Site icon Odisha.com

ଘଟ ପରିବର୍ତ୍ତନ ବିଭ୍ରାଟ ପରେ ଛୁଟି ବାତିଲ, ଚାରିମନ୍ତ୍ରୀଙ୍କୁ ଦାୟିତ୍ଵ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୩ ଜୁନ (ଓଡିଶା ଡଟ୍ କମ୍): ଶ୍ରୀଜିଉମାନଙ୍କର ଘଟ ପରିବର୍ତ୍ତନରେ ସୃଷ୍ଟି ହୋଇଥିବା ବିବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି ରଥଯାତ୍ରା ସୁପରିଚାଳନ ପାଇଁ ପୁରୀ ଜିଲ୍ଲାର ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ଏବଂ ଚାରିଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଦାୟିତ୍ଵ ଦେଇ ରଥଯାତ୍ରା ସରିବା ପର୍ଯ୍ୟନ୍ତ ପୁରୀରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସୋମବାର ପ୍ରାୟ ଅଧଘଣ୍ଟାର ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ଦାୟିତ୍ଵ ଦେଇ ରଥଯାତ୍ରାରେ ଯେପରି ବିଶୃଙ୍ଖଳା ନହେବ ସେଥିପାଇଁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ଶେଷ ନହେବା ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟିରେ ଯାଇପାରିବେ ନାହିଁ ।

ବିଭିନ୍ନ ସମୟରେ କାର୍ଯ୍ୟ ଠିକ ହେଉଛି କି ନାହିଁ ତା’ର ଯାଞ୍ଚ ନିମନ୍ତେ ମୁଖ୍ୟ ଶାସନ ସଚିବ ଗୋକୁଳ ଚଦ୍ର ପତିଙ୍କୁ କ୍ଷେତ୍ର ପରିଦର୍ଶନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।ସଚିବମାନେ ନିଜ ବିଭାଗର ଅଧିକାରୀମାନଙ୍କୁ ପୁରୀରେ ନିୟୋଜିତ କରିବା ସହ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟଗୁଡିକୁ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହା ସହ ରଥଯାତ୍ରା ପୂର୍ବରୁ ପୁରୀରେ ପରିମଳ, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟଯେ, ଗତ ଜୁନ ୧୫ ମଧ୍ୟରାତ୍ରିରେ ହେବାକୁ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ବ୍ରହ୍ମ ପରିବର୍ତ୍ତନ ଜୁନ ୧୬ ଅପରାହ୍ନ ରେ ସମାପନ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲ ରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ଓଡିଶା ଡଟ୍ କମ୍

Exit mobile version