ଓଡିଶା ନ୍ୟୁଜ/ Odisha News
ଧର୍ମ

ବ୍ରହ୍ମ ହୁଅ ପରକାଶ (ବିଶେଷ)

କେଦାର ମିଶ୍ର

“ବ୍ରହ୍ମ ହୁଅ ପରକାଶ
ପିଣ୍ଡ ବ୍ରହ୍ମାଣ୍ଡ ଦୂରିତ ଝଟତିରେ ନାଶ”

ଓଡ଼ିଆ କବିତାର ଅନ୍ୟତମ ବିଦ୍ରୋହୀ ମହାନାୟକ ଭୀମଭୋଇଙ୍କ କବିତାରେ ବ୍ରହ୍ମ ପ୍ରତି ଏହି ଆକୁଳ ନିବେଦନ ପଛରେ କେଉଁ ସମାଜତାତ୍ତ୍ୱିକ କାରଣ ଅଛି, ତା’କୁ ଖୋଜିବା ଆଜି ପାଇଁ ପ୍ରାସଙ୍ଗିକ ହେବ । ଭାରତୀୟ ପରମ୍ପରାରେ ବ୍ରହ୍ମକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ବ୍ରହ୍ମର ଅବସ୍ଥିତି ଯେତିକି ପୁରୁଣା, ବ୍ରହ୍ମର ସନ୍ଧାନ, ଆକଳନ, ଅନୁଶୀଳନ ଓ ଅଧ୍ୟୟନ ମଧ୍ୟ ସେତିକି ପୁରୁଣା । ବ୍ରହ୍ମକୁ ନେଇ ରହସ୍ୟର ଏକ ଇନ୍ଦ୍ରଜାଲ ଉପରେ ଆମର ଈଶ୍ୱରୀୟ ଅବଧାରଣା ବଞ୍ଚି ରହିଛି । ସେହି ଇନ୍ଦ୍ରଜାଲଟି ଛିଣ୍ଡିଗଲେ ବ୍ରହ୍ମ ଉପରେ ରହିଥିବା ଆସ୍ଥା ମଧ୍ୟ ଭାଙ୍ଗିଯିବ ।

ସେଥିପାଇଁ ରହସ୍ୟକୁ ବଞ୍ଚାଇ ରଖିବାର ଏକ ନିରବଚ୍ଛିନ୍ନ ପରମ୍ପରା ଭାରତୀୟ ହିନ୍ଦୁ ସଭ୍ୟତାରେ ଦୃଶ୍ୟମାନ ହୁଏ । ସବୁକିଛି ଗୁହ୍ୟ, ଗୋପନ ଓ ଚର୍ମଚକ୍ଷୁର କ୍ଷମତା ବାହାରେ । ଶ୍ରୀଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ନୀତି ସେହି ପରମ୍ପରାର ଅଂଶବିଶେଷ ମାତ୍ର ।

ଶ୍ରୀଜଗନ୍ନାଥଙ୍କ ନବକଳେବର ବିଧାନ ସହିତ ଏକ ରହସ୍ୟବଳୟ ସବୁକାଳେ ରହିଆସିଛି । ଗୋଟିଏ ପକ୍ଷରେ ଶ୍ରୀମନ୍ଦିରର ମେଘନାଦ ପାଚେରୀ ଭିତରେ ରାଜନୈତିକ ଶକ୍ତିକେନ୍ଦ୍ରର ଘଟନ ଓ ବିଘଟନ ଚାଲିଥିବାବେଳେ ଅପରପକ୍ଷରେ ଏହାକୁ ଆଢୁଆଳ କରିବା ପାଇଁ ଏକ ଇଚ୍ଛାକୃତ ରହସ୍ୟ ସବୁବେଳେ ରହି ଆସିଛି ।

