ଓଡିଶାରେ ଆଦିବାସୀ ନେତୃତ୍ୱ ; କିଛି ପ୍ରଶ୍ନ (ରୋକ୍ ଠୋକ୍ )

କେଦାର ମିଶ୍ର

ହଠାତ୍‍ ଏଇ କିଛିଦିନ ହେଲା ଓଡିଶା ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପରଠୁ ରାଜ୍ୟର ମୂଳ ଅଧିବାସୀ ଭାବରେ ପରିଚିତ ଆଦିବାସୀଙ୍କ ଅସ୍ମିତା ଓ ରାଜନୈତିକ ଅଧିକାରକୁ ନେଇ କେବେ ବି ଖାସ୍‍ ଆଲୋଚନା ହୋଇନାହିଁ ।

କହିବାରେ ଦ୍ୱିଧା ନାହିଁ ଯେ ଓଡିଶାରେ ରାଜନୈତିକ ନେତୃତ୍ୱ ପ୍ରାୟତଃ ରାଜା, ବ୍ରାହ୍ମଣ, କରଣ ଓ ଉଚ୍ଚବର୍ଗଙ୍କ ହାତରେ ରହି ଆସିଛି । ଗଜପତି କୃଷଚନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ଓଡିଶାର ପ୍ରାୟ ସବୁ ମୁଖ୍ୟମନ୍ତ୍ରୀ ଏହି ବର୍ଗରୁ ଆସିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ

କେବଳ ଦଶ ମାସ ପାଇଁ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ଦୁଇ ଥରରେ ଆଠ ମାସ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ରାଜନୀତିରେ ଇତିହାସ ଦୃଷ୍ଟିରୁ ଉଭୟ ନିଜ ନେତୃତ୍ୱକୁ ନେଇ ସେତେବେଶି ଚର୍ଚ୍ଚାରେ ରହିନାହାନ୍ତି । ସମ୍ପ୍ରତି ଗିରିଧର ଗମାଙ୍ଗ ନିଜର ମୂଳଦଳ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କୁ ନେଇ କିଛିଟା ଚର୍ଚ୍ଚା ଜୋର୍‍ ଧରିଛି।

ଇତିମଧ୍ୟରେ ଗମାଙ୍ଗ କଂଗ୍ରେସ ଦଳ ତ୍ୟାଗ କରିଛନ୍ତି । ହୁଏତ ସେ ବିଜେପିରେ ଯୋଗ ଦେଇପାରନ୍ତି । ଓଡିଶାରେ ଆଦିବାସୀ ନେତୃତ୍ୱକୁ ନେଇ ବିଜେପି ଏକ ନୂଆ ସମୀକରଣ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରିଛି । ଏହି ପ୍ରୟାସରେ କେନ୍ଦ୍ରରେ ଓଡିଶାର ଏକମାତ୍ର ବିଜେପି ଲୋକସଭା ସଦସ୍ୟ ଜୁଏଲ୍‍ ଓରାମ୍‍ଙ୍କୁ ପୁଣି କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଛି ।

ପୂର୍ବରୁ ବାଜପେୟୀ ସରକାରରେ ମଧ୍ୟ ସେ ମନ୍ତ୍ରୀ ଥିଲେ । ଦ୍ଵିତୀୟ ଥର ପାଇଁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କର ଦାୟିତ୍ୱ ଅପରିବର୍ତ୍ତିତ ରହିଛି । ଅର୍ଥାତ ସବୁବେଳେ ଜୁଏଲ୍‍ଙ୍କୁ ଆଦିବାସୀ ବ୍ୟାପାର ବିଭାଗର ଦାୟିତ୍ୱ ଦିଆଯାଇଛି ।

ଓଡିଶାରୁ ପ୍ରଥମଥର ପାଇଁ ଜୁଏଲଙ୍କ ଭଳି ଜଣେ ଆଦିବାସୀ ନେତାଙ୍କୁ କେନ୍ଦ୍ର କ୍ୟାବିନେଟ୍ ରେ ନେଇ ଅଟଳ ବିହାରୀ ବାଜପେୟୀ ଏକ ଉଦାହରଣ ସୃଷ୍ଟି କରିଥିଲେ । ତେବେ ଜୁଏଲ୍‍ଙ୍କ ନେତୃତ୍ୱ କେବଳ ସେତିକିରେ ହିଁ ସୀମିତ ରହି ଆସିଛି । ଜୁଏଲ୍‍ କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ବିଜେପି ରାଜ୍ୟ ସଭାପତି ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ଉଚ୍ଚବର୍ଗର ନେତୃତ୍ୱ ଆଗରେ ତାଙ୍କର ବ୍ୟକ୍ତିତ୍ୱକୁ ଏକପ୍ରକାର ଫିକା କରି ଦେଖାଇବାର ନିରନ୍ତର ପ୍ରୟାସ ଦଳ ଭିତରେ ଓ ଗଣମାଧ୍ୟମରେ ହୋଇଛି ।

