Site icon Odisha.com

କମ୍ ବର୍ଷା ହୋଇଥିବା ଜିଲ୍ଲାରେ ଫସଲ ବଞ୍ଚାଇବା ପାଇଁ ପଦକ୍ଷେପ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୪ ଜୁଲାଇ (ଓଡିଶା ଡଟ୍ କମ୍): ଗତ ଜୁଲାଇ ୨୨ ତାରିଖ ସୁଦ୍ଧା ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ୬ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ଏହି ଜିଲ୍ଲାରେ କୃଷିର ଅଗ୍ରଗତି ପାଇଁ ବିଭିନ୍ନ ପଦକ୍ଷେପ ନେବାପାଇଁ ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।

ଉକ୍ତ ଜିଲ୍ଲା ମାନଙ୍କରେ ଫସଲର ସୁରକ୍ଷା ପାଇଁ କେନାଲ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରିବା ଓ ଅଚଳ ଉଠା ଜଳ ସେଚନ ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷାଭାବ ଜନିତ ପରିସ୍ଥିତି ତଥା ପ୍ରାକୃତିକ ବିପତ୍ତିର ମୁକାବିଲା ପାଇଁ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ଚାରି ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ତଦନୁଯାୟୀ ଆବଶ୍ୟକ ସ୍ଥଳେ ଚାଷୀକୁ ମଧ୍ୟମ ଓ ସ୍ୱଳ୍ପ ସମୟରେ ହୋଇ ପାରୁଥିବା ଧାନ ବିହନ ଯୋଗାଣ ଏବଂ ଡାଲି ତୈଳବୀଜ ଶସ୍ୟ ଓ ପନିପରିବା ବିହନ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି ।

ସେହିପରି ଜମି ଗୁଡିକୁ ଜଳଯୋଗାଣ କରିବା ପାଇଁ ଉଠା ଜଳ ସେଚନ ପଏଣ୍ଟ ଗୁଡିକରେ ବିଦ୍ୟୁତୀକରଣ, ଅଚଳ ଉଠା ଜଳ ସେଚନ ପଏଣ୍ଟ ଗୁଡିକର ପୁନରୁଦ୍ଧାର ଓ ମରାମତି ସହିତ ଜଳନିଧି ଓ ଅନ୍ୟ ଯୋଜନା ମାନଙ୍କରେ ଜଳ ସେଚନ କ୍ଷମତା ବୃଦ୍ଧି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି  ।

ଏହା ସହିତ ଚାଷୀ ମାନଙ୍କୁ ପାଣିପାଗ, ଫସଲ ଓ ବୀମା ସମ୍ପର୍କରେ ନିୟମିତ ସୂଚନା ଦିଆଯିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।

ବୈଠକରେ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, କୃଷି ବିଭାଗର ପ୍ରମୁଖ ସଚିବ, ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ସଚିବ ଏବଂ କୃଷି ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

Exit mobile version