Site icon Odisha.com

ଡାକ୍ତରଙ୍କ ଚିକିତ୍ସାରେ ଶିଶୁର ନୂତନ ଜୀବନ ଲାଭ

ଓଡିଶା ଡଟ କମ ସଂବାଦ ଦାତା

ରାଉରକେଲା, ମଇ ୨୪ (ଓଡିଶା ଡଟ କମ) ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ) ର ଡାକ୍ତରଙ୍କ ଚିକିତ୍ସାରେ ପରିବା ଖଣ୍ଡ ଗିଳି ଗୁରୁତର ହୋଇଥିବା ଜଣେ ଆଠ ମାସର ଶିଶୁର ଜୀବନ ରକ୍ଷା ହୋଇଛି ।

ବରଗଡର ଉମେଶ ଛତର ନାମକ ଏହି ଶିଶୁ ମଇ ୨୦ ତାରିଖ ପୂର୍ବାହ୍ନରେ ଦୁର୍ଘଟଣା ବଶତଃ ପରିବା ଖଣ୍ଡ ଗିଳି ଦେଇଥିଲା । ଏହି ପରିବା ଖଣ୍ଡଟି ତା’ର ଶ୍ଵାସନଳୀରେ ଅଟକିଯାଇଥିବାରୁ ଶ୍ଵାସପ୍ରଶ୍ଵାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲା ।

ପରେ ତାକୁ ବୁର୍ଲା ସ୍ଥିତ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା ତେବେ ସେଠାରେ ତାର ସ୍ୱାସ୍ଥ୍ୟବସ୍ଥାରେ କୋଣସି ପରିବର୍ତନ ନହେବାରୁ ଗତ ୨୦ ତାରିଖ ବୁଧବାର ଦିନ ରାଉରକେଲାର ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା ।

ଆଇଜିଏଚରେ ପହଞ୍ଚିବା ସମୟରେ ଶିଶୁଟିର ଅବସ୍ଥା ଗୁରୁତର ଥିଲା ଓ ସେ ଶ୍ଵାସପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା ସହ ମାନସିକ ଆବେଗରେ ଥିଲା ।

ତେବେ ଇଏନଟି ବିଭାଗର ବରିଷ୍ଠ ଉପ ନିର୍ଦ୍ଦେଶକ ଡାକ୍ତର ଡ଼ି ସାହୁଙ୍କ ନେତୃତ୍ଵରେ ଏକ ଟିମ ବ୍ରଙ୍କୋସ୍କୋପି ଦ୍ଵାରା ଅସ୍ତ୍ରୋପଚାର କରି ତାର ଶ୍ଵାସ ନଳୀରେ ଲାଗିରହିଥିବା ବାହ୍ୟ ପଦାର୍ଥକୁ ବାହାର କରିଥିଲେ । ଏବେ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା କତ୍ତୃପକ୍ଷ କହିଛନ୍ତି ।

ଅସ୍ତ୍ରୋପଚାର ରେ ସହଯୋଗ କରିଥିବା ଅନ୍ୟ ଡାକ୍ତର ଓ ଅଧିକାରୀ ମାନେ ହେଲେ ଇଏନଟି ବିଭାଗର କନ୍ସଲଟାଣ୍ଟ ଡାକ୍ତର ଗୌତମ ଦାସ, ଆନେସ୍ଥେସିଆ ବିଭାଗର ଡାକ୍ତର ସଞ୍ଜୁକ୍ତା ପାଣିଗ୍ରାହୀ, ଡାକ୍ତର ମନୋରଞ୍ଜନ ସାମନ୍ତରାୟ, ଜରୁରୀକାଳୀନ ବିଭାଗର ଡାକ୍ତର ସତିଶ ଏବଂ ହସ୍ପିଟାଲର ଅନ୍ୟ ଷ୍ଟାଫ । ଆଇଜିଏଚ ରେ ପୂର୍ବରୁ ଏଭଳି ୭ ରୁ ୧୦ ରୋଗୀଙ୍କୁ ଚିକିତ୍ସା କରାଯାଇ ଭଲ କରାଯାଇଛି।

ଓଡିଶା ଡଟ କମ

Exit mobile version