଵାରା ଲଗାଯାଇଥିବା କଟକଣାକୁ ରଦ୍ଦ କରିଛନ୍ତି। ଜୟନ୍ତୀ ସମନ୍ଵୟ କମିଟିର ସଦସ୍ୟ ମାନଙ୍କ ବିରୁଦ୍ଧରେ ଏହି ମାମଲାରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏପ୍ରିଲ ୨୨ ତାରିଖ ଦିନ ସମ୍ବଲପୁର ଅତିରିକ୍ତ ଦୌରା ଜଜଙ୍କ ଅଦାଲତ କୋଡିଏ ହଜାର ଟଙ୍କାରର ବେଲ ବଣ୍ଡ ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ ।

ଓଡିଶା ଡଟ କମ

Exit mobile version