Site icon Odisha.com

ଝାଡଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ

ଓଡିଶା ଡଟ କମ: ସୁଜାତା ପ୍ରକାଶ

ରାଞ୍ଚି, ଝାଡଖଣ୍ଡ, ମଇ ୧୮ (ଓଡିଶା ଡଟ କମ) ପୂର୍ବତନ ଓଡିଶା ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ନବମ ରାଜ୍ୟପାଳ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ।

ରାଜ ଭବନସ୍ଥିତ ବିରସା ମଣ୍ଡପ ଠାରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିରେନ୍ଦ୍ର ସିଂହ ସ୍ଵତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଏହି ଉତ୍ସବରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ଉଭୟ ଝାଡଖଣ୍ଡ ଓ ଓଡିଶାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଜୁନ ୨୦, ୧୯୫୮ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ସହ ଓଡିଶାର ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।

https://youtu.be/2wGPZk3NPYQ

ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।

ପରବର୍ତୀ ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।

ଓଡିଶା ଡଟ କମ

Exit mobile version