ରୋକ ଠୋକ

ଖଣିଜ ଖୁସି ଓ କର୍କଟ ରୋଗର ଧୂଳି (ରୋକ୍ ଠୋକ୍)

କେଦାର ମିଶ୍ର

୨୦୦୭ ମସିହାରେ ଆମେରିକାର ବ୍ଲାକ୍‍ସ୍ମିଥ୍‍ ଇନ୍‍ଷ୍ଟିଚୁ୍ୟଟ୍‍ ଓଡ଼ିଶାର ସୁକିନ୍ଦା ଉପତ୍ୟକାକୁ ପୃଥିବୀର ପ୍ରଥମ ପାଞ୍ଚଟି ପ୍ରଦୂଷିତ ଅଞ୍ଚଳ ଭାବରେ ଚିହ୍ନଟ କରିଥିଲା । ସେତେବେଳେ ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ରିପୋର୍ଟକୁ ଅତିରଞ୍ଜିତ ବୋଲି କହି ଉଡେଇ ଦେଇଥିଲେ । ତେବେ ସମୟକ୍ରମେ ଏହି ରିପୋର୍ଟର ସତ୍ୟତା ଅଧିକ ପ୍ରାଣବନ୍ତ ଲାଗୁଛି ।

ଭାରତର ୯୮ ଭାଗ କ୍ରୋମାଇଟ୍‍ ଗଚ୍ଛିତ ଥିବା ସୁକିନ୍ଦା ଉପତ୍ୟକା ଶିଳ୍ପପତିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଏହା ଏକ ଜୀବନ୍ତ ନର୍କ ପାଲଟି ଯାଇଛି । ଇସ୍ପାତ୍‍, ଆଲୟ୍‍ ଓ ଚମଡ଼ା ପ୍ରକ୍ରିୟାକରଣ ପାଇଁ କ୍ରୋମାଇଟ୍‍ର ଆବଶ୍ୟକତା ରହିଛି ।

ଏବଂ ଦେଶର ସବୁଠୁ ଅଧିକ କ୍ରୋମାଇଟ୍‍ ସୁକିନ୍ଦାରେ ମିଳିଥାଏ । କ୍ରୋମାଇଟ୍‍ ଖଣିର ଉପସ୍ଥିତି ଓ ଖଣିଜ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କି ପ୍ରକାର ପ୍ରଭାବ ପଡୁଛି, ତା’କୁ ନେଇ ରାଜ୍ୟସରକାର ଖୁବ୍‍ ବେଶୀ ଆକଳନ କରୁନାହାନ୍ତି । ଯାହାବି କାଁଭାଁ ଆକଳନ ହେଉଛି ତାହା ସରକାରୀ ନାଲିଫିତା ତଳେ ପଡ଼ି ରହୁଛି ।

ଏହାକୁ ନେଇ ସୁକିନ୍ଦା ଅଞ୍ଚଳରେ ରାଜନୀତି କେବେବି ହୋଇନାହିଁ । ନିକଟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମାନ୍ୟବର ଅଦାଲତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛନ୍ତି ।

ସୁକିନ୍ଦା ଉପତ୍ୟକା କ୍ରମଶଃ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୃତୁ୍ୟଯନ୍ତା ପାଲଟିଛି । କ୍ୟାନ୍‍ସର୍‍ ସମେତ ବହୁ ମାରାତ୍ମକ ରୋଗ ଏହି ଅଞ୍ଚଳବାସୀଙ୍କୁ ଗ୍ରାସ କରୁଛି । ରାଜ୍ୟସରକାରଙ୍କ ଯେଉଁ ରିପୋର୍ଟକୁ ଅଦାଲତ ସନ୍ତୋଷଜନକ ନୁହଁ ବୋଲି କହିଛନ୍ତି, ସେହି ରିପୋର୍ଟରେ ମଧ୍ୟ କ୍ରୋମାଇଟ୍‍ ଖଣିର ସ୍ୱାସ୍ଥ୍ୟଗତ ପ୍ରଭାବକୁ ନେଇ ସ୍ପଷ୍ଟ ଉଲ୍ଲେଖ ରହିଛି ।

