ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ୱର, ୩୧ ମଇ (ଓଡିଶା ଡଟ କମ)ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଥମେ ଗୋହତ୍ୟା ନିରୋଧ ଆଇନ ପ୍ରଣୟନ କରିଥିବା ସତ୍ଵେ ଏହା କାର୍ଯ୍ୟକାରୀ ହେଉନଥିବାରୁ କ୍ଷୋଭ ପ୍ରକାଶକରି ଏହାକୁ କଡାକଡି ଲାଗୁକରିବା ପାଇଁ ପ୍ରଜ୍ଞାନମିଶନର ଅନ୍ତରାଷ୍ଟ୍ରୀୟ କ୍ରୀୟାଯୋଗୀ ସ୍ୱାମୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ରବିବାର ଦାବି କରିଛନ୍ତି ।
ରାଜ୍ୟରେ ଆଇନ ଥିବା ସତ୍ଵେ ଦୁଃଖର କଥା ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏବେ ଭାରତର ଅନ୍ୟକେତେକ ରାଜ୍ୟ ଆଇନ କରି ସଂପୂର୍ଣ୍ଣ ଗୋହତ୍ୟା ନିରୋଧ କରିଛନ୍ତି । ଏହା ଅତି ଆନନ୍ଦର କଥା ତେବେ ସର୍ବଭାରତୀୟ ସ୍ତରରେ ଏହା କାର୍ଯ୍ୟକାରୀ ହେବା ଦରକାର । ଖାଲି କାଗଜପତ୍ରରେ ଆଇନ କରିଦେଲେ ହେବ ନାହିଁ, ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଲେ ଜଗତର କଲ୍ୟାଣ ହେବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସ୍ୱାମୀଜୀ କହିଛନ୍ତି ଯେ,ଭାରତୀୟ ସମ୍ବିଧାନ ଧାରା – ୪୮ରେ ଗୋବଂଶର ସମୃଦ୍ଧି ଓ ସଂରକ୍ଷଣ ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଇଅଛି । ସ୍ୱୟଂ କେନ୍ଦ୍ର ଓ ରାଜ୍ୟସରକାରମାନେ ଏହି ଧାରାକୁ ଉଲ୍ଲଘଂନ କରୁଛନ୍ତି କିମ୍ବା ଉଲ୍ଲଘଂନକାରୀଙ୍କୁ ସଂରକ୍ଷଣ ଦେଉଛନ୍ତି ।
ଭାରତ ସ୍ୱତନ୍ତ୍ର ହେବା ପରେ ମହାତ୍ମା ଗାନ୍ଧୀ କହିଥିଲେ ଭାରତରେ ଗୋହତ୍ୟା ବନ୍ଦ କରାଯିବ । ଲୋକମାନ୍ୟ ତିଲକ୍, ପଣ୍ଡିତ ମଦନମୋହନ ମାଲବ୍ୟ, ରାଜର୍ଶୀ ପୁରୁଷୋତ୍ତମ ଦାସ ଟଣ୍ଡନ, ଲାଲା ଲଜପତ ରାୟ, ପ୍ରଥମ ରାଷ୍ଟ୍ରପତି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ଓ ବିନୋବା ଭାବେ ପ୍ରମୁଖ ମହାନ ନେତାମାନେ ଗୋହତ୍ୟା ନିରୋଧର ସପକ୍ଷରେ ମତବ୍ୟକ୍ତ କରିଥିଲେ ।
ଗୋ ସୁରକ୍ଷା ଓ ଗୋ ସମୃଦ୍ଧି ଦ୍ୱାରା ଭାରତର ସମୃଦ୍ଧି ସମ୍ଭବ ବୋଲି କହିଥିଲେ । ବହୁ ସାଧୁସନ୍ଥ ମହାତ୍ମା ଏବଂ କ୍ରାନ୍ତିକାରୀ ଗୋଭକ୍ତ ଓ ଗୋ ସେବକମାନେ ଗୋ ରକ୍ଷା ପାଇଁ ଅଶେଷ ତ୍ୟାଗ ସ୍ଵୀକାର କରିଛନ୍ତି, ପ୍ରାଣବଳି ମଧ୍ୟ ଦେଇଛନ୍ତି । ବହୁ ପ୍ରାଚୀନ କାଳରୁ ଆମ ଶାସ୍ତ୍ର ମାନଙ୍କରେ ଗୋସେବା ଓ ଗୋ ସମ୍ବର୍ଧନା ସମ୍ବନ୍ଧରେ ଅନେକ ଆଖ୍ୟାନମାନ ଲିପବଦ୍ଧ ହୋଇଥିବା ସେ କହିଛନ୍ତି।
ଗୋମାତା ଆମ ଜୀବନର ଏକ ଅଂଶ । ତାଙ୍କର ସର୍ବୋତ୍ତଭାବେ କଲ୍ୟାଣ ଆମର ପରମ କର୍ତ୍ତବ୍ୟ ଅଟେ । ସେଇଥିପାଇଁ ଓଡ଼ିଶାର ତିରିଶିଟି ଜିଲ୍ଲା ଭ୍ରମଣ କରି ଓଡ଼ିଶା ଗୋସେବା ସମିତି ଦ୍ୱାରା ଲୋକମାନଙ୍କ ଭିତରେ ଗୋସେବା, ଗୋକଲ୍ୟାଣ, ଗୋସମୃ୍ଦ୍ଧି ଓ ଗୋସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବାର ଏକ ଉଦ୍ୟମ ଆମେ ଜାରି ରଖିଛୁ ସେ କହିଛନ୍ତି ।
