Site icon Odisha.com

ଶ୍ରୀମନ୍ଦିର ପରିଚାଳନାରେ ସରକାରୀ ହସ୍ତକ୍ଷେପକୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୪ (ଓଡିଶା ଡଟ କମ) ଶ୍ରୀମନ୍ଦିର ରୀତିନୀତି ଓ ପରିଚାଳନାରେ ବାରମ୍ବାର ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ଵତୀ ଶନିବାର ସରକାରଙ୍କୁ ବ୍ୟାପକ ସମାଲୋଚନା କରିଛନ୍ତି।

ଏଭଳି ହସ୍ତକ୍ଷେପକୁ ନାପସନ୍ଦ କରି ସରକାର ତୁରନ୍ତ ଏହି ଜଘନ୍ୟ ଅପରାଧରୁ ଦୁରେଇ ରହନ୍ତୁ ଓ ଦଶ ଭିତରେ ସୁଧୁରି ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଆଧ୍ୟାତ୍ମିକ, ସାଂସ୍କୃତିକ ଧାର୍ମିକ ଏବଂ ମୋକ୍ଷର ସଂସ୍ଥାନ ହେଉଛି ଶ୍ରୀମନ୍ଦିର । ଅମଲାତନ୍ତ୍ରର ହସ୍ତକ୍ଷେପ ଫଳରେ ମହାପ୍ରଭୁଙ୍କ ସେବା ଓ ପୂଜାରେ ବାରମ୍ବାର ବ୍ୟାଘାତ ସ୍ତୃଷ୍ଟି ହେଉଥିବା ଗୋବର୍ଦ୍ଧନ ମଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା ହାତକୁ ନେଇ ସରକାର ସୃଷ୍ଟି କରିଥିବା ମୁଖ୍ୟ ପ୍ରଶାସକ ପଦ ବେଆଇନ ଦର୍ଶାଇ ସେ କହିଛନ୍ତି ଉକ୍ତ ପଦବୀରେ ରହୁଥିବା ବ୍ୟକ୍ତି ବିଶେଷ ନିଜ ସୀମାରେଖା ତଳେ ସୀମାବଦ୍ଧ ନ ରହି ଅଯଥା ଧାର୍ମିକ ବ୍ୟବସ୍ଥାରେ ହସ୍ତକ୍ଷେପ କରୁଛନ୍ତି ।

ଠିକ ସେହି ପରି ଶ୍ରୀମନ୍ଦିର ପରିଚାଳନାରେ ଆମୂଳ ଚୁଳ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି। ଶଙ୍କରାଚାର୍ଯ୍ୟ ଜଣେ ବ୍ୟକ୍ତି ନୁହନ୍ତି । ସେ ଏକ ଅନୁଷ୍ଠାନ । ସେ ସନାତନ ତଥା ହିନ୍ଦୁ ଧର୍ମର ମୁଖ୍ୟ । ଶଙ୍କରାଚାର୍ଯ୍ୟଙ୍କ ପ୍ରତି ସରକାର ଜଣେ ବ୍ୟକ୍ତିଙ୍କ ଭଳି ଆଚରଣ କରୁଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଶଙ୍କରାଚାର୍ଯ୍ୟଙ୍କୁ ଉପଦେଷ୍ଟା ଆଖ୍ୟା ଦେଇ ତାଙ୍କର ଅଧିକାରରେ ହସ୍ତକ୍ଷେପ କରିବାକୁ ରାଜ୍ୟ ସରକାର କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ଶଙ୍କରାଚାର୍ଯ୍ୟ ହେଉଛନ୍ତି ମାର୍ଗ ଦର୍ଶକ । ମାର୍ଗ ଦର୍ଶକ ଓ ଉପଦେଷ୍ଟା ସମାନ ନୁହେଁ ବୋଲି ସେ କହିଛନ୍ତି । ଠିକ ସେହିପରି ନବକଳେବର ସମ୍ପର୍କରେ ସରକାର ତାଙ୍କ ସହ ପରାମର୍ଶ କରୁନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଓଡିଶା ଡଟ କମ

Exit mobile version