କ୍ରୋମାଇଟ୍‍ ଧୂଳି ଯୋଗୁଁ ଡାଇବେଟିସ୍‍, ଚର୍ମରୋଗ, ଗେଷ୍ଟ୍ରୋସାଇଟି୍ରସ୍‍ ଭଳି ରୋଗ ବଢିଚାଲିଛି । ପାଣି, ପବନ ଓ ଧୂଳିରେ ଜୀବନନାଶକାରୀ ଜୀବାଣୁ ପ୍ରବେଶ କରିଛି । ଏହା ସୁକିନ୍ଦା ଉପତ୍ୟକାର ସାତୋଟି ପଞ୍ଚାୟତରେ ରହୁଥିବା ଷାଠିଏ ହଜାର ଲୋକ ଓ ନିକଟବର୍ତ୍ତୀ ଢେଙ୍କାନାଳ ଜିଲ୍ଲାର ପାଞ୍ଚୋଟି ପଞ୍ଚାୟତର ଚାଳିଶ ହଜାର ଲୋକଙ୍କୁ ପ୍ରଭାବିତ କରୁଛି ।

ଏ ସମ୍ପର୍କରେ ଲୁଚାଇବାର କିିଛିନାହିଁ । ତେବେ ଏଥିପାଇଁ ଦାୟୀ କିଏ, ତାହାର ଉତ୍ତର କାହା ପାଖରେ ନାହିଁ । ସୁକିନ୍ଦା ଉପତ୍ୟକାରେ ଇମ୍ଫା, ହ୍ୟାକର୍‍, ଜିନ୍ଦଲ୍‍, ଟିସ୍କୋ, ଓଡ଼ିଶା ମାଇନିଂ କର୍ପୋରେସନ୍‍, ବାଲେଶ୍ୱର ଆଲଏଜ୍‍ ଭଳି କମ୍ପାନୀର ଖଣି ରହିଛି । ଏହିସବୁ ଖଣି ଓପନ୍‍କାଷ୍ଟ୍‍ ହୋଇଥିବାରୁ ଓ ପ୍ରଚୁର ପରିମାଣରେ ଧୂଳି ତଥା ପରିତ୍ୟକ୍ତ ଖଣିଜ ପଦାର୍ଥ ମାଟି ଓ ପାଣି ରେ ମିଶୁଥିବାରୁ ଏହା ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି ।

ଖୋଦ୍‍ ରାଜ୍ୟସରକାରଙ୍କ ରିପୋର୍ଟରେ ଖଣି ପାଇଁ ମୃତୁ୍ୟ ଓ ସ୍ୱାସ୍ଥ୍ୟ ହାନିର ସମ୍ଭାବନାରେ ପ୍ରାୟ ଅଢେଇଲକ୍ଷ ଲୋକ ପ୍ରଭାବିତ ବୋଲି କୁହାଯାଇଛି । ତେବେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଖଣି ଅଞ୍ଚଳରେ ଲୋକଙ୍କର ଜୀବନ ପ୍ରତି ସୃଷ୍ଟି ହେଉଥିବା ବିପଦକୁ ନେଇ ଓଡ଼ିଶାର ଜନସାଧାରଣ, ରାଜନେତା, ଗଣମାଧ୍ୟମ ଓ ନାଗରିକ ସମାଜ ଚିନ୍ତିତ ହେଲା ଭଳି ମନେ ହେଉନାହିଁ । ସୁକିନ୍ଦା କେବଳ ଏକ ଉଦାହରଣ ମାତ୍ର ।

ସୁକିନ୍ଦା ଭଳି କେଉଁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ୍‍, ମୟୂରଭଞ୍ଜ, ରାୟଗଡ଼ା ଇତ୍ୟାଦି ଜିଲ୍ଲାରେ ଏହି ସମସ୍ୟା ଆହୁରି ଗୁରୁତର । ଏହାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତର୍କ ଥିଲା ପରି ମନେ ହେଉନାହିଁ । ସେହିପରି ରାଜ୍ୟର ପ୍ରଦୂଷଣକୁ ନେଇ କାମ କରୁଥିବା ବେସରକାରୀ ସଂଗଠନଗୁଡ଼ିକ ମଧ୍ୟ ଏ ସଂକ୍ରାନ୍ତରେ ନିରବ ରହିଥିଲା ଭଳି ମନେହେଉଛି ।

