Site icon Odisha.com

ରାଜ୍ୟରେ ବସ ରାଜ୍ୟ ବୃଦ୍ଧି, ବିଭିନ୍ନ ମହଲରେ ବିରୋଧ

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ୱର, ମଇ ୪ (ଓଡିଶା ଡଟ କମ ) ରାଜ୍ୟ ସରକାର ଗୁରୁବାର ବସ ଭଡା କିଲୋମିଟର ପିଛା ଚାରି ରୁ ଆଠ ପଇସା ବୃଦ୍ଧି କରିଥିବା ବେଳେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଛି ।

ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସାଧାରଣ ବସରେ ଯାତ୍ରୀ ଭଡା କିଲୋମିଟର ପିଛା ୫୭ ରୁ ୬୧ ପଇସାକୁ ବୃଦ୍ଧିପାଇଥିବା ବେଳେ ଦ୍ରୁତଗାମୀ ବସ ରେ ଯାତ୍ରା କରୁଥିବା ଲୋକଙ୍କୁ ଏଥର କିଲୋମିଟର ପିଛା ଷାଠିଏ ପଇସା ପରିବର୍ତ୍ତେ ଚଉଷଠି ପଇସା ଦେବାକୁ ପଡିବ ।

ଠିକ ସେହି ପରି ଡିଲକ୍ସ ଓ ସୁପର ଡିଲକ୍ସ ବସ ରେ ଯାତ୍ରୀ ଭଡା କିଲୋମିଟର ପିଛା ୯୯ ପଇସା ଓ ଏକ ଟଙ୍କା ସାତ ପଇସାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ୮୦ ଓ ୮୬ ପଇସା ଥିଲା ।

ଭଡା ବୃଦ୍ଧି କରିବା ସହ ସରକାର ଡିଜେଲ ଓ ପେଟ୍ରୋଲ ଦରବୃଦ୍ଧି ହେଲେ ସେହି ଅନୁପାତରେ ସ୍ଵାଭାବିକ ଭାବେ ବସ ଭଡା ବୃଦ୍ଧି ପାଇଁ ଏକ ଫର୍ମୁଲା ଘୋଷଣା କରିଛନ୍ତି ।

ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଯଦି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଏ ତେବେ ସ୍ଵାଭାବିକ ଭାବେ ବସ ଭଡା କିଲୋମିଟର ପିଛା ଏକ ପଇସା ବୃଦ୍ଧି ପାଇବ ।

ଯଦି ପେଟ୍ରୋଲ ଓ ଡିଜେଲ ଦର ଦୁଇଟଙ୍କା କମ ହୁଏ ତେବେ ସ୍ଵାଭାବିକ ଭାବେ ବସ ଭଡା କିଲୋମିଟର ପିଛା ଏକ ପଇସା ହ୍ରାସ ପାଇବ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ସହ ରାଜ୍ୟରେ ସମାନ୍ତରାଳ ଭାବେ ଭଡା ବୃଦ୍ଧି ବ୍ୟବସ୍ଥା ନ ହେଲେ ଶୁକ୍ରବାର ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ ମାଲିକ ସଂଘ ଧମକ ଦେଇଥିଲେ ।

ଅନ୍ୟ ପକ୍ଷରେ ଘରୋଇ ବସ ମାଲିକଙ୍କ ଆନ୍ଦୋଳନ ଧମକ ଆଗରେ ସରକାର ମୁଣ୍ଡ ନୂଆଇଁ ଥିବା ଅଭିଯୋଗ କରି ବିରୋଧୀ ରାଜନୈତିକ ଦଳ ମାନେ ଏହି ନିଷ୍ପତ୍ତିର ସମାଲୋଚନା କରିଛନ୍ତି । ବସ ଭଡା ବୃଦ୍ଧି ସାଧାରଣ ନାଗରିକଙ୍କ ପାଇଁ ବୋଝ ଉପରେ ଲଲିତା ବିଡା ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଓଡିଶା ଡଟ କମ

Exit mobile version