Site icon Odisha.com

ସରକାରୀ ଖର୍ଚରେ ବରିଷ୍ଠ ନାଗରିକଙ୍କୁ ମିଳିବ ତୀର୍ଥଭ୍ରମଣର ସୁଯୋଗ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୩ ଜୁଲାଇ (ଓଡିଶା ଡଟ୍ କମ୍): ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଖର୍ଚରେ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ସରକାର ସୁଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ଉଚ୍ଛ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସରକାର ଆରମ୍ଭ କରିବାକୁ ଯାଉଥିବା ଏହି ବୟସ୍କ ଲୋକଙ୍କ ତୀର୍ଥଭ୍ରମଣ ଯୋଜନାରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ସବୁଧର୍ମର ଲୋକମାନେ ସାମିଲ ହୋଇପାରିବେ ଓ ସେମାନେ ଦେଶ ତଥା ରାଜ୍ୟ ଭିତରେ ଥିବା ବିଭିନ୍ନ ଧର୍ମ ସ୍ଥାନ ମାନକୁ ପରିଦର୍ଶନ ନିମନ୍ତେ ଯାଇପାରିବେ ବୋଲି ସୂଚନା ଦିଆଯାଇଛି । ତେବେ ଆୟକରଦାତା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଏହି ସୁଯୋଗ ମିଳିବ ନାହିଁ ।

ଏହି ଯୋଜନାର ତଦାରଖ ପାଇଁ ଅଭିଜ୍ଞ ବ୍ୟକ୍ତିମାନଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ସେଲ ଖୋଲାଯିବାର ନିଷ୍ପତି ନିଆଯାଇଛି । ଏହାର ସୁପରିଚାଳନା କରିବାପାଇଁ ଆଇଆରସିଟିସି ଓ ଓଟିଡ଼ିସି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହେବାର ଯୋଜନା ରହିଥିବା କୁହାଯାଇଛି ।

ଏହି ଯୋଜନା ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥସ୍ଥାନ ଭ୍ରମଣ ସମୟରେ ଯାତାୟତ ଖର୍ଚ୍ଚ ଠାରୁ ଆରମ୍ଭକରି, ଖାଦ୍ୟପେୟ, ରହଣି ଓ ସ୍ଥାନ ପରିଭ୍ରମଣର ସମସ୍ତ ଖର୍ଚ୍ଚ ରାଜ୍ୟସରକାର ବହନ କରିବା ସହ ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ମାଗଣା ଚିକିତ୍ସା ମଧ୍ୟ ଯୋଗାଇଦେବାର ବନ୍ଦୋବସ୍ତ କରାଯିବ । ତେବେ ଜଣେ ବ୍ୟକ୍ତି କେବଳ ଥରେ ମାତ୍ର ଏହି ଯାତ୍ରାରେ ସାମିଲ ହେବାର ସୁଯୋଗ ପାଇବେ ।

ଆଗ୍ରହୀ ବ୍ୟକ୍ତିମାନଙ୍କୁ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ଫର୍ମରେ ଆବେଦନ କରିବାକୁ ପଡିବ । ସେହିପରି ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ।

ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପରିବହନ ଓ ବାଣିଜ୍ୟ ବିଭାଗର ପ୍ରମୁଖ ସଚିବ, ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

Exit mobile version