ଶ୍ରୀଜଗନ୍ନାଥ କେବଳ ଭାବ, ଭକ୍ତି ଓ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ନୁହଁନ୍ତି । ଶହଶହ ବର୍ଷ ଧରି ଓଡ଼ିଶାର ରାଜନୀତି, ଅର୍ଥନୀତି, ସଂସ୍କୃତି ଓ ଜୀବନବୋଧ ତାଙ୍କୁ କେନ୍ଦ୍ର କରି ଗଢି ଉଠିଛି । ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜା ଶ୍ରୀଜଗନ୍ନାଥଙ୍କ ପାଦରେ ରାଉତ ପଣେ ଖଟିଛନ୍ତି ।

ଅର୍ଥାତ୍‍ ଜଗନ୍ନାଥ ହେଉଛନ୍ତି ରାଜା ଓ ଗଜପତି ତାଙ୍କର ରାଉତ । ରାଜା ଭାବରେ କେବଳ ରାଜଭୋଗ ଖାଇ ମହାପ୍ରଭୁ ରହିପାରିବେ ନାହିଁ । ରାଜାର ଦାୟିତ୍ୱ ଓ ସଂକଟ ମଧ୍ୟ ପ୍ରଭୁଙ୍କୁ ତୁଲାଇବାକୁ ପଡ଼ିବ । ସେଥିପାଇଁ ବହୁ କାଳ ଶ୍ରୀଜଗନ୍ନାଥଙ୍କୁ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ପଡିଛି ।

କେବେ କାଞ୍ଚି ଅଭିଯାନରେ ଅଶ୍ୱାରୋହୀ ସୈନିକ ଭାବରେ ସେ ଯୁଦ୍ଧ କରୁଛନ୍ତି ପୁଣି କେବେ ମୋଗଲ ଗୋଳରୁ ବଞ୍ଚିବା ପାଇଁ ମନ୍ଦିରରୁ ବିସ୍ଥାପିତ ହେଉଛନ୍ତି । ରାଜନୀତିର ବଦଳୁଥିବା ସ୍ୱରୂପ ସହ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଥା ଓ ପରମ୍ପରା ମଧ୍ୟ ବଦଳୁଛି ।

ଆଜି ନବକଳେବର ବିଭ୍ରାଟକୁ ନେଇ ହୋ ହଲ୍ଲା ଚାଲିଥିବାବେଳେ ଶ୍ରୀମନ୍ଦିରର ଇତିହାସ ସମ୍ପର୍କରେ ସମସ୍ତେ ଯେମିତି ଆଖିବୁଜି ବସିଛନ୍ତି । ମନ୍ଦିର ପରିଚାଳନାର ଇତିହାସ ସହିତ ଏତେ ଗୁଡ଼ାଏ ବିଭ୍ରାଟ ଓ ବିଭ୍ରାନ୍ତି ଜଡ଼ିତ ଯେ ସେ ସମ୍ପର୍କରେ ଏକ ଭିନ୍ନ ଗ୍ରନ୍ଥ ଲେଖାଯାଇପାରିବ ।

ଶହ ଶହ ବର୍ଷ ଧରି ମନ୍ଦିର ପରିଚାଳନାର ରାଜନୀତି ବଦଳିଛି ଓ ରାଜନୀତି ସହିତ ପ୍ରଥା ଓ ପରମ୍ପରା ମଧ୍ୟ ବଦଳିଛି । ତେଣୁ ମନ୍ଦିର ଭିତରେ ଯାହା ଘଟେ, ତାହାକୁ ରହସ୍ୟର ଇନ୍ଦ୍ରଜାଲ ଭିତରେ ରଖିବାକୁ ସେବାୟତମାନେ ପ୍ରୟାସ କରି ଆସିଛନ୍ତି । ରହସ୍ୟର ଇନ୍ଦ୍ରଜାଲ ଭିତରେ ରହିଲେ ଯାଇ ପ୍ରଭୁଙ୍କର ପ୍ରଭୁପଣ ବଜାୟ ରହିବ ।

ସେହି ରହସ୍ୟଟି ତୁଟି ଗଲେ ଲୋକଙ୍କର ଆସ୍ଥା ମଧ୍ୟ ଦୋହଲିଯିବ । ଦୁର୍ଭାଗ୍ୟ କ୍ରମେ ଆଜି ତାହାହଁ ହୋଇଛି ।

