Site icon Odisha.com

ପୁରାତନ ବିଗ୍ରହଙ୍କ ତ୍ରୟୋଦଶାହରେ ଭକ୍ତଙ୍କ ପାଇଁ ମହାପ୍ରସାଦ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ,୧୨ ଜୁନ (ଓଡିଶା ଡଟ୍ କମ୍) ଚଳିତ ମାସ ୨୭ ତାରିଖ ସନ୍ଧ୍ୟାରେ ପୁରାତନ ବିଗ୍ରହଙ୍କ ତ୍ରୟୋଦଶାହ ଅବସରରେ ପୁରୀ ବଡ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ମାଗଣା ମହାପ୍ରସାଦ ରେ ଆପ୍ୟାୟିତ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ନବ କଳେବର ଲୀଳାର ଅଂଶ ସ୍ୱରୂପ ହେବାକୁ ଯାଉଥିବା ଏହି ସମୁହ ପ୍ରସାଦ ସେବନ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣେ ପ୍ରଶାସନିକ ଅଧିକାରୀ ଓଡିଶା ଡଟ କମକୁ କହିଛନ୍ତି।

ସିଂହ ଦ୍ଵାର ଠାରୁ ଶ୍ରୀନହର ଯାଏଁ ଷ୍ଟଲ ବ୍ୟବସ୍ଥା କରାଯାଉଥିବା ବେଳେ ଭକ୍ତ ମାନେ ଧାଡିରେ ଆସି ମହା ପ୍ରସାଦ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସ୍ଥାନୀୟ ପୁଲିସ ଓ ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ସମ୍ପର୍ଣ ହେବ ସେଥିପ୍ରତି ସମସ୍ତ ଯତ୍ନ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି ।

ଏଥି ନିମନ୍ତେ ଦଇତାପତି, ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଠ, ମନ୍ଦିର ଓ ବଦାନ୍ୟ ବ୍ୟକ୍ତିମାନଙ୍କ ସହାୟତା ଲୋଡିଥିବା ବେଳେ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କୁ ଆର୍ଥିକ ଦାନ ଦେବା ପାଇଁ ଅନୁରୋଧ କରିଛି ।

ଦାନ ଦେବା ପାଇଁ ଆଗ୍ରହୀ ବ୍ୟକ୍ତି ବା ଅନୁଷ୍ଠାନ ଇଣ୍ଡିଆନ ବ୍ୟାଙ୍କ ଗ୍ରାଣ୍ଟ ରୋଡ ପୁରୀ ଆକାଉଣ୍ଟ ନମ୍ବର : ୪୯୧୭୧୧୩୦ , ଆଇଏଫଏସସି କୋଡ : ଆଇଡିଆଇବି୦୦୦ପି୦୫୭ ରେ ଆଡମିନିସଟ୍ରେଟର ଶ୍ରୀ ଜଗନ୍ନାଥ ଟେମ୍ପଲ, ପୁରୀ  ( Administrator Sri jagannath temple, account number : 49171130, Indian Bank , Grand Road Puri, IFSC code IDIB 000Po57  ) ନାଁରେ ଜମା କରିପାରିବେ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ବଦାନ୍ୟ ବ୍ୟକ୍ତି ଓ ଭକ୍ତ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ଅଫିସ , ସିଂହ ଦ୍ଵାର ସୂଚନା କେନ୍ଦ୍ର ଓ ଭୁବନେଶ୍ଵରରେ ଜୟଦେବ ଭବନ ନିକଟସ୍ଥ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ରେ ମଧ୍ୟ ଦାନ ଅର୍ଥ ଜମା କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏହି ଅବସରରେ ପୁରୁଣା ବିଗ୍ରହ ମାନଙ୍କ ଶେଷ ସଂସ୍କାର ପାରମ୍ପରିକ ହିନ୍ଦୁ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ ।

ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା । ଚଳିତ ବର୍ଷ ୧୮ ଜୁଲାଇ ରେ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଛି ।

ଓଡିଶା ଡଟ କମ

Exit mobile version