Site icon Odisha.com

ସାମ୍ବାଦିକଙ୍କୁ ମାଡମାରି ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୮ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଫଟୋ ସାମ୍ବାଦିକ ଜିତେନ୍ଦ୍ର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଚିଟ ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ସ୍ୱସ୍ତିକ୍ ଭାରତ ମଲ୍ଟି ସ୍ଟେଟ କ୍ରେଡିଟ କୋ-ଅପରେଟିଭ ସଂସ୍ଥାର ନିର୍ଦ୍ଦେଶକ ରଞ୍ଜନ ଦାସଙ୍କୁ ବଡଗଡ ଥାନା ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।

ସିବିଆଇ ପକ୍ଷରୁ ଦାସଙ୍କ ବଡଗଡ ବ୍ରିଟ କଲୋନୀ ସ୍ଥିତ ବାସଭବନ ଉପରେ ଚଢଉ ଚାଲିଥିବାବେଳେ ଉକ୍ତ ଘଟଣାର ତଥ୍ୟ ସଂଗ୍ରହ ପାଇଁ ଜିତେନ୍ଦ୍ର ଫଟୋ ଉତ୍ତୋଳନ କରୁଥିଲେ ।

ଏହି ସମୟରେ କିଛି ପେଷାଦାର ଗୁଣ୍ଡା ବାଇକରେ ଆସି ତାଙ୍କୁ ଆକ୍ରମଣ କରିବା ସହ ଏକ ଘର ଭିତରେ ପୁରାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।ଜିତେନ୍ଦ୍ରଙ୍କ ପିଠି, ମୁଣ୍ଡ ଓ ହାତରେ କ୍ଷତ ସୃଷ୍ଟି ହୋଇଥିବା କୁହା ଯାଇଛି । ତାଙ୍କୁ ବନ୍ଧୁକ ଦେଖାଇ ମାରିଦେବାପାଇଁ ଧମକ ମଧ୍ୟ ଦିଆଯାଇଥିବ ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଦେଖିବା ପରେ ଧରିତ୍ରୀ ସଂବାଦପତ୍ରର ଫଟୋ ସାମ୍ବାଦିକ ମନୋରଞ୍ଜନ ମିଶ୍ର ବଡଗଡ ଥାନା କୁ ଜଣାଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ରଞ୍ଜନ ଦାସଙ୍କୁ ଗିରଫ କରିଥିଲେ ।

ସାମ୍ବାଦିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଘଟଣାକୁ ”ପ୍ରେସ କ୍ଲବ ଅଫ ଓଡିଶା” ପକ୍ଷରୁ ନିନ୍ଦା କରାଯାଇ ରଞ୍ଜନ ଦାସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଜାମିନ ନାମଞ୍ଜୁର କରିବା ପାଇଁ ଦାବି କରାଯାଇଛି ।

ଧରିତ୍ରୀ ସମ୍ପାଦକ ତଥାଗତ ଶତପଥିଙ୍କ ନେତୃତ୍ଵରେ କ୍ଲବର ଏକ ପ୍ରତିନିଧି ଦଳ ପୁଲିସ କତ୍ତୃପକ୍ଷଙ୍କୁ ସାକ୍ଷାତ କରି ଏହି ଦାବି କରିଛନ୍ତି ।

ଏଠାରେ ସୁଚାଇ ଦିଆଯାଇପାରେ ଯେ, କିଛିଦିନ ତଳେ କନକ ଟିଭି ର ଜଣେ ସାମ୍ବାଦିକଙ୍କୁ ଭୁବନେଶ୍ଵର ରେଳ ଷ୍ଟେସନ ପରିସରରେ ମାଡମାରି ଜଣେ ଆରପିଏଫ ଇନ୍ସପେକ୍ଟର ନିଲମ୍ବିତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version