କ୍ରୋମାଇଟ୍‍ ଖଣି ଯୋଗୁଁ ସୁକିନ୍ଦାର ଜନଜୀବନ କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିପର୍ଯ୍ୟସ୍ତ ହୋଇନାହିଁ । ଖଣି ଯୋଗୁଁ ସ୍ଥାନୀୟ ଲୋକଙ୍କର ଜୀବନ ଓ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ନିକଟରେ ହିନ୍ଦୁସ୍ତାନ ଟାଇମ୍‍ସରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ସୁକିନ୍ଦା ଅଞ୍ଚଳରେ ଖଣି କାରବାର ଯୋଗୁଁ ୧୯୭୫ରେ ପାଖାପାଖି ୪୦,୦୦୦ ଲୋକଙ୍କୁ କାମ ମିଳୁଥିଲା ।

ବିଭିନ୍ନ ଖଣି ବନ୍ଦ ହେଲା ପରେ ଏବେ ଏଥିପାଇଁ ମାତ୍ର ୪,୦୦୦ ଲୋକଙ୍କୁ କାମ କରିବା ସୁଯୋଗ ମିଳୁଛି । ଅର୍ଥାତ୍‍ ଗତ ୩୫ ବର୍ଷ ଭିତରେ ୩୫ ହଜାର ଲୋକ ନିଜର ଜୀବନ ଓ ଜୀବିକା ହରାଇ ସାରିଲେଣି । ଖଣିରେ କାମ ସରିଗଲା ପରେ କୃଷିକାମକୁ ଆଧାର କରି ବଞ୍ଚôବା ଆଉ ସମ୍ଭବ ନୁହଁ ।

କ୍ରୋମାଇଟ୍‍ ମିଶା ଧୂଳି ଜମି ସୁକିନ୍ଦା ଅଞ୍ଚଳର ମାଟି ଅନୁର୍ବର୍‍ ଓ ଚାଷ ଅନୁପଯୋଗୀ ହୋଇଯାଇଛି । ସେଥିରେ ଫସଲ ହେବାର ସମ୍ଭାବନା ନାହିଁ । ସେହିପରି ଏହି ଅଞ୍ଚଳରେ ପ୍ରବାହିତ ଦ୍ୱିତୀୟ ବଡ଼ ନଦୀ ବ୍ରାହ୍ମଣୀ ଭୟଙ୍କର ପ୍ରଦୂଷଣର ଶିକାର ହୋଇଛି । ଖଣି ଓ ଶିଳ୍ପ କାରବାର ଯୋଗୁଁ ବ୍ରାହ୍ମଣୀ ନଦୀ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

ଖଣି ମାଲିକମାନଙ୍କର ଅମାନବୀୟ ଆଚରଣ ଓ ପରିତ୍ୟକ୍ତ ଖଣିଜ ପଦାର୍ଥକୁ ନଈ ପଠାରେ ଫୋପାଡ଼ି ଦେବାର ପ୍ରବଣତା ଯୋଗୁଁ ବ୍ରାହ୍ମଣୀ ଭୟଙ୍କର ଭାବରେ ପ୍ରଦୂଷିତ ହେଉଛି । ଯେଉଁ ଖଣି ମାଲିକମାନେ ବ୍ରାହ୍ମଣୀର ପ୍ରଦୂଷଣ ପାଇଁ ଦାୟୀ, ସେମାନଙ୍କୁ ଦଣ୍ଡିତ କଲାଭଳି ସାହସ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନାହିଁ ।

ସାରା ରାଜ୍ୟରେ ଖଣିକୁ ନେଇ ବହୁ ସମସ୍ୟା ଓ ସଂକଟ ରହିଛି । ତେବେ ଓଡ଼ିଶାରେ ବଜେଟ୍‍ରେ ଖଣିରୁ ହେଉଥିବା ଆୟ ରାଜ୍ୟସରକାରଙ୍କ ପାଇଁ ସବୁଠୁ ବଡ଼ ଆଶା । ତେଣୁ ଖଣି ବନ୍ଦ କରିବା ପାଇଁ ସରକାରଙ୍କ ସାହସ ନାହିଁ ବା ସାମର୍ଥ୍ୟ ନାହିଁ ।

ସୁପ୍ରିମ୍‍କୋର୍ଟ ଯେତେବେଳେ କୋଇଲା ଓ ଲୁହାପଥର ସ୍କାମ୍‍ ଯୋଗୁଁ କେତେକ ଖଣିକୁ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେଲେ, ତାହା ପରେ ରାଜ୍ୟସରାକରଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଗଲା । ଗତବର୍ଷ ରାଜ୍ୟସରକାର ଖଣି ରାଜସ୍ୱ ବାବଦକୁ ୬୩୪୬କୋଟି ଟଙ୍କା

