Site icon Odisha.com

‘ଡେଙ୍ଗୁ’ରୋକିବା ପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲର ଅଭିଯାନ

ଓଡିଶା ଡଟ କମ ସଂବାଦ ଦାତା

କଳିଙ୍ଗ ନଗର, ଯାଜପୁର ଜୁଲାଇ ୧୮ (ଓଡିଶା ଡଟ କମ) ନିଜ କର୍ମଚାରୀମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ସୁରକ୍ଷିତ ଏବଂ ସ୍ୱଚ୍ଛ ପରିବେଶ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଟାଟା ଷ୍ଟିଲ ପକ୍ଷରୁ ଏହାର କଳିଙ୍ଗନଗର ଇସ୍ପାତ ପ୍ରକଳ୍ପରେ ଡେଙ୍ଗୁ ରୋଗର ନିରାକରଣ ପାଇଁ ଏକ ଅଭିଯାନ ଆରମ୍ଭ କରିଛି ।

ଏହି ପରିପ୍ରେକ୍ଷୀରେ ବର୍ଷା ଋତୁ ଆରମ୍ଭରୁ ଡେଙ୍ଗୁ ରୋକିବା ଲାଗି ଗତ କିଛି ମାସ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପ ବୃତ୍ତିଗତ ସ୍ୱାସ୍ଥ୍ୟସେବା ବିଭାଗ ଓ ଜାମସେଦପୁର ୟୁଟିଲିଟି ସର୍ଭିସେସ୍ କମ୍ପାନୀ (ଜୁସ୍କୋ)ର ଜନ ସ୍ୱାସ୍ଥ୍ୟ ଦଳ ପକ୍ଷରୁ ମଳିତ ଭାବେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି ।

କାରଖାନା ପରିସର ମଧ୍ୟରେ ୩୪ଟି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏହାବ୍ୟତୀତ କାରଖାନା ପରିସରରେ ସମ୍ଭାବିତ ଡେଙ୍ଗୁ ପ୍ରଜନନ ସ୍ଥଳୀ ଚିହ୍ନଟ କରିବା ପରେ ଲାର୍ଭିସାଇଡାଲ ସ୍ପ୍ରେ ମାଧ୍ୟମରେ ମଶାଙ୍କ ଲାର୍ଭାକୁ ନଷ୍ଟ କରାଯାଉଛି ।

ଚଳିତ ବର୍ଷ ମେ ମାସଠାରୁ କାରଖାନା ଅଞ୍ଚଳ ଓ ଶ୍ରମିକ କଲୋନୀରେ ଡେଙ୍ଗୁ ନାଶକ ଦଳକୁ ଏହି ସ୍ପ୍ରେ କାର୍ଯ୍ୟରେ ନିୟୋଜିତ କରାଯାଇଛି । କମ୍ପାନୀ ପକ୍ଷରୁ କାରଖାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଲାଇନ୍ ମ୍ୟାନେଜରମାନଙ୍କୁ ମଶା ନିରୋଧକ ମଲମ (ଓଡୋମସ୍) ଯୋଗାଇ ଦିଆଯାଉଛି ।

ସତର୍କତାପୂର୍ବକ କାରଖାନାର ବିଭିନ୍ନ ବିଭାଗରେ ସଚେତନତା ଶିବିରର ମଧ୍ୟ ଆୟୋଜନ କରାଯାଉଛି ।

ଡେଙ୍ଗୁ ରୋଗର ‘ପ୍ରତିଷେଧକ ବ୍ୟବସ୍ଥା’ ବିଷୟରେ ସଚେତନ କରିବା ପାଇଁ କାରଖାନା ଭିତରେ କର୍ମଚାରୀଙ୍କୁ ଓଡ଼ିଆ ଓ ହିନ୍ଦୀରେ ପ୍ରସ୍ତୁତ ପ୍ରଚାରପତ୍ର ବଣ୍ଟାଯିବା ସହିତ କାରଖାନା ପରିସରରେ ଡେଙ୍ଗୁ ସଚେତନତା ବ୍ୟାନର ଲଗାଯାଇଛି ।

ଏହାସହିତ ଡେଙ୍ଗୁ ପ୍ରତିଷେଧକ ବ୍ୟବସ୍ଥାକୁ ନିରୀକ୍ଷଣ କରିବା ପାଇଁ କାରଖାନାର ପ୍ରତ୍ୟେକ ଜୋନ୍ ଓ ସବ୍-ଜୋନ୍ରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ଓଡିଶା ଡଟ କମ

Exit mobile version