Site icon Odisha.com

ପୁଅ ସହ ବିଜେପିରେ ଯୋଗଦେଲେ ଗିରିଧର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧୮ ଜୁନ (ଓଡିଶା ଡଟ୍ କମ୍): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଗିରିଧର ଗମାଙ୍ଗ ପୁତ୍ର ଶିଶିରଙ୍କ ସହ ଗୁରୁବାର ଭାରତୀୟ ଜନତା ପାର୍ଟିର ଭୁବନେଶ୍ଵରରେ ସ୍ଥିତ ରାଜ୍ୟ କାର୍ଯ୍ୟାଳୟକୁ ଆସି ସେଠାରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି ।

ତାଙ୍କୁ ଦଳୀୟ ନେତା ସ୍ଵାଗତ କରିଥିବା ବେଳେ ରାଜ୍ୟ ବିଜେପି ସଭାପତି କନକ ବର୍ଧନ ସିଂହଦେଓ ଦଳୀୟ କ୍ୟାପ ପିନ୍ଧାଇ ଥିଲେ । ଅନ୍ୟ ଯେଉଁ ବରିଷ୍ଠ ନେତା ଏହି ସମୟରେ ଉପସ୍ଥିତ ଥିଲେ ସେମାନେ ହେଲେ ପାର୍ଟି ର ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦକ ରାମଲାଲା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ପୂର୍ବରୁ ଜୁନ ୧୨ ତାରିଖରେ ଗିରିଧର ଓ ତାଙ୍କ ପୁଅ ଶିଶିର ବିଜେପି ଅଧ୍ୟକ୍ଷ ଅମିତ ସାହାଙ୍କୁ ନୂଆଦିଲ୍ଲୀରେ ଭେଟି ପାର୍ଟିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସାହା ଏହି ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ନେତୃତ୍ଵଙ୍କୁ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ନିର୍ଦେଶ ଦେଇଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାର୍ଟିରେ ଉପଯୁକ୍ତ ସମ୍ମାନ ନ ମିଳିବା ତଥା ବାରମ୍ବାର ଅପମାନିତ ହେବା ଦର୍ଶାଇ ଗିରିଧର ଗମାଙ୍ଗ ମଇ ୩୦ ତାରିଖ ଦିନ କଂଗ୍ରେସ ପାର୍ଟି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ ।

୭୨ ବର୍ଷ ବୟସ୍କ ଗମାଙ୍ଗ ଫେବୃୟାରୀ ୧୭ ୧୯୯୯ ରୁ ଡିସେମ୍ବର ୬ ୧୯୯୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ଅତୀତ ରେ ନଅ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।

ପୂର୍ବରୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ସହ ନୂଆଦିଲ୍ଲୀ ରେ ସାକ୍ଷାତ ଆଲୋଚନା କରିଥିବାରୁ ଗମାଙ୍ଗ ବିଜେପି ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚା ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version