Site icon Odisha.com

ବ୍ରହ୍ମପୁରରେ ଦିନିକିଆ ଶିଶୁ ସାମ୍ବାଦିକତା ତାଲିମ୍ କାର୍ଯ୍ୟକ୍ରମ

ଓଡିଶା ଡଟ କମ ସମ୍ବାଦଦାତା

ବ୍ରହ୍ମପୁର,ମଇ ୨୪ (ଓଡିଶା ଡଟ କମ), ରବିବାର ବ୍ରହ୍ମପୁରର ଗଞ୍ଜାମ କଳାପରିଷଦଠାରେ ଶିଶୁ ମହାସଂଘ ଏବଂ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ର ମିଳିତ ଉଦ୍ୟମରେ ଦିନିକିଆ ଶିଶୁ ସମ୍ବାଦିକତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଦିନିକିଆ ଶିଶୁ ସମ୍ବାଦିକତା ତାଲିମ କାର୍ଯ୍ୟକ୍ରମରେ ସହରର ତିରିଶିଟି ବସ୍ତିରୁ ସତୁରୀ ଜଣରୁ ଉର୍ଦ୍ଧ୍ଵ ଶିଶୁ ଅଂଶ ଗ୍ରହଣ କରିଛନ୍ତି।

ଶିଶୁମାନଙ୍କୁ ନିଜ ଅଞ୍ଚଳର ଖବରକୁ ଅନ୍ୟଠାରେ ପହଞ୍ଚାଇବାର ଶିକ୍ଷାଦେବା, ଲେଖିବାରେ ସେମାନଙ୍କ ଆଗ୍ରହକୁ ବଢାଇବା ଓ ତାଙ୍କର ଅନ୍ତର୍ନିହିତ ଗୁଣକୁ ପ୍ରକାଶ କରିବା ସହ କମ ଖର୍ଚରେ ଖବରଟି କିପରି ପ୍ରତ୍ୟେକ ଲୋକ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶିଶୁ ମହାସଂଘ ପକ୍ଷରୁ କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶିବ କୁମାର ଦାଶ ଯୋଗ ଦେଇ, ସମ୍ବାଦିକତା କ’ଣ ? ଖବର ଲୋକମାନଙ୍କ ପାଖରେ କିପରି ପହଞ୍ଚାଯାଏ ? ସମ୍ବାଦ କ’ଣ ? ଜନସାଧାରଣଙ୍କୁ ଖବର ଜଣାଇବାର କାରଣ କ’ଣ ? ଆଦି ବିଷୟରେ ଆଲୋଚନା କରିବା ସହ ଶିଶୁ ମହାସଂଘ ର ଦାୟିତ୍ଵ ଓ ଭୂମିକା ବିଷୟରେ ମଧ୍ୟ ପର୍ଯ୍ୟାଲୋଚନା କରିଛନ୍ତି ।

ଏହି ଅବସରରେ ଶିଶୁ ମହାସଂଘ ତରଫରୁ ଏକ କାନ୍ଥପତ୍ରିକା “ଆମେ କହୁଛୁ ଆମ କଥା” ପ୍ରତି ୧୫ ଦିନରେ ଥରେ ପ୍ରକାଶ କରାଯିବ ପାଇଁ ସ୍ଥିର ହୋଇଛି । ଏଥିରେ ଗପ, ଗୀତ,ନୀତିଶିକ୍ଷା,ଜାଣିବା କଥା,ହସ କଥା, ଖବର ଓ ଚିତ୍ର ପ୍ରକାଶ ପାଇବ ଆଉ ଏହାକୁ ଶିଶୁ ମାନେ ଲେଖିବେ ଏବଂ ଅଙ୍କନ କରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ତେବେ ଏହି ସମାରୋହକୁ ଶିଶୁ ମହାସଂଘର ଶୃତି କୁମାରୀ ସାହୁ, କେ ଦିପୁ, ଶିବାନି ବେହେରା, ସୁନୀଲ ସେଠୀ, ସୋନାଲୀ ମହାରଣା ଏବଂ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ତରଫରୁ ଅଭିରାମ କହଁର, ଶଶୀକାନ୍ତ ଦାସ, ଚନ୍ଦନ କୁମାର ସାହୁ, ଏ ଶ୍ରୀନିବାସ ଦୋରା, ସୁଜାତା ବିଷୋଇ ଓ ସୁଚିତ୍ରା ରାଉତ ପ୍ରମୁଖ ପରିଚାଳନା କରିଛନ୍ତି।

ଓଡିଶା ଡଟ କମ

Exit mobile version