ରଙ୍ଗବତୀ : କାହାଣୀ ଓ ବାସ୍ତବତା (ରୋକ୍ ଠୋକ୍)

କେଦାର ମିଶ୍ର

ଗତ ମାସେରୁ ଅଧିକ ହେଲା ରଙ୍ଗବତୀ ଗୀତକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି । ସତୁରୀ ଦଶକର ଏହି ଗୀତ ପୁଣି ଥରେ ଜନମାନସରେ ନିଜର ନୂଆ ଅବତାର ଗ୍ରହଣ କରିଛି । କୋକ୍‍ ଷ୍ଟୁଡ଼ିଓରେ ଏହାର ପ୍ରସାରଣ ପରଠୁ ଏହାକୁ ନେଇ ଢେର୍‍ ଚର୍ଚ୍ଚା ବଢିଯାଇଛି । ଏହାର ରିମିକ୍ସ ସପକ୍ଷରେ ଓ ବିପକ୍ଷରେ ଅନେକ ମତାମତ ଶୁଣିବାକୁ ମିଳୁଛି ।

ଯେଉଁମାନେ ପଶ୍ଚିମ ଓଡ଼ିଶାର ଲୋକଗୀତ ତଥା ଲୋକସଂସ୍କୃତି ବିଷୟରେ ବିଲ୍‍କୁଲ୍‍ କିଛି ଜାଣନ୍ତି ନାହିଁ ସେମାନେ ଏହାକୁ ଓଡ଼ିଶାର ଲୋକ ସଂସ୍କୃତି ପାଇଁ ଏକ ବିରାଟ ସଫଳତା ବୋଲି କହିଚାଲିଛନ୍ତି । ତେବେ ରଙ୍ଗବତୀ ଗୀତକୁ ନେଇ ଗଢି ଉଠୁଥିବା ଅନେକ କାହାଣୀ, ବିବାଦ, ଅପବାଦ ଓ ଗୁଜବର ସ୍ପଷ୍ଟ ତର୍ଜମା ଆଜି କରିବା ଉଚିତ୍‍ ହେବ ।

କାହାଣୀ ୧ : ରଙ୍ଗବତୀ ହେଉଛି ଏକ ଲୋକଗୀତ । ତେଣୁ ଏହା କପିରାଇଟ୍‍ ଆକ୍ଟ୍‍ର ଅଧୀନ ନୁହେଁ ।

ବାସ୍ତବତା : ରଙ୍ଗବତୀ ଆଦୌ ମୌଳିକ ଲୋକଗୀତ ନୁହେଁ । ଏହା ଲୋକସ୍ୱର ଉପରେ ଆଧାର କରିଥିବା ଏକ ମୌଳିକ ସଙ୍ଗୀତ ରଚନା । ୧୯୭୬ ମସିହାରେ ଆକାଶବାଣୀ ସମ୍ବଲପୁର ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଏହି ଗୀତଟିର ପରିକଳ୍ପନା କରାଯାଇଥିଲା ।

ଏହି ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ନିଜେ ଏହାର ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି । ‘କୁରେ ଫୁଲର ଝୁମ୍ପା’ ନାମକ ଏକ କାର୍ଯ୍ୟକ୍ରମ ପାଇଁ ଯେଉଁ ତିନୋଟି ଗୀତ ପ୍ରସ୍ତୁତ କରାଯାଇଥିଲା, ତନ୍ମଧ୍ୟରୁ ରଙ୍ଗବତୀ ଅନ୍ୟତମ । ଏହା ପ୍ରାଥମିକ ଭାବରେ ଫକୀର ପଟ୍ଟନାୟକ ଓ କମଳ କୁମାରୀ ବେହେରାଙ୍କ କଣ୍ଠରେ ରେକର୍ଡ ହେବାର ଥିଲା ।

କଳାକାରଦ୍ୱୟ ନ ଆସିବାରୁ ଏହାକୁ ଜିତେନ୍ଦ୍ର ହରିପାଲ୍‍ ଓ କ୍ରିଷ୍ଣା ପଟେଲ୍‍ଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା । ପରବର୍ତ୍ତୀ ଘଟଣା ଇତିହାସ । ୧୯୭୬ ପରେ ଏହା ଆକାଶବାଣୀରେ ଏତେ ଲୋକପ୍ରିୟ ହେଲା ଯେ, ଏହାକୁ ନିଜ ତରଫରୁ ଇନେ୍ଦ୍ରକୋ କମ୍ପାନୀ ରେକର୍ଡ କରିବାର ନିଷ୍ପତ୍ତି ନେଇଥିଲେ । ମୌଳିକ ଭାବରେ ଆଜି ମଧ୍ୟ ଏହାର ସତ୍ତ୍ୱ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସଙ୍ଗୀତ ନିଦେ୍ର୍ଧଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପାଖରେ ରହିଛି ।