୨୪ – ୭ର ଟେଲିଭିଜନ୍‍ ଯୁଗ ଓ ମୋବାଇଲ୍‍ କ୍ୟାମେରାର ସର୍ବବ୍ୟାପୀ ଉପସ୍ଥିତି ସମୟରେ ରହସ୍ୟକୁ ବଞ୍ଚାଇ ରଖିହେବ କେମିତି ? ମହାପ୍ରଭୁଙ୍କ ନାଭିଦେଶରେ ବ୍ରହ୍ମ କପାଟ ଭିତରେ ଯେଉଁ ରହସ୍ୟମୟ ପଦାର୍ଥଟି ରହିଛି, ତା’କୁ ନେଇ ଶହଶହ ବର୍ଷର କଳ୍ପନା ଜଳ୍ପନା ଧୂଳିସାତ ହୋଇଯିବ କି ?

ଗତ ଜୁଲାଇ ୧୬ ତାରିଖରୁ ବ୍ରହ୍ମ କପାଟର ରହସ୍ୟ ସାଧାରଣ ଜନତା ପାଇଁ ଏକପ୍ରକାର ବିଦ୍ରୂପର ବସ୍ତୁ ପାଲଟିଯାଇଛି । ବ୍ରହ୍ମ ପରିବର୍ତ୍ତନ ପରଠୁ ଏହାକୁ ନେଇ ରାଜନୀତି, ଆରୋପ-ପ୍ରତ୍ୟାରୋପ ଓ ଉଦ୍ଭଟ ବୟାନବାଜିର ପ୍ରବାହ ଚାଲିଛି । ଏ ପ୍ରବାହରେ ପ୍ରତି କଥାକୁହା ନାଗରିକ ଜଗନ୍ନାଥ ସଂସ୍କୃତିର ବିଷାରଦ ପାଲଟିଯାଇଛନ୍ତି ।

ସବୁ ସାମ୍ବାଦିକ ପ୍ରବଚକ ପାଲଟିଯାଇଥିବାବେଳେ ପ୍ରତ୍ୟେକ ରାଜନେତା ଜଗନ୍ନାଥଙ୍କର ରାଉତ ସାଜି ବିବୃତି ଦେଉଛନ୍ତି । ସେବାୟତଙ୍କ ଭିତରେ ମରାମରିର ପରିଣତି ସ୍ୱରୂପ ସବୁଠୁ ଭୟଙ୍କର ବଳି ଭାବରେ ମହାପ୍ରଭୁଙ୍କ ରହସ୍ୟ ଆଜି ରକ୍ତାକ୍ତ ହୋଇ ପଡିଛି ।

ଗତ ୧୫ ଓ ୧୬ ତାରିଖ ରାତିରେ ଘଟିଥିବା ବିଭ୍ରାଟ ଅପେକ୍ଷା ଆହୁରି ବଡ଼ ବଡ଼ ବିଭ୍ରାଟକୁ ଶ୍ରୀମନ୍ଦିର ସମ୍ଭାଳି ଆସିଛି । କଳାପାହାଡ଼ର ଆକ୍ରମଣ ପରେ ଯେତେବେଳେ ମହାଦାରୁମାନଙ୍କୁ ଗଙ୍ଗାକୂଳରେ ପୋଡ଼ି ଦିଆଗଲା, ତାଙ୍କରି ଚିତାଭସ୍ମରୁ ବ୍ରହ୍ମପଦାର୍ଥକୁ ଉଦ୍ଧାର କରି ବିଶର ମହାନ୍ତି ନିଜ ମୃଦଙ୍ଗ ଭିତରେ ନେଇ ଆସିଲେ ଓ କୁଜଙ୍ଗରେ ମହାପ୍ରଭୁଙ୍କୁ ନବକଳେବର ଦେଲେ ।

