Site icon Odisha.com

ବେସରକାରୀ ସଂଗଠନମାନଙ୍କୁ ସନ୍ଦେହ କରା ନ ଯାଉ:ସ୍ଵେଚ୍ଛାସେବୀ

ଓଡିଶା ଡଟ କମ ସଂବାଦ ଦାତା

ବ୍ରହ୍ମପୁର, ମଇ ୧୭ (ଓଡିଶା ଡଟ କମ) ଦେଶ ଗଠନରେ ବେସରକାରୀ ସଂଗଠନ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା ବେଳେ ସେମାନଙ୍କୁ ସରକାର ସନ୍ଦେହ ଦୃଷ୍ଟିରେ ନ ଦେଖିବାକୁ ବିଭିନ୍ନ ସ୍ଵେଚ୍ଛାସେବୀ ବ୍ରହ୍ମପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମତ ବ୍ୟକ୍ତ କରିଛନ୍ତି ।

 

 

 

 

ବିଶ୍ୱ ଦିବସ ୨୦୧୫ ପାଳନ ଅବସରରେ ଶନିବାର ୟୁଥ୍ ଫର ସୋସିଆଲ ଡେଭଲାପମେଣ୍ଟ , ସିଭିକସ୍ ଏବଂ ଅନ୍ୟାନ୍ୟ ନାଗରିକ ସଂଗଠନ ଦ୍ୱାରା ସ୍ଥାନୀୟ ଗଂଜାମ କଳା ପରିଷଦ ଠାରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଉର୍ଦ୍ଧ ନାଗରିକ ସଂଗଠନ ପ୍ରତିନିଧି, ସାମାଜିକ କର୍ମୀ, ବସ୍ତି ବାସିନ୍ଦା, ଯୁବକ ଓ ମହିଳା ସରକାରଙ୍କର ବିଭିନ୍ନ ପ୍ରକ୍ରିୟାରେ ନାଗରିକଙ୍କ ସହଭାଗିତାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଭାରତର ବିଭିନ୍ନ ପ୍ରାନ୍ତରେ ନାଗରିକ ମାନଙ୍କୁ ଦିଆଯାଇଥିବା ସୁବିଧା ଓ ଅଧିକାର ଗୁଡିକ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି । ଏହା ଫଳରେ ନାଗରିକ ଓ ନାଗରିକ ସମାଜର ସ୍ୱର ଦବି ଯାଉଛି ଯାହାଦ୍ୱାରା ନାଗରିକର ସ୍ୱାଧିନତା ପ୍ରତି ପ୍ରତିବନ୍ଧକ ସୃଷ୍ଟି ହେଉଛି ।

ନାଗରିକ ସଂଗଠନଗୁଡିକ କାର୍ଯ୍ୟକରିବାରେ ଅସୁବିଧା ଅନୁଭବ କରୁଛନ୍ତି ଏବଂ ଏହି ସଂଗଠନଗୁଡିକୁ ଚଳାଇବା ପାଇଁ ଆବଶ୍ୟକ ଥିବା ଅର୍ଥ ମଧ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଛି ବୋଲି ସେମାନେ ମତ ବ୍ୟକ୍ତ କରିଥିଲେ ।

ସରକାର ସାଧାରଣ ନାଗରିକ, କର୍ମୀ ଓ ନାଗରିକ ସଂଗଠନଗୁଡିକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ନାଗରିକ ସଂଗଠନଗୁଡିକ ମଧ୍ୟ ପୁଞ୍ଜିପତି, ଶିଳ୍ପପତି ଓ ଅସାମାଜିକ ଗୋଷ୍ଠୀଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହେଉଛନ୍ତି ।

ସରକାର ଏହି ବେସରକାରୀ ସଂଗଠନ, ନାଗରିକ ସଂଗଠନ ଓ କର୍ମୀମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତୁ ନାହିଁ । ବୋଲି ବକ୍ତା ମାନେ କହିଛନ୍ତି । ସଂଗଠନଗୁଡିକୁ ସରକାର ଡାକି ସେମାନଙ୍କ ସହ ଆଲୋଚନା କରନ୍ତୁ । ବର୍ତ୍ତମାନର ନୀତି ଓ ନିୟମ ବିଷୟରେ ଆଲୋଚନା କରି କାର୍ଯ୍ୟ କରିବା ସମୟରେ କ’ଣ ପ୍ରକ୍ରିୟା ରହିବ ଓ କ’ଣ ସବୁ ସୁବିଧା ରହିଛି ସେଗୁଡିକରେ ସ୍ୱଚ୍ଛତା ରଖିବା ପାଇଁ କ’ଣ ସବୁ ସଂଶୋଧନର ଆବଶ୍ୟକତା ରହିଛି ତାହା ଆଲୋଚନା ହେଉ ।

ଯେଉଁସବୁ ବିଷୟ ଗୁଡିକରେ ବାଖ୍ୟାରେ ଜଟିଳତା ରହୁଛି ସେଗୁଡିକୁ ଆଲୋଚନା କରାଯାଉ । ବେସରକାରୀ ସଂଗଠନ, ଟ୍ରଷ୍ଟ, ଫାଉଣ୍ଡେସନ ଏବଂ ସାମାଜିକ ସଂଗଠନ ପାଇଁ ଏକ ପ୍ରକାର ଦରଖାସ୍ତ ବ୍ୟବସ୍ଥା କରାଯାଉ ବୋଲି ବିଭିନ୍ନ ସଂଗଠନର କର୍ମୀମାନେ ମତଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଅଧ୍ୟାପକ ଯନ୍ତ୍ରଣା ପରିକ୍ଷିତ, ଆଇନ କର୍ମୀ ଚନ୍ଦ୍ରନାଥ ଦାନୀ, ସାମାଜିକ କର୍ମୀ ଶ୍ରୀ ଲୋକନାଥ ମିଶ୍ର ଓ ମଙ୍ଗରାଜ ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟ ଗୁଡିକ ଉପରେ ଆଲୋଚନା କରିଥିଲେ ।

ଓଡିଶା ଡଟ କମ

Exit mobile version