ଆଦାୟ କରିଥିବାବେଳେ ଏହା ୫୧୮୬କୋଟିରେ ସୀମିତ ରହିଛି । ଚଳିତ ବର୍ଷ ସରକାର ଖଣିରୁ ୬୬୦୦ କୋଟି ଟଙ୍କା ଆଦାୟ କରିବାର ଧାର୍ଯ୍ୟ କରିଛନ୍ତି ।

ତେବେ ଏହି ୬୬୦୦ କୋଟି ଟଙ୍କା ପାଇବା ପାଇଁ କେତେ ରାଜ୍ୟବାସୀଙ୍କୁ ବଳି ପକାଇବାକୁ ପଡ଼ିବ, ତା’ର ଆକଳନ ହେବା ମଧ୍ୟ ଜରୁରୀ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଖଣିକୁ ଦୁଧିଆଳୀ ଗାଈ ବୋଲି ବିଚାର କରୁଛନ୍ତି । ନରେନ୍ଦ୍ର ମୋଦି ସରକାର

ଆସିଲା ପରେ ଖଣିରୁ ମିଳୁଥିବା ରାଜସ୍ୱକୁ ଦେଶର ଅର୍ଥନୀତି ପାଇଁ ସବୁଠୁ ବଡ଼ ଉପଲବ୍ଧି ବୋଲି କହୁଛନ୍ତି । ତେବେ ଏହି ଉପଲବ୍ଧି ଯୋଗୁଁ ସାଧାରଣ ଜନଜୀବନ କେତେ ପରିମାଣରେ ପ୍ରଭାବିତ ହେଉଛି, ତା’ର ଆକଳନ ହେବା ଉଚିତ ନୁହେଁ କି ?

ଅବଶ୍ୟ ମୋଦି ସରକାରରେ ପରିବେଶ ଓ ଜଙ୍ଗଲ ଏବେ ଆଉ ଗୁରୁତ୍ୱପୂର୍ଣ୍ଣ ନୁହଁ । ଏହି ବିଭାଗକୁ ତୁରନ୍ତ ଫାଇଲ୍‍ ସଫା କରିବାର ଏକ ଅନୁଷ୍ଠାନ ଭାବରେ ବ୍ୟବହାର କରାଯାଉଛି । ଶିଳ୍ପ ପାଇଁ ତୁରନ୍ତ ସହଯୋଗ ଯୋଗାଇଦେବାକୁ ଯେନତେନ ପ୍ରକାରେ ବ୍ୟବସ୍ଥା

କରିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । ଏହାଦ୍ୱାରା ପ୍ରଭାବିତ ହେଉଥିବା ମାନବ ସମ୍ବଳ ଓ ପରିବେଶ ସମ୍ପର୍କରେ ଆଖି ବୁଜି ଦେବା ପାଇଁ ସରକାରୀ ନିଦେ୍ର୍ଧଶନାମା ରହିଛି । ଓଡ଼ିଶାରେ ଏହାର ଦୀର୍ଘସ୍ଥାୟୀ ବ୍ୟବସ୍ଥା ଆମେ ଦେଖି ଆସିଛୁ ।

ବଡ଼ ବଡ଼ କମ୍ପାନୀଙ୍କ ଖଣି କାରବାର ଯୋଗୁଁ ପ୍ରଭାବିତ ହେଉଥିବା ଗରିବ ଲୋକେ ନିଜ ସ୍ୱର ଉତ୍ତୋଳନ କରିବାର ସମ୍ଭାବନା ସୃଷ୍ଟି ହୋଇନାହିଁ । ରାଜନୈତିକ ଦଳଗୁଡ଼ିକ ଖଣି ମାଲିକଙ୍କଠାରୁ ଚାନ୍ଦା ନେଇ ସେମାନଙ୍କର ହାତବାରିସି ସାଜିଛନ୍ତି । ସୁକିନ୍ଦା ଅଞ୍ଚଳରେ ଖଣି ରାଜନୀତି ସବୁଠୁ ଧନୀ ରାଜନେତାମାନଙ୍କୁ ତିଆରି କରିଛି ।

