Site icon Odisha.com

ନିଖୋଜ ରଗବୀ ଖେଳାଳିଙ୍କୁ ପ୍ରେମିକ ସହ ଠାବ କଲା ପୁଲିସ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୫ ଜୁଲାଇ (ଓଡିଶା ଡଟ୍ କମ୍): ଗତ ଏକ ମାସରୁ ଉର୍ଦ୍ଧ୍ଵ ସମୟ ଧରି ନିଖୋଜ ଥିବା ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ପୁଲିସ ତାଙ୍କ ପ୍ରେମିକ ସହ ନୟାଗଡ଼ ଅଞ୍ଚଳରେ ଠାବ କରି ଭୁବନେଶ୍ୱର ଆଣିଛି ।

ଜୁନ ୨୩ ତାରିଖରୁ ସେ ନିଖୋଜ ଥିଲେ । ତାଙ୍କ ପିତା କୈଳାସ ପ୍ରଧାନଏ ସଂକ୍ରାନ୍ତରେ ନନ୍ଦନକାନନ ଥାନାକୁ ଜଣାଇଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ନୟାଗଡ଼ର ଏକ ଅଞ୍ଚଳରେ ସେମାନେ ଥିବା ଖବର ପାଇ ପୁଲିସ ଚଢାଉ କରିଥିଲା ।

ତାଙ୍କୁ ଅପହରଣ କରାଯାଇ ନ ଥିବା ଓ ସେ ସ୍ଵଇଚ୍ଛାରେ ନିଜ ପ୍ରେମିକ ପ୍ରଭାତଙ୍କ ସହ ଯାଇଥିବା ସୁଜାତା କହିଛନ୍ତି । ସେମାନେ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିବା ସେ ସୂଚନା ଦେଇଛନ୍ତି । ତେବେ ସୁଜାତା ଜଣେ ନାବାଳିକା ହୋଇଥିବାରୁ ତାଙ୍କ ପ୍ରେମିକଙ୍କ ବିରୁଦ୍ଧରେ ଏକ ଅପହରଣ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।

ବରାଙ୍ଗର କୁଞ୍ଜ ବିହାରୀ ମହାବିଦ୍ୟାଳୟର ଯୁକ୍ତଦୁଇ ଶେଷ ବର୍ଷର ଛାତ୍ରୀ ସୁଜାତା କେରଳରେ ଅନୁଷ୍ଠିତ ହୋଇଥିବା ଜାତୀୟ ମହିଳା ରଗବୀ ଚମ୍ପିୟନଶିପରେ ଅଂଶ ଗ୍ରହଣ କରି ସ୍ଵର୍ଣ୍ଣ ପଦକ ଜିତିବା ସହ ୨୦୧୪-୧୫ର ୬୦ତମ ଜାତୀୟ ସ୍କୁଲ ରଗବୀ ଚମ୍ପିୟନଶିପରେ ୧୯ ବର୍ଷରୁ କମ ବୟସର ପ୍ରତିଯୋଗିତାରେ ଭାଗନେଇ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ଜିତି ଥିଲେ ।

ଓଡିଶା ଡଟ୍ କମ୍

Exit mobile version