ସବୁ ସମ୍ବଲପୁରୀ ଗୀତକୁ ଲୋକଗୀତ ବୋଲି କେହି କେହି ଧରିନିଅନ୍ତି । ଯେମିତି ଓଡ଼ିଆରେ ବୋଲାଯାଉଥିବା ସବୁ ଗୀତ ଓଡ଼ିଶୀ ନୁହେଁ, ସେମିତି ସମ୍ବଲପୁରୀ ବା କୋଶଳୀରେ ବୋଲାଯାଉଥିବା ସବୁ ଗୀତ ଲୋକଗୀତ ନୁହେଁ । ସମ୍ବଲପୁର ଆକାଶବାଣୀ ପ୍ରତିଷ୍ଠା ହେବା ପରଠୁ ନୂଆ ପିଢିର ଅନେକ ଗାୟକ/ ଗାୟିକା ସମ୍ବଲପୁରୀ ଗୀତରେ ଆଧୁନିକତାର ପ୍ରୟୋଗ କରିଛନ୍ତି ।

ରଙ୍ଗବତୀ ପରମ୍ପରା ଓ ଆଧୁନିକତାର ଏକ ସୁନ୍ଦର ସମନ୍ୱୟ । ରଙ୍ଗବତୀରେ ଲୋକ ଧୁନ୍‍ ସହିତ ଆଧୁନିକ ଗୀତିକବିତାର ଚମକ୍ରାର ମିଶ୍ରଣ ଘଟିଛି । ରଙ୍ଗବତୀ ବୋଲି କୌଣସି ଲୋକଗୀତର ଧାରା ପଶ୍ଚିମ ଓଡ଼ିଶାରେ ନାହିଁ ।

କାହାଣୀ ୨ : ଆମେ ବଜାରରେ ଯେଉଁ ସମ୍ବଲପୁରୀ ଗୀତ ଶୁଣୁ, ସେସବୁ ପଶ୍ଚିମ ଓଡ଼ିଶାର ଲୋକଗୀତ ।

ବାସ୍ତବତା : ଅସଲ କଥା ହେଉଛି ପଶ୍ଚିମ ଓଡ଼ିଶାର ଅନେକ ଲୋକଗୀତ ଏବେ ମୃତ୍ୟୁ ମୁଖରେ । ସମ୍ବଲପୁରୀ ଗୀତର ବଜାର ସୃଷ୍ଟି ହେବା ପରେ ଏହାକୁ ଅଧିକ ଲୋକପ୍ରିୟ ତଥା ବଜାରଧର୍ମୀ କରିବାକୁ ଯାଇ ସମ୍ବଲପୁରୀ ଗୀତର ଲୋକଧର୍ମକୁ ମାରିଦିଆଗଲା । ସତୁରୀ ଦଶକରେ ଫକୀର ପଟ୍ଟନାୟକ, ବିଭୂତି ପଟ୍ଟନାୟକ, ଦିଲ୍ଳୀପ ବାଗ୍‍, ଜିତେନ୍ଦ୍ର ହରିପାଲ୍‍, କ୍ରିଷ୍ଣା ପଟେଲ୍‍, ଡଲି ମିଶ୍ର ପ୍ରମୁଖ ଲୋକଧର୍ମୀ ସମ୍ବଲପୁରୀ ଗୀତକୁ ନୂଆ ଢଙ୍ଗରେ ପରିବେଷଣ କରିବା ଆରମ୍ଭ କରିଦେଲେ ।