ଏହି ରାଜନେତାମାନେ ଓଡ଼ିଶାର ପ୍ରଶାସନରେ ବେଶ୍‍ ପ୍ରଭାବଶାଳୀ । ସେହିପରି ଟ୍ରେଡ୍‍ ୟୁନିଅନ୍‍ ରାଜନୀତିରୁ ଆସିଥିବା ଅନେକ ନେତା ପରବର୍ତ୍ତୀ ସମୟରେ ଖଣି ମାଲିକଙ୍କର ଦଲାଲ ସାଜିବାର ଉଦାହରଣ ମଧ୍ୟ କମ୍‍ ନୁହେଁ । ଗୋଟିଏ ପକ୍ଷରେ ଖଣି କର୍ମଚାରୀଙ୍କ ପାଇଁ ଲଢେଇ ଓ ରାତିର ଅନ୍ଧାରରେ ଖଣି ମାଲିକଙ୍କ ସହ ସଲାସୁତୁରା କରି ବହୁ ଟ୍ରେଡ୍‍ ୟୁନିଅନ୍‍ ନେତା ଏବେ ରାଜଧାନୀରେ ପେଟ ଲମ୍ବେଇ ବସିଛନ୍ତି ।

ସାଧାରଣ ଲୋକେ ମୃତୁ୍ୟ ଯନ୍ତାରେ ପଡ଼ି ଛଟପଟ ହେଉଥିବାବେଳେ ଏହି ରାଜନେତାମାନେ ବଡ଼ ବଡ଼ ଭାଷଣ ଦେବାରେ ବ୍ୟସ୍ତ ।
ସୁକିନ୍ଦା ଘଟଣାରୁ ଆଉ ଗୋଟେ କଥା ଆମେ ଶିଖିବା ଜରୁରୀ । ଖଣି ଦେଶ ଓ ରାଜ୍ୟର ଅର୍ଥନୀତିକୁ ବଦଳାଇ ପାରିବ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ବୁଝିବା ଦରକାର ଯେ, ସାମୟିକ ଭାବରେ ଖଣି ରାଜସ୍ୱ ଆମ ବଜେଟ୍‍ରେ ହୁଏତ ପରିସଂଖ୍ୟାନ ବଢାଇ ପାରେ ।

ଦୀର୍ଘସ୍ଥାୟୀ ଭାବରେ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ । ଏକ ନିର୍ଦ୍ଧିଷ୍ଟ ସମୟର ଉତ୍ତୋଳନ ପରେ ଖଣି ବନ୍ଦ ହେବ । ଦେଶର ସବୁଠୁ ଅଧିକ କ୍ରୋମାଇଟ୍‍ ଥିବା ସୁକିନ୍ଦା ହୁଏତ ଆଉ ପଚାଶ ବର୍ଷ ପରେ ଏକ ପରିତ୍ୟକ୍ତ ବିଷାକ୍ତ ଭୂମି ଭାବରେ ପଡ଼ି ରହିବ । ସେଠି ଧାନ ଗଛ ତ ଦୂରର କଥା, ଘାସ ମଧ୍ୟ ଉଠିବ ନାହିଁ ।

ତା’ର ବିଷାକ୍ତ ପବନରେ ମଣିଷ ବଞ୍ଚôବା ସମ୍ଭବ ହେବ ନାହିଁ । ଜଙ୍ଗଲ ଧ୍ୱଂସ ହୋଇ ସାରିଛି । ବିଭିନ୍ନ ଝରଣାର ଜଳ ଉତ୍ସ ଶୁଖିସାରିଛି ଅଥବା ବିଷାକ୍ତ ହୋଇ ସାରିଛି ।

ଆଉ ଦଶ ବର୍ଷ ପରେ ବ୍ରାହ୍ମଣୀ ନଦୀର ପାଣିକୁ ଛୁଇଁଲେ ଚମଡ଼ା ଜଳିଯାଇପାରେ । ଏହି ପରିସ୍ଥିତି ପାଇଁ ଆମେ କାହା ଉପରେ ଦୋଷ ଦେବା । ବ୍ୟବସାୟୀ ଓ ସରକାରଙ୍କ ମିଳିତ ଷଡଯନ୍ତ୍ରରେ ସୁକିନ୍ଦା ଉପତ୍ୟକା ଭଳ ଆହୁରି ଅନେକ ଉପତ୍ୟକା ବିଷବଳୟ ପାଲଟି ଯାଉଛି । ଏହି ବିଷ ବଳୟରୁ ଆମକୁ ମୁକ୍ତି ଦେବ କିଏ ?

ଫୋନ୍‍ : ୯୪୩୭୧୫୪୪୪୫

Leave a Reply

This site uses Akismet to reduce spam. Learn how your comment data is processed.