ଆଉ କେଉଁ ରକ୍ତବାହୁର ଆକ୍ରମଣରୁ ରକ୍ଷା ପାଇବାକୁ ସୋନପୁର ତ୍ରିକୂଟ ପାହାଡ଼ରେ ମହାପ୍ରଭୁ ୧୪୩ ବର୍ଷ ମାଟି ତଳେ ପାତାଳି ହୋଇ ରହିଲେ । କେବେ ଚିଲିକାର ଚଢେଇହଗା ପାହାଡ଼, ପୁଣି କେବେ ମାରଦାର ଜଙ୍ଗଲ ଭିତରେ ମହାପ୍ରଭୁ ଲୁଚି ରହିଲେ ।

ତଥାପି ତାଙ୍କର ରହସ୍ୟ ଊଣା ହୋଇ ନାହିଁ । ସେଥିପାଇଁ ତାଙ୍କୁ କୁହାଯାଇଛି “ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ” । ରହସ୍ୟ ଥିବା ଯାଏ ସେ ଅଛନ୍ତି । ଗୋପ୍ୟ ହୋଇ ଥିବା ଯାଏ ସେ ବ୍ରହ୍ମ । ଯଦି ରହସ୍ୟ ଫିଟିଯାଏ ସେ ରହିବେ ନାହିଁ । ସେ ନ ରହିଲେ ଜଗତ ରହିବ ନାହିଁ । ଏହି ତତ୍ତ୍ୱଟିକୁ ଆମେ ନ ବୁଝି ଏତେ ବିକଳରେ ପାଟିତୁଣ୍ଡ କରୁଛୁ ଯେ ସତେ କି ଆମେ ହିଁ ହେଉଛୁ ସ୍ୱୟଂ ଜଗନ୍ନାଥ ।

ଶ୍ରୀ ଜଗନ୍ନାଥଙ୍କ ନୀତି ନିୟମ, ଶାସନ ପ୍ରଶାସନ ଓ ଇତିହାସକୁ ବୁଝିବାକୁ ହେଲେ ଆମକୁ ଶ୍ରୀମନ୍ଦିରର ପରମ୍ପରା ତଥା ଇତିହାସକୁ ଅଣ୍ଡାଳିବାକୁ ପଡ଼ିବ । ସେଇ ଇତିହାସ ଓ ପରମ୍ପରା ବାବାଜୀ ଦେଉଥିବା ପ୍ରବଚନ ଭଳି ସରଳ ନୁହେଁ । ସେଥିରେ ବହୁ ଜଟିଳ ଓ ଅନ୍ଧକାର ଅଧ୍ୟାୟ ରହିଛି ।

ସେହି ଜଟିଳତା ଓ ଅନ୍ଧାର ଭିତରେ ବ୍ରହ୍ମ ନିଜକୁ ପ୍ରକଟିତ କରିଛନ୍ତି । ଦୟା କରି ସେହି ଜଟିଳତା ଓ ଅନ୍ଧକାରକୁ ସେମିତି ରହିବାକୁ ଦିଆଯାଉ । ବ୍ରହ୍ମ ପରିବର୍ତ୍ତନ ଓ ପାତାଳୀ ଲୀଳା ଆମ ପାଇଁ ଗୋପ୍ୟ ହୋଇ ରହୁ । ସେହି ରହସ୍ୟଭେଦ କରିବା ପାଇଁ ଆମ କ୍ୟାମେରା ଆଖି ଯଦି ବ୍ୟାକୁଳ ହୁଏ, ତା’ହେଲେ ଆମେ ନିଜେ ନିଜର ପ୍ରାଣସତ୍ତାକୁ ହରାଇ ବସିବା ।

ବ୍ରହ୍ମ ଯେବେ ଚାହିଁବେ, ସେବେ ପ୍ରକାଶିତ ହୁଅନ୍ତୁ । ଆମେ ଭୀମଭୋଇଙ୍କ ଭଳି କେବଳ ପ୍ରାର୍ଥନା କରିପାରିବା ଯେ, ବ୍ରହ୍ମ ହୁଅ ପରକାଶ ।

ଫୋନ୍‍ : ୯୪୩୭୧୫୪୪୪୫

Leave a Reply

This site uses Akismet to reduce spam. Learn how your comment data is processed.