ଏହାକୁ ଆମେ ସମ୍ବଲପୁରୀର ଆଧୁନିକ ସୁଗମ ସଙ୍ଗୀତ ବୋଲି କହିପାରିବା । ପଶ୍ଚିମ ଓଡ଼ିଶାର ମୌଳିକ ଲୋକଗୀତର ଶୈଳୀ ସବୁ ହେଉଛି ଡାଲ୍‍ଖାଇ, ରସରକେଲି, ମାଏଲାଜଡ଼, ହୁମବଉଲି, ଜାଇଫୁଲ, ସଜନୀ ଗୀତ, ଦୁଲାବିହା, ନଚନିଆ, ବଜ୍‍ନିଆ, ମାଲେଶ୍ରୀ, ଘୁମ୍‍ରା ଇତ୍ୟାଦି । ଏହା ସହିତ ଉପକୂଳ ଓଡ଼ିଶାର ପାଲା ପରି ପଶ୍ଚିମ ଓଡ଼ିଶାର ସଂଚାର ଓ ସମ୍ପ୍ରଦା ମଧ୍ୟ ରହିଛି ।

ଶହେରୁ ଅଧିକ ଶ୍ରେଣୀର ଲୋକଗୀତ ଆଜି ମଧ୍ୟ ଜନଜୀବନରେ ପ୍ରଚଳିତ । ଏହାର ସଂରକ୍ଷଣ ତଥା ଗାୟନକୁ ନେଇ କୌଣସି ଉଦ୍ୟମ ହେଉନାହଁ । ଯେଉଁମାନେ ରଙ୍ଗବତୀ ଗୀତ ମାଧ୍ୟମରେ ସମ୍ବଲପୁରୀ ଲୋକକଳା ବିଶ୍ୱବ୍ୟାପୀ ହେଲା ବୋଲି ଡିଣ୍ଡିମ ପିଟୁଛନ୍ତି, ସେମାନେ ବୁଝିବା ଉଚିତ ଯେ ନୂଆକରି ପରିବେଷଣ ହୋଇଥିବା ରଙ୍ଗବତୀରେ ସମ୍ବଲପୁରୀ ଲୋକଗୀତ କୌଣସି ପ୍ରଭାବ ନାହିଁ । ଏହା ବଲିଉଡ୍‍ର ଏକ ଉଦ୍ଭଟ ଫୁ୍ୟଜନ୍‍ ମାତ୍ର ।

କାହାଣୀ ୩ : ନୂଆ ରଙ୍ଗବତୀ ହେଉଛି ନୂଆପିଢିକୁ ଆକୃଷ୍ଟ କରିବାର ଏକମାତ୍ର ମାର୍ଗ । ଏହା ରିମିକ୍ସ ବଜାରରେ ନୂଆ ଉତ୍ସାହ ସୃଷ୍ଟି କରିଛି ।

ବାସ୍ତବତା : ରିମିକ୍ସ ବା ଫୁ୍ୟଜନ୍‍ରେ ଦୁଇଟି ବା ଅଧିକ ସଙ୍ଗୀତଶୈଳୀର ମିଶ୍ରଣ କରାଯାଇଥାଏ । ରିମିକ୍ସରେ ମୂଳ ଗୀତର ସ୍ୱରଲିପି ଓ ସାହିତ୍ୟକୁ ଅକ୍ଷୁଣ୍ଣ ରଖାଯାଇଥାଏ । ସୋନା ମହାପାତ୍ର ଙ୍କ ରଙ୍ଗବତୀରେ ରଙ୍ଗବତୀର ମୂଳ ସ୍ୱରଲିପି ବିକୃତ ହୋଇଥିବାବେଳେ ଏହାର ସାହିତ୍ୟକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରାଯାଇଛି । ଏଥିରେ ସମ୍ବଲପୁରୀ ଲୋକଶୈଳୀ ସହ ଆଧୁନିକ ସ୍ୱର ଓ ବାଦ୍ୟର ସମନ୍ୱୟ ଘଟିନାହିଁ ।

ଏହା କେବଳ ଆଧୁନିକତାର ବିକଳ ଅନୁକରଣ । ଅନେକ ସମୟରେ ରିମିକ୍ସରେ ମୂଳ ଗୀତର ଗାୟକ ଗାୟିକାଙ୍କୁ ନିଆଯାଇଥାଏ । ଏ କ୍ଷେତ୍ରରେ ତାହା ମଧ୍ୟ ଘଟିନାହିଁ । ତେଣୁ ଏହାକୁ ମୌଳିକ ଭାବରେ ରିମିକ୍ସ ବୋଲି ମଧ୍ୟ କୁହାଯାଇପାରିବ ନାହିଁ ।

