Site icon Odisha.com

ଭୁବନେଶ୍ଵରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୧୧ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୬୩ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ ଏଆଇ-୦୭୮ ଶୁକ୍ରବାର ଅନ୍ତର୍ଜାତୀୟ ଉଡାଣ ଆରମ୍ଭ କରିଛି।

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ପତାକା ହଲାଇ ଏହି ଅନ୍ତର୍ଜାତୀୟ ବିମାନ ସେବାର ଶୁଭାରମ୍ଭ କରିଥିଲେ।

ନୂଆଦିଲ୍ଲୀ ରୁ ଘରୋଇ ଯାତ୍ରୀଙ୍କୁ ନେଇ ଆସିଥିବା ବିମାନ ଏଆଇ-୮୭୩ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହାର ନାମ ଏଆଇ-୦୭୮କୁ ପରିବର୍ତ୍ତନ କରାଯାଇ ପୁନଶ୍ଚ ସେହି ବିମାନଟି ବିଦେଶ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଅନ୍ତର୍ଜାତୀୟ ଯାତ୍ରା ଆରମ୍ଭ କରିଛି ।

ଭୁବନେଶ୍ୱର ବିମାନ ବନ୍ଦରର ଟର୍ମିନାଲ୍-୨ରୁ ଯାତ୍ରା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ବିମାନର ଏଆଇ-୦୭୮ରେ ଥିବା ୧୬୩ ଜଣ ଯାତ୍ରୀଙ୍କ ମଧ୍ୟରେ ୩୭ ଜଣ ବିଦେଶ ଯାତ୍ରୀ, ୨ଜଣ ପାଇଲଟ, ୬ ଜଣ ଏୟାର ହୋଷ୍ଟେସ ଓ ୮ଜଣ କର୍ମଚାରୀ ଥିଲେ।

ଏହି ବିମାନରେ ଥିବା ବିଦେଶ ଯାତ୍ରୀ ଯଥାକ୍ରମେ ଦୁବାଇ, ଟୋକିଓ, ସିଂଗାପୁର, ଲଣ୍ଡନ, ଆବୁଧାବୀ, ନିୟୁୟର୍କ, ଓ ନିୟୁଜର୍ସି ନିମନ୍ତେ ଯାତ୍ରା କରିଛନ୍ତି। ତେବେ ସେମାନଙ୍କୁ ସିଧାସଳଖ ବିଦେଶ ନିଆନଯାଇ ପ୍ରଥମେ ଦିଲ୍ଲୀ ନିଆଯିବ ଏବଂ ସେଠାରୁ ଅନ୍ୟ ଏକ ବିମାନ ଯୋଗେ ସେମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

ଆଗାମୀଦିନରେ ଯଦି ବିଦେଶ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିପାଏ ତେବେ ଭୁବନେଶ୍ଵର ବିମାନ ବନ୍ଦରରୁ ସିଧାସଳଖ ଭାବେ ବିଦେଶ ଯାତ୍ରା ନିମନ୍ତେ ବିମାନ ଉଡାଣ ଲକ୍ଷ ରଖାଯାଇଥିବା ଏୟାର ଇଣ୍ଡିଆ କର୍ତ୍ତୁପକ୍ଷ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଏୟାର ଇଣ୍ଡିଆ ଅଧକ୍ଷ ନିର୍ଦ୍ଦେଶକ ରୋହିତ ନନ୍ଦନଙ୍କ ସମେତ ଅନ୍ୟ ବରିଷ୍ଠ ସରକାରୀ ଉଚ୍ଚପଦସ୍ଥ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ଥିଲେ ।

Exit mobile version