ଗିରିଧର ଗମାଙ୍ଗ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ

ଓଡିଶାରୁ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳରେ ଅଛନ୍ତି । ଜୁଏଲ୍‍ ଓଡିଶା ଲୋକସଭାରୁ ନିର୍ବାଚିତ ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ପଦବୀ ଦୃଷ୍ଟିରୁ ଜୁଏଲ୍‍ କ୍ୟାବିନେଟ୍‍ ମନ୍ତ୍ରୀ ହୋଇଥିବା ବେଳେ ଧର୍ମେନ୍ଦ୍ର ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ।

ତେବେ ଧର୍ମେନ୍ଦ୍ରଙ୍କ ହାତରେ ଦୁଧିଆଳୀ ପେଟ୍ରୋଲିୟମ୍‍ ବିଭାଗ ରହିଛି । ତେଣୁ ସ୍ୱାଭାବିକ ଭାବରେ ଦଳ ଭିତରେ ଓ ବାହାରେ ତାଙ୍କ ପ୍ରଭାବ ଜୁଏଲ୍‍ଙ୍କ ତୁଳନାରେ ବହୁ ଅଧିକ । ଜୁଏଲ୍‍ ତୃଣମୂଳ ସ୍ତରରେ ବିଜେପି ସଙ୍ଗଠନକୁ ଦୃଢ଼ୀଭୂତ କରିବା ପାଇଁ ଯେତେ ଉଦ୍ୟମ କଲେ ବି ତାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁନାହିଁ ।

ଧର୍ମେନ୍ଦ୍ର ଏବଂ ଜୁଏଲ୍‍ଙ୍କ ନେତୃତ୍ୱର ତୁଳନା କରି ଦେଖିଲେ ଆମର ଆଦିବାସୀ ବିରୋଧୀ ମାନସିକତା ସ୍ପଷ୍ଟ ହୋଇଯିବ । ଜୁଏଲ୍‍ ଆଦିବାସୀ ନେତା, ସେ ତୃଣମୂଳ ସ୍ତରରେ କାମ କରନ୍ତି, ତାଙ୍କ କଥା କହିବାରେ ସରଳତା ଓ ଭାବପ୍ରବଣତା ରହିଛି ଓ ସର୍ବୋପରି ନିଜର ଆଦିବାସୀ ଅସ୍ମିତାକୁ ନେଇ ସେ ଗର୍ବିତ ।

ଅପରପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ସହରୀ ନେତୃତ୍ୱର ପ୍ରତୀକ । ତାଙ୍କ କଥା କହିବାରେ ଆଭିଜାତ୍ୟ ଅଛି । ଲୋକସମ୍ପର୍କ ରକ୍ଷାର ସବୁ ଆଧୁନିକ ସୂତ୍ର ତାଙ୍କୁ ଜଣା । ତେଣୁ ବିଜେପିର ସବୁ ଦଳୀୟ ବ୍ୟପାରରେ ଜୁଏଲ୍‍ ଗୌଣ ପରିଲକ୍ଷିତ ହୋଇଥିବା ବେଳେ ଧର୍ମେନ୍ଦ୍ର ମୁଖ୍ୟ ହୋଇ ଉଭା ହୋଇଛନ୍ତି ।

ଦଳୀୟ କାର୍ଯ୍ୟକ୍ରମରେ ଜୁଏଲ୍‍ଙ୍କୁ ଅଣଦେଖା କରିବାର ବହୁ ନମୂନା ଇତିମଧ୍ୟରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଘଟଣା କ୍ରମରେ ପୂର୍ବତନ ବିଧାୟିକା, ମନ୍ତ୍ରୀ ଓ ମୟୁରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୂର୍ମୂଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବରେ ମାନ୍ୟବର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।

ଓଡିଶାରୁ ରାଜ୍ୟପାଳ ପଦ ମଣ୍ଡନ କରିବାରେ ଦ୍ରୌପଦୀ କେବଳ ପ୍ରଥମ ଆଦିବାସୀ ନୁହନ୍ତି, ସେ ପ୍ରଥମ ମହିଳା ମଧ୍ୟ । ଜଣେ ସାଧାରଣ କିରାଣୀରୁ ରାଜ୍ୟପାଳ ପଦବୀକୁ ଯାଇଥିବା ଦ୍ରୈାପଦୀଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ଅସାଧାରଣ ବୋଲି କୁହାଯାଇପାରେ । ତେବେ ଦ୍ରୌପଦୀଙ୍କର ଏହି ସଫଳତା ଓଡିଶାର ଅନେକ ବଡ ମୁଣ୍ଡରେ ହଜମ ହେଉନାହିଁ ।

ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ । ପ୍ରଥମ ଥର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଥିବାରୁ ତାକୁ ନେଇ ଅନେକ ଅସୂୟା ଭାବ ପ୍ରକାଶ କରୁଛନ୍ତି । ଜଣେ ପୂର୍ବତନ ଲୋକସଭା ସାଂସଦ ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସ୍ୱାଭାବିକ ଭାବରେ ଏହି ପୂର୍ବତନ ସାଂସଦ ଜଣଙ୍କ ଉଚ୍ଚ ବର୍ଗର ପ୍ରତିନିଧି ।

ଦ୍ରୌପଦୀ ପୂର୍ବରୁ ମନ୍ତ୍ରୀ ଥିଲେ ଓ ଶ୍ରେଷ୍ଠ ବିଧାୟିକା ଭାବରେ ପୁରସ୍କାର ମଧ୍ୟ ପାଇଥିଲେ । ଏହା ରାଜ୍ୟପାଳ ପଦବୀ ପାଇଁ ଯୋଗ୍ୟତା ହେବାରେ ଅସୁବିଧା କଣ ବୁଝାପଡୁନି । ଯଦି ପୂର୍ବତନ ଆଇଏଏସ୍‍, ପୋଲିସ୍‍ ଅଧିକାରୀ ଓ ବିଫଳ ରାଜନେତାମାନେ ରାଜ୍ୟପାଳ ହୋଇପାରନ୍ତି ସେଠି ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଆମ ଜାତିଆଣ ମାନସିକତାକୁ ସ୍ପଷ୍ଟ କରୁନାହିଁ କି ?

ଆଦିବାସୀଙ୍କର ନେତୃତ୍ୱ ପ୍ରସଙ୍ଗ ଉଠିଲେ ଆମ ଉଚ୍ଚବର୍ଗର ମାନସିକତା ଚିହିଁକି ଉଠେ । ଆମ ସମ୍ଭ୍ରାନ୍ତ ନାକ କୁଞ୍ଚିତ ହୋଇ ଉଠେ । ଆମେ ଭାବୁ ବଣ, ଡଙ୍ଗରରେ ରହୁଥିବା ଲୋକେ ଶାସନ କରିବା ପାଇଁ ଅନୁପଯୁକ୍ତ ।

ଓଡିଶାରେ ଯେତେ ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଭିତରୁ ଗିରିଧର ଗମାଙ୍ଗ ଏକ ଭିନ୍ନ ଚରିତ୍ରର ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ଭିତରେ ପଦବୀର ଅହଙ୍କାର ନଥିଲା କିମ୍ବା ଲୋକଙ୍କଠୁ ଦୂରେଇ ରହିବାର ପ୍ରବଣତା ନଥିଲା ।

ଦୁର୍ଭାଗ୍ୟକ୍ରମେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ରହିଲେ ସେତେବେଳେ ଓଡିଶାକୁ ମହାବାତ୍ୟା ଭଳି ଏକ ବିରାଟ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା । ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରକାର ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଦକ୍ଷତା ରହିବା କଥା ତାହା ଗମାଙ୍ଗଙ୍କର ନଥିଲା ବୋଲି କହିହେବନି ।

ତେବେ ଏହି ବିପର୍ଯ୍ୟୟ ସମୟରେ ନିଜର ରାଜନୈତିକ ରାଗ ସୁଝାଇବାକୁ ଗମାଙ୍ଗଙ୍କୁ ତାଙ୍କ ଦଳ ଭିତରେ କମ୍‍ ହଲାପଟା କରାଯାଇନାହିଁ । ରାଜନୈତିକ ମଞ୍ଚରେ ସବୁବେଳେ ଆଦିବାସୀ ନେତୃତ୍ୱକୁ ନିଚ କରି ଦେଖେଇବାର ଏକ ପ୍ରବୃତ୍ତି ରାଜନୀତିରେ ଓ ଗଣମାଧ୍ୟମରେ ରହି ଆସିଛି ।

ଓଡିଶା ରାଜନୀତିରେ ୨୫ ଭାଗ ଆଦିବାସୀ ଭୋଟର୍‍ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତଥାପି ରାଜନୈତିକ ପଦପଦବୀ, ପ୍ରଶାସନ, ପୋଲିସ୍‍, ଗଣମାଧ୍ୟମ ଓ ସାମାଜିକ ନେତୃତ୍ୱରେ ତାଙ୍କର କୌଣସି ପ୍ରଭାବ ନାହିଁ । ରାଜନୈତିକ ପଦପଦବୀର ଏକ ସାଙ୍କେତିକ ପ୍ରଭାବ ରହିଥାଏ । ୨୫ ଭାଗ ଆଦିବାସୀଙ୍କ ନେତୃତ୍ୱ ସବୁବେଳେ ଅଣ ଆଦିବାସୀଙ୍କ ହାତରେ ରହିଥିବାରୁ ସେମାନଙ୍କ ଭିତରେ ଏକପ୍ରକାର ଅସୁରକ୍ଷାର ବାତାବରଣ ରହି ଆସିଛି ।

