Site icon Odisha.com

ଶିଶୁକୁ କୁକୁର ଖାଇଥିବା ଅଭିଯୋଗ ଉପରେ ସାନି ତଦନ୍ତ ନିର୍ଦେଶ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୧୮ (ଓଡିଶା ଡଟ କମ) ଗତ ବର୍ଷ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ସଦ୍ୟଜାତ ଶିଶୁକୁ କୁକୁରୁ ଖାଇଥିବା ଅଭିଯୋଗ ଉପରେ ଜାତୀୟ ମାନବାଧିକାର କମିଶନ ଜିଲ୍ଲା ପ୍ରଶାସନକୁ ସାନି ତଦନ୍ତ ନିର୍ଦେଶ ଦେଇଥିବା ଜଣେ ମାନବଧୀକାର କର୍ମୀ ସୋମବାର କହିଛନ୍ତି ।

୧୧ଅପ୍ରେଲ ୨୦୧୪ ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟାରେ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ସଦ୍ୟଜାତ ଶିଶୁକୁ କୁକୁର ଖାଉଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ମେଡିକାଲ ଅଧିକାରୀମାନଙ୍କୁ ଖବର ଦେଇଥିଲେ । କିନ୍ତୁ ଏହାକୁ ଅତି ହାଲୁକା ଭାବେ ନେଇ ମୃତ ଶିଶୁଟିକୁ କୁକୁର ମୁହଁରୁ ଆଣି କୁଆଡେ ଫୋପାଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ଶିଶୁଟି କାହାର ଓ କୁକୁର ଆକ୍ରମଣରେ ଏହାର ମୃତ୍ୟୁ ଘଟିଛି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲା । ଏଭଳି ଘଟଣା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ  ସେହି ମାସ ୧୪ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ସଚିବ ଏ ଘଟଣାରେ ଏନଏଚଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ।

ସେ ସିଧାସଳଖ ଏହି ଘଟଣାକୁ ଅସ୍ୱୀକାର ନ କରି ଘଟଣା ଦିନ କୌଣସି ନବଜାତ ଶିଶୁର ମୃତ୍ୟୁ ଘଟିନାହିଁ ବୋଲି ରିପୋର୍ଟରେ ଦର୍ଶାଇଥିଲେ। କମିଶନ ଏହା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଅଭିଯୋଗ କଥାକୁ ଏହି ରିପୋର୍ଟରେ ଅସ୍ୱୀକାର କରାଯାଇନାହିଁ । ତେଣୁ ଯଦି ଏଭଳି ଘଟଣା ଘଟିଥାଏ, ତେବେ ଏହି ଶିଶୁଟି କାହାର ? ଏହି ଶିଶୁର ଶବ କିପରି କୁକୁର ହାବୁଡରେ ପଡିଲା ?

ଏ ସମ୍ପର୍କରେ ପୁଲିସକୁ ଖବର ଦିଆଗଲା ନାହିଁ କାହିଁକି ? କେହି ପିଲାଟିକୁ ସେଠାରେ ଛାଡି ଚାଲି ଯାଇ ନଥିଲା ତ ? ତେଣୁ ସ୍ୱାସ୍ଥ୍ୟ ସଚିବଙ୍କ ରିପୋର୍ଟ ଉପରେ ଭରସା ନକରି ଏହି ଘଟଣାର ସଂପୂର୍ଣ ତଦନ୍ତ କରିବା ଲାଗି କମିଶନ ପୁରୀ ଏସ୍.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତ ବେଳେ କମିଶନ ଉଠାଇଥିବା ପ୍ରଶ୍ନଗୁଡିକ ପ୍ରତି ଧ୍ୟାନ ଦେବାକୁ ଏସ୍.ପି.ଙ୍କୁ କୁହାଯାଇଛି । ଘଟଣାକୁ ଚାପି ଦେବାକୁ ଚେଷ୍ଟା କରି କମିଶନଙ୍କ ନିକଟରେ ସ୍ୱାସ୍ଥ୍ୟ ବିଭାଗ ମିଥ୍ୟା ରିପୋର୍ଟ ଦାଖଲ କରିଛି ବୋଲି ଆବେଦନକାରୀ ଅଖଣ୍ଡ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡିଶା ଡଟ କମ

Exit mobile version