Site icon Odisha.com

ନବକଳେବର ରଥ ଯାତ୍ରା ପୂର୍ବରୁ ବୁଲା ଗାଈ-ଗୋରୁଙ୍କ ସ୍ଥାନାନ୍ତର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୧୬ ଜୁଲାଇ (ଓଡିଶା ଡଟ୍ କମ୍): ନବକଳେବର ରଥଯାତ୍ରା ସମୟରେ ପୁରୀରେ ପଚାଶ ଲକ୍ଷରୁ ଊର୍ଦ୍ଧ୍ଵ ଜନ ସମାଗାମ ହେବାର ସମ୍ଭାବନା ଥିବାରୁ ପୁରୀ ସହର ଓ ବଡଦାଣ୍ଡରେ ବୁଲାବୁଲି କରୁଥିବା ଗାଈ-ଗୋରୁଙ୍କୁ ପଶୁ ସମ୍ପଦ ବିଭାଗ ସ୍ଥାନୀୟ ପ୍ରଶାସନ ସହଯୋଗରେ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ।

ପୁରୀ ସହରରେ ପ୍ରାୟ ଦୁଇହଜାର ଗାଈଗୋରୁ ରହିଥିବା ବେଳେ ପ୍ରତିଦିନ ପଞ୍ଚାଶହରୁ ଊର୍ଦ୍ଧ୍ଵ ବଡଦାଣ୍ଡରେ ବୁଲାବୁଲି କରୁଥିବା ଦେଖା ଯାଇଥାଏ । ଏହା ଫଳରେ ଯାତ୍ରୀ ଓ ପର୍ଯ୍ୟଟକ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁଲିସକୁ ଟ୍ରାଫିକ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଏହି ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ପୁରୀ ନଗରପାଳିକା ସହଯୋଗରେ ରାଜ୍ୟର ପଶୁ ସମ୍ପଦ ବିଭାଗ ଗାଈଗୋରୁଙ୍କୁ ସହର ଉପକଣ୍ଠରେ ଥିବା ଗୋଟିଏ କାନଜି ହାଉସ ଓ ଗୋଟିଏ ଗୋଶାଳାକୁ ସ୍ଥାନାନ୍ତର କରିଛନ୍ତି । ଛାଇତନା ଠାରେ ୨୮ ଏକର ବିଶିଷ୍ଠ ଜାଗାରେ ପ୍ରାୟ ପାଞ୍ଚ ଶହ ଗାଈ ଗୋରୁମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଥିବା ବେଳେ ହରିହରାନନ୍ଦ ଆଶ୍ରମର ଗୋଶାଳାରେ ମଧ୍ୟ ବହୁସଂଖ୍ୟାରେ ବୁଲା ଗାଈ ଗୋରୁଙ୍କୁ ରଖିବା ବ୍ୟବସ୍ଥା କରାଯାଇଛି ।

”ଠେଙ୍ଗା ବାହିନୀ” ନାମକ ଏକ ସ୍ଵଚ୍ଛାସେବି ସଂଗଠନର ସହାୟତାରେ ଗାଈଗୋରୁଙ୍କୁ ଉକ୍ତ ସ୍ଥାନ ମାନଙ୍କୁ ନିଆଯାଉଥିବା ପଶୁ ସମ୍ପଦ ବିଭାଗ କହିଛି । ଶୁକ୍ରବାର ସୁଦ୍ଧା କାନଜି ହାଉସରେ ୩୧୯ ବୁଲ ଗାଈଗୋରୁଙ୍କୁ ଥଇଥାନ କରାଯାଇଥିବା ବେଳେ ଗୋଶାଳାରେ
୫୨୧ଟି ଷଣ୍ଢଙ୍କୁ ରଖାଯାଇଛି । ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବୀ ପ୍ରସାଦ ପଣ୍ଡା ନିଜେ ପୁରୀରେ ରହି ଏହାର ପ୍ରତ୍ୟକ୍ଷ ତତ୍ଵାବଧାନ କରୁଛନ୍ତି । ସେହିଭଳି ନିର୍ଦ୍ଦେଶାଳୟର ସଂୟଯୁକ୍ତ ନିର୍ଦ୍ଦେଶକ ଡା.ମାନସ ରଞ୍ଜନ ମହାପାତ୍ର ମଧ୍ୟ ପୁରୀଠାରେ ରହି ଏହାର ତଦାରଖ କରୁଛନ୍ତି ।

ପଶୁ ଚିକିତ୍ସା ବିଭାଗ ପକ୍ଷରୁ ଗୌଶାଳାରେ ରହୁଥିବା ସ୍ଥାନାନ୍ତରିତ ଗାଈଗୋରୁ ମାନଙ୍କର ସ୍ୱାସ୍ଥ୍ୟ-ସେବା ଓ ଖାଦ୍ୟପେୟ ତଦାରଖ କରାଯାଉଥିବା କାର୍ଯ୍ୟ କୁ କୃଷି, ମତ୍ସ୍ୟ ଓ ପଶୁ ବିକାଶ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭାଗୀୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମଧ୍ୟ ଜୁଲାଇ ୧୫ ରେ ଏହି ସ୍ଥାନ ବୁଲି କାର୍ଯ୍ୟ ତଦାରଖ କରିଛନ୍ତି ।

ଏହି ଗାଈଗୋରୁ ମାନଙ୍କ ପାଇଁ ସ୍ଥାନୀୟ ବଜାରରୁ ୧୦ ମେଟ୍ରିକ ଟନ ଏବଂ ଓମ୍ଫେଡରୁ ୩୦ ମେଟ୍ରିକ ଟନ ଗୋ-ଖାଦ୍ୟ ଯୋଗାଇ ଦିଆଯାଉଥିବା ପୁରୀ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ଗାଈ-ଗୋରୁଙ୍କ ସ୍ୱାସ୍ଥ୍ୟର ତଦାରଖ କରିବା ପାଇଁ ଗୋଶାଳାରେ ତିନୋଟି ସିଫ୍ଟରେ କାର୍ଯ୍ୟ କରିବା ପାଇଁ ଜଣେ ପଶୁ ଚିକିତ୍ସା ଡାକ୍ତର, ଜଣେ ପଶୁ ସମ୍ପଦ ନିରିକ୍ଷକଏବଂ ଜଣେ ସହାୟକ କର୍ମଚାରୀଙ୍କୁ ଦାୟିତ୍ଵ ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version