Site icon Odisha.com

ଓଡିଆରେ ସବୁ ଆଇନର ଅନୁବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ବର,ମଇ ୨୫ (ଓଡିଶା ଡଟ କମ) : ରାଜ୍ୟ ବିଧାନସଭାରେ ଆଗତ ହେବାକୁ ଥିବା ସବୁ ବିଲ୍, ଅଧ୍ୟାଦେଶ, ନିୟମାବଳୀ ଓ ସଂଶୋଧନ ଇତ୍ୟାଦି ସହ ବର୍ତ୍ତମାନ ପ୍ରଚଳିତ ସବୁ ଗୁରୁତ୍ୱପୂର୍ଣ୍ଣ ଆଇନ ଓ ନିୟମାବଳୀ ର ଓଡିଆ ଅନୁବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅନୁବାଦ ପାଇଁ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି ଏହି କାର୍ଯ୍ୟକୁ ସମୟବଦ୍ଧ ଭାବରେ ସାରିବା ପାଇଁ କହିଥିଲେ।

ଏଥିପାଇଁ ବିଧି ବିଭାଗ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହା ଦ୍ଵାରା ସାଧାରଣ ଲୋକଙ୍କ ଆଇନ ସଚେତନତାର ବୃଦ୍ଧି ଘଟିବ ।

ସୋମବାରେ ସଚିବାଳୟରେ ଆଇନ ବିଭାଗର କାର୍ଯ୍ୟସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ପଞ୍ଚାୟତରେ ଆଇନ ସହାୟତା କେନ୍ଦ୍ର ଖୋଲାଯିବ ।

ସେହିପରି ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୱାକଫ୍ ବୋଡ, ହଜ କମିଟି, ସର୍ଭେ କମିଶନର ଏବଂ ତାଲିକା ପେନସନ ଆଦି ସମଗ୍ର ୱାକଫ୍ ପ୍ରଶାସନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଅଧୀନରେ ଏଣିକି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆଇନ କମିଶନର ବିଚାର ପୂର୍ବରୁ ରାଜ୍ୟର ସମସ୍ତ ଅବ୍ୟବହୃତ ଓ ପୁରୁଣା କାଳିଆ ଆଇନର ତର୍ଜମା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ଏବଂ ଏହାକୁ ବାଦ ଦେବା ବା ଏଥିରେ ପରିବହନ କରିବା ସଂକ୍ରାନ୍ତୀୟ ପ୍ରସ୍ତାବ ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିଭିନ୍ନ କୋର୍ଟ ମାନଙ୍କରେ ନିଯୁକ୍ତି ଆଇନ ଅଧିକାରୀ ମାନଙ୍କ କାର୍ଯ୍ୟର ନିୟମିତ ସମୀକ୍ଷା ସହିତ ସରକାରଙ୍କ ବିଭିନ୍ନ ବିଭଗର ନିଯୁକ୍ତି ପ୍ରକ୍ରିୟା ଯେପରି କୋର୍ଟ କଚେରୀରେ ଝୁଲି ନରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରାଯିବାସହ ଦୋଷୀ କୁ ଯେପରି ଶୀଘ୍ର ଦଣ୍ଡ ମିଳେ ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। ଏଥିପାଇଁ ସ୍ଵତନ୍ତ୍ର ଓକିଲ ନିଯୁକ୍ତି କରିବା ସହିତ ଏସବୁ ମକୋଦ୍ଦମାର ତାଲିକା ପ୍ରସ୍ତୁତ କରି ଗୃହ ବିଭାଗ ଓ ଆଇନ ବିଭଗ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ଉନ୍ନୟନ କମିଶନର ପଞ୍ଚାୟତ ବିଭାଗର ସଚିବ,ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଏବଂ ଆଇନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଡଟ କମ

Exit mobile version