ଏକ ଛୋଟିଆ ଉଦାହରଣ ଦେଇ ଏହାକୁ ସ୍ପଷ୍ଟ କରାଯାଇପାରେ । ଓଡିଶାର ଆଦିବାସୀ ବହୁଳ ଜିଲ୍ଲା କୋରାପୁଟ୍‍ର ପ୍ରଭାବଶାଳୀ ରାଜନୈତିକ ନେତୃତ୍ୱ କେଉଁମାନେ ? ଗମାଙ୍ଗ ପରିବାରକୁ ଛାଡିଦେଲେ ଏଠିକାର ନେତୃତ୍ୱ ଐତିହାସିକ ଦୃଷ୍ଟିରୁ କେଉଁମାନେ ନେଇ ଆସିଛନ୍ତି ? ହରିଶ୍‍ଚନ୍ଦ୍ର ବକ୍ସିପାତ୍ର, ରଘୁନାଥ ପଟ୍ଟନାୟକ, ରବି ନନ୍ଦ ପ୍ରମୁଖ ଆଦିବାସୀ ଜିଲ୍ଲାରୁ ଉଚ୍ଚବର୍ଗର ନେତୃତ୍ୱ ନେଇଛନ୍ତି ।

ଗିରିଧର ଗମାଙ୍ଗ ଓ ଖଗପତି ପ୍ରଧାନୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସର୍ବାଧିକ ସମୟ ଲୋକସଭାରେ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନେ କେବେ ବି ଆଗ ଧାଡିର ନେତା ଭାବରେ ପରିଗଣିତ ହୋଇନାହାନ୍ତି ।

ବିଜେଡି ସରକାରରେ ମଧ୍ୟ ଅବସ୍ଥା ସମାନ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଆଦିବାସୀ ନେତୃତ୍ୱକୁ ନବୀନ ପଟ୍ଟନାୟକ କେବେ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି । ଲାଲ୍‍ ବିହାରୀ ହିମିରିକା ଓ ରମେଶ ମାଝୀଙ୍କ ଭଳି ଆଦିବାସୀ ପ୍ରତିନିଧିଙ୍କୁ ସବୁବେଳେ ଗୌଣ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି । ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ଆଦିବାସୀଙ୍କ ନେତୃତ୍ୱକୁ ଆମ ଉଚ୍ଚବର୍ଗ ଗ୍ରହଣ କରିବାକୁ ସହଜରେ ପ୍ରସ୍ତୁତ ନୁହଁ ।

ରାଜନୀତିର ପ୍ରଭାବ ସମାଜ ଜୀବନରେ ମଧ୍ୟ ପଡିଥାଏ । ଯେହେତୁ ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରଭାବ ନାହିଁ, ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନଙ୍କର କୌଣସି ପ୍ରତିପତ୍ତି ନାହିଁ ।

ସାନ୍ତାଳି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍‍ ହୋଇ ଏକ ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ପାଇସାରିଛି । ଓଡିଆ ଭାଷାର ସାହିତ୍ୟିକଙ୍କ ପରି ବହୁ ଓଡିଶାବାସୀ ସାନ୍ତାଳି ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।

ହେଲେ ସେମାନଙ୍କ ବିଷୟରେ ଆମ ଓଡିଶାର ଗଣମାଧ୍ୟମ ବା ସାମାଜିକ ସଙ୍ଗଠନଗୁଡିକ କିଛି ଜାଣନ୍ତି କି ? ଦମୟନ୍ତୀ ବେଶ୍ରା ବା ଯଦୁନାଥ ବେଶ୍ରାଙ୍କ ନାଁ କେତେଜଣ ଶୁଣିଛନ୍ତି ? କୁଇ, ସାନ୍ତାଳି, ମୁଣ୍ଡାରୀ ଭଳି ଭାଷାରେ ଅନେକ ସାହିତ୍ୟ ରଚନା ହେଲାଣି – ତାର ଚର୍ଚ୍ଚା ଆମେ କେବେ କରିଛୁ କି ?

ସମାଜ, ରାଜନୀତି ଓ ଚିନ୍ତନ କ୍ଷେତ୍ରରେ ଆଦିବାସୀଙ୍କୁ ଦଳିତ କରି ରଖିବାର ପ୍ରବଣତା ଆମ ପାଇଁ ଦିନେ ନା ଦିନେ ମହଙ୍ଗା ସାବ୍ୟସ୍ତ ହେବ ।

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau :

This website uses cookies.