Site icon Odisha.com

ନବ କଳେବର ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସର ମୋବାଇଲ ଆପ୍

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ଜୁନ ୧୦ (ଓଡିଶା ଡଟ୍ କମ୍): ଆସନ୍ତା ମାସ ହେବାକୁ ଥିବା ଶ୍ରୀଜୀଉଙ୍କ ନବକଳେବର ଓ ରଥ ଯାତ୍ରାରେ ପ୍ରବଳ ଜନସମାଗମକୁ ଆଖିରେ ରଖି ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନ ପାଇଁ ପୋଲିସ ଏକ ସ୍ଵତନ୍ତ୍ର ମୋବାଇଲ ଆପ୍ ପ୍ରସ୍ତୁତ କରୁଥିବା କହିଛି ।

ସ୍ମାର୍ଟ ଫୋନରେ ଏହି ଆପ୍ ଡାଉନଲୋଡ କରି ଜନ ସାଧାରଣ ସହର ତଥା ସହରକୁ ଯାଇଥିବା ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଓ ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଫୋନ ନମ୍ବର ସହ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ । ଏହି ଆପ୍ ଜରିଆରେ ପାର୍କିଂ ସ୍ଥଳ, ରୁଟ ଚାର୍ଟ ଏବଂ ଯାନବାହାନ ନିୟନ୍ତ୍ରଣ ସମ୍ପର୍କରେ ସମସ୍ତ ସୂଚନା ଉପଲବ୍ଧ କରାଯିବ ।

ତାଜା ତଥ୍ୟ ଅପଲୋଡ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ମାନଙ୍କୁ ଟ୍ୟାବ ପ୍ରଦାନ କରାଯିବାପାଇଁ ବିଚାର କରାଯାଉଛି । ପୋଲିସ ଆଇଜି ସଂଜୀବ ପଣ୍ଡା ଦିନିକିଆ ପୁରୀ ଗସ୍ତ ରେ ଯାଇ ସେଠାରେ ପୋଲିସ କାର୍ଯ୍ୟଳୟରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ସମୀକ୍ଷା କରି ଏହା କହିଛନ୍ତି ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ ।

ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା । ଚଳିତ ବର୍ଷ ୧୮ ଜୁଲାଇ ରେ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ରେ ପ୍ରାୟ ପଚାଶ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version