କାହାଣୀ ୪ : ରଙ୍ଗବତୀ ଗାଇଲାବେଳେ ସୋନା ମହାପାତ୍ର ଯେଉଁ ଉଚ୍ଚାରଣଗତ ତ୍ରୁଟି କରିଛନ୍ତି, ତାହା ସହଜରେ ଗ୍ରହଣୀୟ ।ଏପ୍ରକାର ଛୋଟ ଛୋଟ ଭୁଲ୍‍କୁ ନେଇ ସମାଲୋଚନା କରିବା ଅବାନ୍ତର ।

ବାସ୍ତବତା : ଗୋଟେ ଗୀତର ପ୍ରାଣ ହେଉଛି ତା’ର କବିତା । କବିତାରେ ଥିବା ଶବ୍ଦ ଓ ଭାବକୁ ବଦଳାଇବାର ଅଧିକାର ଗାୟକ ପାଖରେ ନାହିଁ । ଉଦାହରଣ ସ୍ୱରୂପ ‘ରଙ୍ଗ ବର୍‍ସେ ଭିଗେ ଚୁନ୍‍ରବାଲୀ’ କୁ ‘ଭାଙ୍ଗ ବର୍‍ସେ ଜାଗେ ହୁନର୍‍ବାଲୀ’ବୋଲି ଗାଇବା ସମ୍ଭବ ନୁହେଁ । ରଙ୍ଗବତୀ ଗୀତରେ ଗୋଟିଏ ଧାଡ଼ି ମୂଳ ରଚନା ସହ ସମାନ ନୁହେଁ ।

ପୁନଶ୍ଚ ଜଣେ ଜୀବିତ ଲେଖକଙ୍କ ଗୀତକୁ ଜାତୀୟ ସ୍ତରରେ ପରିବେଷଣ କରିବା ପୂର୍ବରୁ ତାଙ୍କର ଅନୁମତି ନ ନେବା କେବଳ ଅଭଦ୍ରାମି ନୁହେଁ, ଏହା ବେଆଇନ ମଧ୍ୟ ।

କାହାଣୀ ୫ : ଓଡ଼ିଆ ସଂସ୍କୃତିର ଜାତୀୟ ବଜାର ନାହିଁ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ସଂସ୍କୃତିକୁ କେହି ଚିହ୍ନନ୍ତି ନାହିଁ ।

ବାସ୍ତବତା : ଓଡ଼ିଶାର ବହୁ ସାଂସ୍କୃତିକ ବିଭବ ରହିଛି ଯାହା ଏବେ ଆନ୍ତର୍ଜାତିକ ବଜାରରେ ମାନ୍ୟତା ପାଇସାରିଛି । ଓଡ଼ିଶୀ ନୃତ୍ୟ ତା’ର ଏକ ଉଦାହରଣ । ପୃଥିବୀର ଶହେରୁ ଅଧିକ ଦେଶରେ ଓଡ଼ିଶୀ ନୃତ୍ୟ ନିଜର ପ୍ରଭାବ ବିସ୍ତାର କରିଛି । ଗୋଟିପୁଅ, ଛଉ, ସମ୍ବଲପୁରୀ ଓ ଆହୁରି ଅନ୍ୟାନ୍ୟ ଅନେକ ଲୋକକଳା ଅଛି, ଯାହାର ଆଦର ଦେଶବିଦେଶରେ ରହିଛି ।

ତେବେ ଓଡ଼ିଶା ଭିତରେ ଏହି ସବୁ ଲୋକକଳାକୁ ପ୍ରେତ୍ସାହନ ଦେବା ପାଇଁ ଆମର ମଧ୍ୟବିତ୍ତମାନେ ଆଦୌ ଚିନ୍ତିତ ନୁହନ୍ତି ।ସବୁଠୁ ବଡ଼ କଥା ହେଉଛି, ଓଡ଼ିଆ ମଧ୍ୟବିତ୍ତମାନେ ନିଜ ସଂସ୍କୃତି ସମ୍ପର୍କରେ ଅନେକାଂଶରେ ନିରକ୍ଷର ଓ ଉଦାସୀନ । ସେମାନେ ଖବରକାଗଜ ଓ ଟେଲିଭିଜନକୁ ସଂସ୍କୃତିର ମାଧ୍ୟମ ବୋଲି ବିବେଚନା କରନ୍ତି । ଯାହାଫଳରେ ସଂସ୍କୃତିର କୌଣସି ଉପଯୁକ୍ତ ତଥ୍ୟ ଆମ ପାଖରେ ପହଞ୍ଚେ ନାହିଁ ।

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା