Site icon Odisha.com

ଖେଳ ପଡିଆ ପିଛା ବିକାଶ ପାଇଁ ପାଞ୍ଚଲକ୍ଷ ଟଙ୍କା ଖର୍ଚ ନିଷ୍ପତ୍ତି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୨(ଓଡିଶା ଡଟ କମ) ଖେଳ ପଡିଆ ପିଛା ପାଞ୍ଚ ଲକ୍ଷ ଟଙ୍କା ଖର୍ଚ କରି ପ୍ରତି ପଞ୍ଚାୟତରେ ଖେଳପଡିଆର ବିକାଶ କରାଯିବ ବୋଲି ରାଜ୍ୟ ସରକାର ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି ।

ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀଙ୍କୁ ପଞ୍ଚାୟତିରାଜ ବିଭାଗ ସହିତ ସମନ୍ୱୟ ରକ୍ଷା କରି ୨୦୧୭ ସୁଦ୍ଧା ସମସ୍ତ ୬୨୩୬ ପଞ୍ଚାୟତରେ ଖେଳ ପଡିଆର ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହି ପରି ସଫଳ କ୍ରୀଡାବିତ ମାନଙ୍କୁ ରେକର୍ଡ ସମୟରେ ନିଯୁକ୍ତି ପ୍ରଦାନ କରିବାରେ ସଫଳ କାର୍ଯ୍ୟ ଦକ୍ଷତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଯୁବ ସଂଗଠନ ଗୁଡିକ ପାଇଁ ଦିଆଯାଉଥିବା ସହାୟତା ରାଶିର ପରିମାଣ ବୃଦ୍ଧି କରିବା ଏବଂ ଏହାକୁ ନିୟମିତ ଭାବେ ପ୍ରଦାନ କରିବା ପାଇଁ ସେ ବିଭାଗକୁ କହିଥିଲେ ।

ଦେଶର ଅନ୍ୟ ସ୍ପୋର୍ଟସ ହଷ୍ଟେଲ ଗୁଡିକର ବ୍ୟବସ୍ଥାକୁ ଅନୁସରଣ କରି ତଦନୁରୂପ ବ୍ୟବସ୍ଥା ଓଡିଶା ରେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହ ହକି, ତୀର ଚାଳନା ଆଦି କ୍ରୀଡାର ଅଞ୍ଚଳ ଭିତ୍ତିରେ ସେଣ୍ଟର ଅଫ ଏକ୍ସେଲେନ୍ସ ପ୍ରତିଷ୍ଠା କରିବା ପାଇଁ ସେ କହିଥିଲେ ।

ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବୈଠକର ଆଲୋଚନାରୁ ସୂଚନା ମିଳିଛି ଯେ, ପ୍ରତ୍ୟେକ ବ୍ଲକରେ ଯେଉଁ ୬୫ଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା ତାହା ଏବେ କାର୍ଯ୍ୟରତ ଓ ଚଳିତ ବର୍ଷ ଆହୁରି ୫୦ ଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରାଯାଇଛି ।

ପ୍ରତ୍ୟେକ ଷ୍ଟାଡିୟମ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବାବେଳେ, ସେଥିରୁ ୨୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କର ଅଂଶ ଏବଂ ଆଉ ୫ ଲକ୍ଷ ଟଙ୍କା ଏମପି ଓ ଏମଏଲଏ ଲାଡ ପାଣ୍ଠିରୁ ଖର୍ଚ ହେଉଛି।

ଠିକ ସେହି ପରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସ୍ଵିମିଙ୍ଗ ପୁଲ ଏବଂ ଇନଡୋର ହଲ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବାର୍ଷିକ ଚାରି କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଉତ୍ତମ ନାଗରିକତ୍ଵର ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୟବହାରରେ ପରିବର୍ତନ ପାଇଁ ଅଡିଓ ଭିଜୁଆଲ ଡ଼ିଭିଡ଼ି ପ୍ରସ୍ତୁତ କରାଯାଇ କଲେଜ ମାନଙ୍କରେ ପ୍ରଦର୍ଶନ କରାଯାଉଛି ।

ଏହି ଅଡିଓ ଭିଜୁଆଲ ଡ଼ିଭିଡ଼ିରେ “ମହିଳାମାନଙ୍କୁ ସମ୍ମାନ”, “ନିଶାଦ୍ରବ୍ୟ ସେବନ”, “ଭିନ୍ନକ୍ଷମଙ୍କ ପ୍ରତି ସମ୍ବେଦନ”, “ଦେଶଭକ୍ତି” ଓ “ସୁନାଗରିକତ୍ଵ” ଆଦି ବିଷୟ ଉପରେ ଗୁରୁତ୍ଵ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହା ଏକ ହଜାର କଲେଜରେ ତିନି ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେଖାଯାଇଥିବା ବେଳେ ଏହାକୁ ଆହୁରି ସାଢେଚାରି ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେଖାଯିବାର ଲକ୍ଷ୍ୟ ରଖାଯାଇଛି ।

ଯୁବକ ଯୁବତୀଙ୍କ ପାଇଁ ଆରମ୍ଭ ହୋଇଥିବା ସାହସିକ କାର୍ଯ୍ୟକ୍ରମରେ ୨୦୧୪-୧୫ରେ ପାଞ୍ଚ ହଜାର ଯୁବକ ଯୁବତୀଙ୍କୁ ୨୫ଟି ସାହସିକ କାର୍ଯ୍ୟକ୍ରମରେ ସାମିଲି କରାଯାଇଥିବା ସୂଚନା ଦିଆଯାଇଥିଲା ।

ଏହି ବୈଠକରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ଉନ୍ନୟନ କମିଶନର ଶ୍ରୀ ୟୁ ଏନ ବେହେରା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ପଞ୍ଚାୟତିରାଜ ପ୍ରମୁଖ ସଚିବ ଶ୍ରୀ ଦେବରଞ୍ଜନ କୁମାର ସିଂହ, କ୍ରିଡା ସଚିବ ଶ୍ରୀ ଶାଶ୍ଵତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Exit mobile version