Site icon Odisha.com

ଟ୍ରେନ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ରେଳବାଇକୁ ନିର୍ଦ୍ଦେଶ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୩ (ଓଡିଶା ଡଟ କମ) ପୁରୀ ସହରରୁ ଦେଶର ବିଭିନ୍ନ ଅଂଚଳକୁ ଯାଉଥିବା ଟ୍ରେନ୍ ଗୁଡିକରେ ପରିମଳ ବ୍ୟବସ୍ଥା ସୁଧାରିବା, ସ୍ୱଚ୍ଛତା ଅବଲମ୍ବନ କରିବା ଓ ଯାତ୍ରୀମାନଙ୍କୁ ଠିକ୍ ସେବା ଯୋଗାଇ ଦେବା ଲାଗି ଜାତୀୟ ମାନବାଧିକାର କମିଶନ ରେଳବାଇ ବୋର୍ଡକୁ ନିର୍ଦ୍ଦେଶ ଦେଇଥିବା ଜଣେ ମାନବଧିକାର କର୍ମୀ ଶନିବାର କହିଛନ୍ତି ।

କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଅଭିଯୋଗ କରିଥିଲେ ଯେ ଗତ ମାସରେ ସେ ପୁରୀ-ବିକାନେର ଟ୍ରେନ୍ ର ଏସି ବଗିରେ ଛତିଶଗଡର ବିଳାସପୁରକୁ ଯାଇଥିଲେ । କିନ୍ତୁ ଏହି ଟ୍ରେନ୍ ରେ ମିଳୁଥିବା ଖାଦ୍ୟ ଅତି ନିମ୍ନମାନର ଥିଲା ଏବଂ ଟ୍ରେନ୍ ରେ ସ୍ୱଚ୍ଛତା ପ୍ରତି ଆଦୌ ଧ୍ୟାନ ଦିଆଯାଇନଥିଲା ।

ବଗିରେ ମୂଷା ଓ ଅସରପା ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ପାଇଖାନାଗୁଡିକର ଅବସ୍ଥା କହିଲେ ନସରେ । ଏଗୁଡିକରୁ ଦୁର୍ଗନ୍ଧ ବାହାରୁଥିବା ସତ୍ୱେ ସଫା କରାନଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡିଥିଲ। । ସେହିପରି ସେ ବିଳାସପୁରରୁ ଫେରିବା ବେଳେ ମଧ୍ୟ ଅନ୍ୟ ଏକ ସୁପରଫାଷ୍ଟ ଟ୍ରେନ୍ ରେ ସମାନ ଅବସ୍ଥା ଦେଖିବାକୁ ପାଇଥିଲେ ।

କେବଳ ଏହି ଦୁଇଟି ଟ୍ରେନ୍ ନୁହେଁ, ପ୍ରାୟ ସବୁ ଟ୍ରେନରେ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ଯାତ୍ରୀମାନଙ୍କୁ ବିଶେଷକରି ପିଲାମାନଙ୍କୁ ରୋଗ ସଂକ୍ରମଣର ଆଶଙ୍କା ରହିଛି ବୋଲି ସେ ଦର୍ଶାଇଥିଲେ ।

କମିଶନ ଅଭିଯୋଗକୁ ବିଚାରକୁ ନେଇ ଦୁଇଟି ମାମଲା ରୁଜୁ କରିଥିଲେ । ଏହାର ଶୁଣାଣୀ କରି କମିଶନ ଆବେଦନକାରୀ ଉଠାଇଥିବା ସମସ୍ୟା ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରେଲୱେ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଆଠ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଆବେଦନକାରୀଙ୍କୁ ଅବଗତ କରାଇବାକୁ ମଧ୍ୟ କମିଶନ କହିଛନ୍ତି ।

ଓଡିଶା ଡଟ କମ

Exit mobile version