Site icon Odisha.com

ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ ପୁଲିସର ମୋବାଇଲ ଆପ

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୫(ଓଡିଶା ଡଟ୍ କମ୍) ଦ୍ଵେତ ନଗର ଭୁବନେଶ୍ଵର ଓ କଟକରେ ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ ପୁଲିସ ଶୁକ୍ରବାର “ମୋ ସାଥି” ନାମକ ଏକ ମୋବାଇଲ ଆପ୍ଲିକେସନ ଜାରି କରିଛି ।

ଏ ସଂକ୍ରାନ୍ତୀୟ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପ୍ଲିକେଶନକୁ ଉଦଘାଟନ କରିଥିଲେ ।

ସୁୟୋଗ କମ୍ପୁଟେକ ପ୍ରାଇଭେଟ ଲିମିଟେଡ ଦ୍ଵାରା ତିଆରି ହୋଇଥିବା ଏହି ଏନଡ୍ରଏଡ ଆପ୍ଲିକେଶନକୁ ମହିଳା ମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ସେମାନଙ୍କୁ ପ୍ରଥମେ  ନିଜର ନାଁ, ଫୋନ ନମ୍ବର, ଇମେଲ ଆଇଡ଼ି ଓ ଠିକଣା ସହ ତିନି ଜଣ ସମ୍ପର୍କୀୟଙ୍କ ନାମ ଲେଖି ନିଜକୁ ପଞ୍ଜୀକୃତ କରିବାକୁ ପଡିବ ।

ଏହା ପରେ ଆପ୍ ବ୍ୟବହାରକାରୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ମେସେଜ ଆସିବ । ଯେଉଁଥିରେ ଡାଉନଲୋଡ ଲିଙ୍କ ସହ ରେଜିଷ୍ଟ୍ରେସନ କି ନମ୍ବର ମିଳିବ । ଏହି କି ନମ୍ବରକୁ ବ୍ୟବହାର କରି ସେମାନେ ଆପ୍ଲିକେଶନର ବ୍ୟବହାର କରିପାରିବେ ।

କୋଣସି ଜରୁରୀ ସ୍ଥିତିରେ ଆପ୍ ବ୍ୟବହାରକାରୀ ପାୱାର ବଟନକୁ ୫ମିନିଟ ଦାବି ରଖିଲେ, ଫୋନର କ୍ୟାମେରା ଆପେଆପେ ଖୋଲିଯିବ। ସେଥିରେ ୩୦ ସେକେଣ୍ଡ ର ଅଡିଓ ଓ ଭିଡ଼ିଓ ରେକର୍ଡ ହୋଇପାରିବ। ଏହି ତଥ୍ୟ ଫୋନ ମାଧ୍ୟମରେ ପୁଲିସ କଣ୍ଟ୍ରୋଲ ରୁମକୁ ଆପେ ଆପେ ଆସିଯିବ ।

ଜିପିଏସ ଜରିଆରେ ପୁଲିସ ଆପ ବ୍ୟବହାରକାରୀଥିବା ସ୍ଥାନ କୁ ଚିହ୍ନଟ କରି ପାରିବ ଓ ସେଠାକୁ ପିସିଆର ଯାଇ ତାଙ୍କୁ ଉଦ୍ଧାର କରିବ ବୋଲି ପୁଲିସ କମିଶନର ଡ. ଆର ପି ଶର୍ମା କହିଛନ୍ତି ।

ଏହା ମୋବାଇଲ ଆପ କୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କମିସନରେଟ ପୁଲିସ ଲଗାତାର ଭାବରେ ମହିଳାଙ୍କ ସୁରକ୍ଷାପାଇଁ କାର୍ଯ୍ୟ କରି ଆସୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ଦିନ ପୂର୍ବରୁ ମହିଳାଙ୍କ ପାଇଁ “ପିଙ୍କ୍ ଅଟୋ” ର ମଧ୍ୟ ବ୍ୟବସ୍ଥା କରଯାଇଥିଲା । ଆଗକୁ ଯେକୋଣସି ପରିସ୍ଥିତିର ସାମ୍ନା କରିବା ପାଇଁ ମହିଳାମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ପ୍ରଶିକ୍ଷଣ ମଧ୍ୟ କରାଯିବ ।

ଓଡିଶା ଡଟ କମ

 

Exit mobile version