Site icon Odisha.com

୨୦୧୯-୨୦ ସୁଦ୍ଧା ତିନି ଲକ୍ଷ ନିଯୁକ୍ତି ଲକ୍ଷ୍ୟଧାର୍ଯ୍ୟ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୨ ଜୁନ (ଓଡିଶା ଡଟ୍ କମ୍): ୨୦୧୯-୨୦ ସୁଦ୍ଧା ରାଜ୍ୟରେ ଅତିରିକ୍ତ ତିନି ଲକ୍ଷ ନିଯୁକ୍ତିର ସୁଯୋଗ ସ୍ତୃଷ୍ଟି କରିବା ସହ ମୋଟ ଘରୋଇ ଉତ୍ପାଦନର ୨୭ ପ୍ରତିଶତି କାର୍ଯ୍ୟ ମାନୁଫାକ୍ଚରିଙ୍ଗ ସେକ୍ଟର ମାଧ୍ୟମରେ ପୂରଣ କରିବାର ଲକ୍ଷ୍ୟ ରଖି ସୋମବାର ସଚିବାଳୟରେ ଅନୁଷ୍ଠିତ ଵୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଲ୍ପ ବିଭାଗକୁ ଏକ ଯୋଜନା ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଯେପରି ଅଧିକ ପୁଞ୍ଜି ନିବେଶକାରୀ ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରନ୍ତି ସେଥିପାଇଁ ଗୁରୁତ୍ଵ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଶିଳ୍ପନୀତି ୨୦୧୫ ଏବଂ ସେଜ ନୀତିକୁ ତୁରନ୍ତ ଚୁଡାନ୍ତ ରୂପ ଦେବାପାଇଁ ପରାମର୍ଶ ଦେଇ ସେ କହିଛନ୍ତି ରାଜସ୍ୱ ସଂଗ୍ରହ, ଆନୁସଙ୍ଗିକ ଶିଳ୍ପର ପ୍ରସାର ମାଧ୍ୟମରେ ନିଯୁକ୍ତିର ସୁଯୋଗ ସଂପ୍ରସାରିତ କରିବା ଶିଲ୍ପାୟନର ମୁଖ୍ୟ ଲକ୍ଷ୍ୟ ଅଟେ ।

ଏହି ଵୈଠକରେ ପାରାଦ୍ଵୀପ, କଳିଙ୍ଗନଗର ଓ ଧାମରାଠାରେ ଯଥାକ୍ରମେ ପେଟ୍ରୋକେମିକାଲ୍ସ, ଧାତବ ଶିଳ୍ପ, ଆନୁସଙ୍ଗିକ ଶିଳ୍ପ ଏବଂ ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଓ ଉନ୍ନତି ନିମନ୍ତେ ଆଲୋଚନା କରାଯାଇଥିବାବେଳେ ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ ସିଷ୍ଟମ ଡିଜାଇନ୍ସ ମାନୁଫାକ୍ଚର ପାର୍କର ଅଗ୍ରଗତି ବିଷୟରେ ଆଲୋଚନା ହୋଇଛି ।

ସେହିପରି ଡେରାସରେ ସାମୁଦ୍ରିକ ଖାଦ୍ୟ ପାର୍କ, ଗଞ୍ଜାମରେ ସମନ୍ଵିତ ବୟନ ଶିଳ୍ପ ପାର୍କ, ଭଦ୍ରକରେ ଫୁଡ ପାର୍କ, ରାୟଗଡ଼ ଓ ଅନୁଗୁଳରେ ଥିବା ଆଲ୍ମୁନିୟମ ପାର୍କ ଝାରସୁଗୁଡା ଓ ସମ୍ବଲପୁରର ଇସ୍ପାତ ସମ୍ପର୍କିତ ଆନୁସଙ୍ଗିକ ଶିଳ୍ପ ଆଦି କାର୍ଯ୍ୟର ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ରାଜ୍ୟରେ ଶିଳ୍ପ ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ତା’ର ନିଜସ୍ଵ ଜମି ଅଧିଗ୍ରହଣ ନୀତି ପ୍ରଣୟନ ଉପରେ ଗୁରୁତ୍ଵ ଦେବ । ଏହା ସହ ଶିଳ୍ପ ପାଇଁ ଜମି ହରାଇଥିବା ଜମି ମାଲିକମାନଙ୍କୁ ଏଥିରେ ଅଂଶୀଦାର କରାଯାଇ ସେହି ଶିଳ୍ପରୁ ଆସୁଥିବା ଲାଭାଂଶ ନିୟମିତ ଭାବରେ ସେମାନଙ୍କୁ ପ୍ରଦାନ କରାଯିବ ।

ଏଥିପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା କରି ଏକ ଯୋଜନା ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆଜିର ଏହି ଵୈଠକରେ ଶିଳ୍ପମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର,ଶିଳ୍ପ ବିଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ, ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version