Site icon Odisha.com

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’କୁ ନେଇ ଦୁଇ ଦଇତାପତିଙ୍କ ନିଲମ୍ବନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୫ ଜୁନ (ଓଡିଶା ଡଟ୍ କମ୍): ବ୍ରହ୍ମ ପରିବର୍ତ୍ତନ ବେଳେ ସୃଷ୍ଟି ହୋଇଥିବା ବିଭ୍ରାଟର ତଦନ୍ତ କରି ଶ୍ରୀ ମନ୍ଦିର ପ୍ରଶାସନ ଦୁଇଜଣ ଦଇତାପତିଙ୍କୁ ଜଗନ୍ନାଥଙ୍କ ସେବା କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ ହୋଇଥିବା ଏହି ଦୁଇ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଓ କାଶୀନାଥ ଦାସ ମହାପାତ୍ର ପିତା-ପୁତ୍ର ଅଟନ୍ତି । କାଶୀନାଥ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ବଡ଼ ଭାଇ ହୋଇଥବାବେଳେ ପୁଅ ଜୟକୃଷ୍ଣ ବିଜେଡ଼ିର ଟାଉନ ସଭାପତି ଅଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି, ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ପାଇଁ ହୋଇଥିବା ଘଟଣାର ତଦନ୍ତରେ ମୋଟ ନଅ ଜଣଙ୍କୁ ପଚରାଉଚରା କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି,ସେମାନେ ହେଲେ ଚାରି ବାଡଗ୍ରାହୀ, ବିଶ୍ଵାବସୁ, ବିଦ୍ୟାପତି, ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ ।

ସୁରେଶ ମହାପାତ୍ରଙ୍କ କହିବାନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁସାରେ ବ୍ରହ୍ମ ପରିବର୍ତ୍ତନ କରିବା ପାଇଁ ଚାରି ବାଡ଼ଗ୍ରାହୀ ଯେତେବେଳେ ଅଣସରଘରକୁ ଯାଉଥିଲେ ସେତେବେଳେ ଜୟକୃଷ୍ଣ ଓ କାଶୀନାଥ ଦାସମହାପାତ୍ର ସେମାନଙ୍କୁ ବାଧା ଦେଇ ଭିତରକୁ ଯିବା ପାଇଁ ଜିଦ ଧରିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଫଳରେ ଘଟ ପରିବର୍ତ୍ତନରେ ବିଳମ୍ବ ଘଟିଥିଲା ।

ଏହି କାରଣକୁ ଦୃଷ୍ଟିରେ ରଖି ପ୍ରାଥମିକ ସ୍ତରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଧାରା ୨୧-୧ ଅନୁଯାୟୀ ଜୟକୃଷ୍ଣ ଓ ତାଙ୍କ ବାପା କାଶୀନାଥ ଦାସମହାପାତ୍ରଙ୍କୁ ଦଇତାପତି ସେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି। ତେବେ ଏବେବି ତଦନ୍ତ ଚାଲିଛି ଆଗକୁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ନିଲମ୍ବିତ ହେବ ପରେ ଜୟକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ ମନ୍ଦିର ପ୍ରଶାସନ ତାଙ୍କ ନିଲମ୍ବନ ଖବର ସେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ । ତେବେ ସେ ଏପରି କୌଣସି କାର୍ଯ୍ୟ କରି ନାହାନ୍ତି ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯିବ । ସେ ଜଗନ୍ନାଥଙ୍କର ଜଣେ ଶୃଙ୍ଖଳିତ ସେବକ ।

ସେହିପରି କାଶୀନାଥ ଦାସମହାପାତ୍ର କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରୁ ସେମାନଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ୍ ଦିଆନଯାଇ ସେମାନଙ୍କ ପକ୍ଷ ନଜାଣି ଏଭଳି ନିଲମ୍ବିନ କରିବା ନିୟମ ବିରୁଦ୍ଧ ଅଟେ । ତେବେ ସେ ଏକା ନୁହନ୍ତି ଆଉ ଚାରିଜଣ ବରିଷ୍ଠ ଦଇତାପତି ମଧ୍ୟ ତାଙ୍କ ସହ ଭିତରକୁ ଯାଇଛନ୍ତି ତେବେ କେଉଁ ପରିସ୍ଥିତିରେ କେବଳ ତାଙ୍କୁ ଓ ତାଙ୍କ ପୁଅକୁ ନିଲମ୍ବନ କରାଯାଇଛି ସେ ପ୍ରଶ୍ନ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version