ବିଗତ ଦୁଇ ବର୍ଷହେଲା ଏଥିପାଇଁ ଉଦ୍ୟମ ଚାଲିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଶତାଧିକ ଗୋସତ ସଂଗ ଓ ଗୋ କର୍ମଶାଳା ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଚେତନାର ଜାଗରଣ ପାଇଁ ଉଦ୍ୟମ କରାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ “ଗୋକଲ୍ୟାଣ” ନାମକ ଏକ ତ୍ରୟୀମାସିକ ଗୋ ସାହିତ୍ୟ ପତ୍ରିକା ଓଡ଼ିଶା ଗୋସେବା ସମିତି ଦ୍ୱାରା ପ୍ରକାଶିତ ହେଉଛି ।
ଆସନ୍ତା ୫ ତାରିଖ ସଂଧ୍ୟା ୬ଟା ବେଳେ ଭୁବନେଶ୍ୱର ର ଇନଷ୍ଟିଟ୍ୟୁଟ ଅଫ୍ ଇଞ୍ଜିନିୟରସ୍, ୟୁନିଟ୍-୪ ଠାରେ ଏବଂ ୬ତାରିଖ ସଂଧ୍ୟା ୬ଟା ବେଳେ କଟକର ବିଜୁପଟ୍ଟନାୟକ ଛକସ୍ଥ ସାରଳା ଭବନ ଠାରେ ଗୋକଲ୍ୟାଣ ପତ୍ରିକାର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ରଖାଯାଇଅଛି । ଗୋକଲ୍ୟାଣ ପାଇଁ ସରକାରୀ ବେସରକାରୀ ସବୁ ସ୍ତରରେ ଉଦ୍ୟମ ହେବା ବାଞ୍ଛନୀୟ କାରଣ ଗୋସେବା ଓ ଗୋସୁରକ୍ଷା ଦ୍ୱାର ବିଶ୍ୱକଲ୍ୟାଣ ସମ୍ଭବ ବୋଲି ସେ କହିଛନ୍ତି ।
ଗୋମାତା କହିଲେ ଭାରତୀୟ ବଂଶୋଦ୍ଧଭବ ଦେଶୀ ଗାଈଙ୍କୁ ବୁଝାଇଥାଏ । ବିଦେଶୀ ଓ ଶକଂର ଜାତୀୟ ଗାଈ ଆମ ଗୋମାତାଙ୍କ ସହିତ ତୁଳନୀୟ ନୁହନ୍ତି । ଦେଶୀ ଗାଈର ଦୁଗ୍ଧ ଗୋମୟ, ଗୋମୂତ୍ର ଅମୃତୋପମ । ଏହା ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ ।
ବିଦେଶୀ ଗାଈଙ୍କ ଦୁଗ୍ଧ ସ୍ୱାସ୍ଥ୍ୟପାଇଁ ଅନୁକୂଳ ନୁହେଁ । ଏହା ଆମେ କହୁନାହୁଁ, ବିଦେଶୀ ବୈଜ୍ଞାନିକମାନେ ଗବେଷଣା କରି ଯାହା ଅନୁଭବ କରିଛନ୍ତି ତାହା କହିଛନ୍ତି । ଭାରତୀୟ ଗୋବଂଶ ବୃଦ୍ଧି, ବିକାଶ ଓ ସୁରକ୍ଷା ପାଇଁ ସବୁସ୍ତରରୁ ପ୍ରୋତ୍ସାହନ ଓ ଉଦ୍ୟମ ରହିବା ଦରକାର ।
ସହରାଞ୍ଚଳ ହେଉ ଅଥବା ଗ୍ରାମାଞ୍ଚଳ ସର୍ବତ୍ର ଗୋପାଳନ ହେବା ଦରକାର । ଗ୍ରାମେ ଗ୍ରାମେ ଗୋଶାଳା ପ୍ରତିଷ୍ଠା ହେବା ଜରୁରୀ । ଗୋସେବା ପାଇଁ ଗୋଚର ଜମି ଠାବ ଏବଂ ତା’ର ସୁରକ୍ଷା, ହେବା ଆବଶ୍ୟକ । ଆମେ ଆମ ଆୟର କିଛି ଅଂଶ ଗୋସେବା, ଗୋବିକାଶ, ଗୋଗବେଷଣା, ଗୋଶାଳା ପ୍ରତିଷ୍ଠା, ଗୋସାହିତ୍ୟ, ପ୍ରସାର ପ୍ରଚାର, ଗୋଭକ୍ତ ଓ ଗୋ ସେବକ ମାନଙ୍କର ଚିକିତ୍ସା ଓ ସୁରକ୍ଷା ପାଇଁ ଦାନ କରିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ସବୁ ସ୍ତରରୁ ହବା ବାଞ୍ଛନୀୟ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା ଉପସ୍ଥିତ ଥିଲେ ।
ଓଡିଶା ଡଟ କମ
Debi says
Please can you translate this into English
Thank you