Site icon Odisha.com

ପାର୍ଟିରେ ଅନ୍ତର୍ବିବାଦକୁ କଂଗ୍ରେସ ବିଧାୟକଙ୍କ ଖଣ୍ଡନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୨ ଜୁଲାଇ (ଓଡିଶା ଡଟ୍ କମ୍): ରାଜ୍ୟ କଂଗ୍ରେସରେ ଅନ୍ତର୍ବିବାଦ ଥିବା ଓ ସେହି କାରଣରୁ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିବା ଖବରକୁ ଦୁଇଜଣ ପାର୍ଟି ବିଧାୟକ ବୁଧବାର ଖଣ୍ଡନ କରିଛନ୍ତି ।

ନୂଆଦିଲ୍ଲୀରୁ ଫେରିବା ପରେ ବିଧାୟକ ପ୍ରଫୁଲ୍ଲ ମାଝି ଓ ପ୍ରଫୁଲ୍ଲ ସଗରିଆ କହିଛନ୍ତି ଯେ ସେମାନେ ପାର୍ଟି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଦିଲ୍ଲୀ ଯାଇଥିଲେ ।

“ଏହି ସାକ୍ଷାତରେ କିଛି ରାଜନୀତି ନାହିଁ, ଆମେମାନେ କାହା ସପକ୍ଷରେ କି ବିପକ୍ଷରେ କୌଣସି ଆଲୋଚନା କରିନାହୁଁ ।” ମାଝି କହିଛନ୍ତି ।

ମାଝି ଓ ସଗରିଆଙ୍କ ସମେତ ରାଜ୍ୟ କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ମଙ୍ଗଳବାର ସଂସଦ ଭବନର ସେଣ୍ଟ୍ରାଲ ହଲରେ ସୋନିଆ ଗାନ୍ଧିଙ୍କ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ସାକ୍ଷାତ କରିଥିଲେ ।

ରାଜ୍ୟ କଂଗ୍ରେସ କମିଟି ବୈଠକରେ ବିଧାୟକମାନଙ୍କୁ ଗୁରୁତ୍ଵ ଦିଆନଯିବା, ଜିଲ୍ଲା ଓ ବ୍ଲକସ୍ତରରେ ନେତାମାନଙ୍କ ସହ ସମନ୍ଵୟ ରକ୍ଷା କରିବାରେ ସଂଗଠନର ବିଫଳତା ଓ ତାରା ପ୍ରସାଦ ବାହିନୀପତିଙ୍କୁ ମୁଖ୍ୟ ସଚେତକ ପଦବୀରୁ ହଟେଇବା ଆଦି ବିଷୟ ରେ ସେମାନେ ଅଭିଯୋଗ କରିବାକୁ ଯାଇଥିବା ବିଭିନ୍ନ ଗଣ ମାଧ୍ୟମରେ ରେ ପ୍ରଚାର ହୋଇଥିଲା ।

ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ବିଧାୟକ ମାନେ ଦିଲ୍ଲୀ ଯାଇଥିଲେ ବୋଲି ବରିଷ୍ଠ ନେତା ଲୁଲୁ ମହାପାତ୍ର କହିବା ପରେ ଏହି ପ୍ରଚାର ଜୋର ଧରିଥିଲା ।

ଓଡିଶା ଡଟ କମ

Exit mobile version