Site icon Odisha.com

ବ୍ରହ୍ମ ପରିବର୍ତନ ରାଜନୀତି: କିଏ ସାତ କିଏ ସତର

କେଦାର ମିଶ୍ର

ଭୁବନେଶ୍ଵର, ଜୁନ ୧୯ (ଓଡିଶା ଡଟ୍ କମ୍): ରାଜନୀତି ମୈଦାନ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକ ପ୍ରକାର ମୂକ ଖେଳନା ପାଲଟି ଯାଇଛନ୍ତି । ନବକଳେବର ବିଧାନର ସର୍ବଶ୍ରେଷ୍ଠ ଓ ଗୋପନତମ ସେବା ବ୍ରହ୍ମ ପରିବର୍ତନ ର ସମୟ ଓ ଏଥିରେ ଦଇତାପତିଙ୍କ ଭୂମିକା ଏବେ ସାରା ଦେଶ ର ଧାର୍ମିକ ଜନତାଙ୍କ ମନରେ ଗଭୀର କ୍ଷ୍ୟତ ସୃଷ୍ଟି କରିଛି।

ଅର୍ଦ୍ଧ ରାତ୍ରିରେ ଯେଉଁ ବ୍ରହ୍ମ ପରିବର୍ତନ ବିଧି ଗୋପନରେ ହେବା କଥା ତାହା ୧୬ ତାରିଖ ସୂର୍ଯ୍ୟାଲୋକରେ ସମ୍ପନ୍ନ ହୋଇଚି । ଏହି ଘଟଣା ରେ କେବଳ ନୀତି ବିଭ୍ରାଟ ଘଟିଚି ତାହା ନୁହଁ , ଏଥିରେ ଓଡ଼ିଶା ରାଜନୀତି ର କଦର୍ଯ୍ୟ ଚେହେରା ଫୁଟି ଦିଶୁଚି ।

ଦଇତା ସେବକ ମାନେ ଯେଉଁ ଗୋପନ ବିଧି କୁ ଶହ ଶହ ବର୍ଷ ଧରି ରହସ୍ୟ ଅନ୍ତରାଳରେ ରଖି ଆସିଥିଲେ, ସେ ରହସ୍ୟ ଆଜି ଲୋକହସା ହେଇ ଦାଣ୍ଡରେ ଦିଶୁଚି । କେହି କେହି ଗର୍ବର ସହ ନିଜ ମୋବାଇଲ୍ ରେ ବ୍ରହ୍ମ ପରିବର୍ତନ ର ଫଟୋ ଦେଖୁଥିବା ବେଳେ ଆଉ କେହି ବ୍ରହ୍ମ ଚୋରୀ ହେଇ ଯାଇଥିବାର ସଂଗୀନ୍ ଆରୋପ ଲଗାଉଛନ୍ତି ।

ସମୁଦାୟ ଘଟଣାକ୍ରମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ଓ ଗୌରବ ର ପ୍ରତିଷ୍ଠିତ ପରମ୍ପରା ଆହତ ହୋଇଚି ।

ରାଜ୍ୟ ବିଜେଡି ରାଜନୀତିର ଦୁଇଜଣ ତୁଂଗ ନେତା ଯିଏକି ଦଇତା ସେବକ ମଧ୍ୟ ଅଟନ୍ତି ସେମାନଙ୍କ ଜିଦ୍ ଯୋଗୁଁ ବ୍ରହ୍ମ ପରିବର୍ତନ ସମୟ ରେ ବିଳମ୍ବ ଘଟିଥିଲା ବୋଲି ଦଳପତି ତଥା ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ସୂଚନା ଦେଇଚନ୍ତି ।

ତେବେ ହଳଧରଙ୍କ ବିରୋଧରେ ପ୍ରତ୍ୟାରୋପ କରିଛନ୍ତି ଯୁବ ଦଇତାପତି ତଥା ବିଜେଡି ନେତା ଜୟକୃଷ୍ଣ ଦାଶ ମହାପାତ୍ର ।

ଏହି ଆରୋପ ପ୍ରତ୍ୟାରୋପ ରାଜନୀତି ରେ ସାଧାରଣ ଭକ୍ତ ର ଆସ୍ଥା ଦୋହଲି ଯାଉଛି । ଏହାକୁ ନେଇ ରାଜନୈତିକ ଦଳ ଗୁଡିକ ମଧ୍ୟ ଗୋଳିଆ ପାଣିରୁ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ରାଜନୀତି ରେ ଏହି ଘଟଣା ବିଶ୍ଵାସ ଭାଙ୍ଗିବାର ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଛି ।

ଏହି ଘଟଣା ରେ କିଏ ସତ କିଏ ମିଛ , କିଏ ନାୟକ କିଏ ଖଳ ନାୟକ ତାହା ସମୟ କହିବ । କିନ୍ତୁ ଏହା ଓଡିଆ ଜାତି ର ଇଷ୍ଟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଘୋର ଅପମାନ। ଯେଉଁ ମାନେ ଜଗନ୍ନାଥ ସଂସ୍କୃତିର ରକ୍ଷକ ସେମାନେ ନିଜ ଛୋଟ ସ୍ଵାର୍ଥ ଲାଗି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version